Site icon Odisha.com

ସମାବେଶକୁ ଭଣ୍ଡୁର କରିବା ପାଇଁ ଷଡ଼ଯନ୍ତ୍ର: ଜନମୋର୍ଚ୍ଚା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକୋ୍ଟବର ୨୬(ଓଡ଼ିଶା ଡ଼ଟ୍ କମ୍)–ଓଡିଶା ଜନମୋର୍ଚ୍ଚାର ସମାବେଶକୁ ଭଣ୍ଡୁର କରିବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ ଆଣି ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ପ୍ୟାରିମୋହନ ମହାପାତ୍ର ।

ଏକ ସାମ୍ବାଦିକ ସମ୍ମିଳନୀରେ ମୋର୍ଚ୍ଚା ତରଫରୁ କୁହାଯାଇଛି ଯେ, ସମାବେଶକୁ ଲୋକମାନେ ଯେପରି ନ ଆସିପାରିବେ ସେଥିପାଇଁ ଶକ୍ତିମନ୍ତ୍ରୀ ଓ ଅନ୍ୟାନ୍ୟ ସ୍ଥାନର ଆରଟିଓ ଏମ୍ଭିଆଇମାନେ ଗାଡି ମାଲିକଙ୍କୁ ଧମକ ଦେଉଛନ୍ତି ।

ଆସନ୍ତା ୨୮ ତାରିଖରେ ହେବାକୁ ଥିବା ସମାବେଶ ଭଣ୍ଡୁର କରିବା ପାଇଁ କିଛି ରାଜନେତା ଓ ଅଫିସର ଲାଗିପଡିଛନ୍ତି ବୋଲି ଏହି ଚିଠିରେ ଅଭିଯୋଗ କରାଯାଇଛି ।

ନୟାଗଡ ଜିଲ୍ଲାରେ ଶକ୍ତିମନ୍ତ୍ରୀ ଅରୁଣ ସାହୁ ଏବଂ କଟକ, ଆଠଗଡ, ଭୁବନେଶ୍ୱର, କେନ୍ଦ୍ରାପଡା ଆରଟିଓ ଏବଂ ଏମ୍ଭିଆଇ ମାନେ ଗାଡି ନଦେବାକୁ ମାଲିକଙ୍କୁ ଧମକ ଦେଉଥିବା ମୋର୍ଚ୍ଚ ଅଭିଯୋଗ କରିଛି ।

ଏନେଇ ଆରଟିଓ,ଏମ୍ଭିଆଇମାନଙ୍କ ପ୍ରତିକ୍ରୀୟା ମିଳି ନଥିବା ବେଳେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

ସେ କହିଛନ୍ତି ଗଣତାନ୍ତ୍ରୀକ ଉପାୟରେ ଯେଉଁ ନିର୍ବାଚନ ହୁଏ ସିଧା ସଳଖ ଲୋକମାନଙ୍କର ମତଦାତା ପାଉ ନଥିବା ବ୍ୟକ୍ତି ବା ସମ୍ମୁଖିନ ହୋଇ ନଥିବା ବ୍ୟକ୍ତି ପ୍ୟାରୀମୋହନଙ୍କ ଭଲି ଲୋକ ଏହିଭଳି ଭିତିହିନ ଅଭିଯୋଗ ଆଣି ପାରନ୍ତି । ଯାହାର କିଛି ସତ୍ୟତା ନାହିଁ ।

ଏହା ଏକ ଅପପ୍ରଚାର ମାତ୍ର । ପ୍ୟାରୀମୋହନ ମହାପାତ୍ରଙ୍କ ଏକମାତ୍ର ଉଦ୍ଦେଶ୍ୟ କଂଗ୍ରେସକୁ କ୍ଷମତାକୁ ଆଣିବାକୁ । ଦିଲ୍ଲୀ ଗସ୍ତ ପୂର୍ବରୁ ପ୍ୟାରୀମୋହନ ମହାପାତ୍ରଙ୍କ ଅଭିଯୋଗ ସଂପର୍କରେ ମୁଖ୍ୟମନ୍ତ୍ରୀ ନିଜର ପ୍ରତିକ୍ରୀୟା ପ୍ରକାଶ କରିକହିଛନ୍ତି ଯେ ପ୍ୟାରୀଙ୍କ ଅଭିଯୋଗ ମିଥ୍ୟା ଓ ଭିତିହିନ ।

ଅନ୍ୟ ପକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ସଂଜୟ କୁମାର ଦାସବର୍ମା କହିଛନ୍ତି ଯେ,ନିଲମ୍ବିତ ହେବାପରେ ଜନମୋର୍ଚ୍ଚା ନାମରେ ଏକ ସଂଗଠନ ଗଢି ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଗଣମାଧ୍ୟମ ଜରିଆରେ ବିଭିନ୍ନ ଅଶୋଭନୀୟ ମନ୍ତବ୍ୟ ଦେଇ ମହାପାତ୍ର ଦଳର ସମ୍ମାନ କ୍ଷୁର୍ଣ୍ଣ କରୁଛନ୍ତି ।

ତାଙ୍କର ଏଭଳି ଅଶୋଭନୀୟ ମନ୍ତବ୍ୟକୁ ଦୃଢ ନିନ୍ଦା କରି ମହାପାତ୍ର ଦଳୀୟ ଟିକେଟରେ ନିର୍ବାଚିତ ରାଜ୍ୟସଭା ସଭ୍ୟ ପଦରୁ ତୁରନ୍ତ ଇସ୍ତଫା ଦେବାପାଇଁ ଦାସବର୍ମା ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version