Site icon Odisha.com

ସମ୍ବଲପୁର ପୋଲିସକୁ ସଫଳତା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର, ନଭେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) – ସମ୍ବଲପୁର ପୁଲିସ ହାତରେ ଧରାପଡିଛି ଶାନ୍ତିନଗରର ଦୁର୍ଦ୍ଧାନ୍ତ ଅପରାଧୀ ରାଜେଶ ସାହୁ । ମଙ୍ଗଳବାର ଦିନ ଲପଙ୍ଗା ରେଳଷ୍ଟେସନ ଢାବା ମାଲିକକୁ ଗୁଳିକରି ଫେରାର ହୋଇଯାଇଥିବା ରାଜେଶ ଓ ତାର ସାଙ୍ଗସୋନୁ ଧରାପଡିଛନ୍ତି ।

ଏସପି ନିଖିଳ କୁମାର କାନୋଡ଼ିଆ ବୁଧବାର ଦିନ ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, କାଉନସିଲରଙ୍କ ସମେତ ମୋଟ ୭ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ପାଖରୁ ୬ଟି ବନ୍ଧୁକ, ୨୧ଟି ଗଳି, ୭ଟି ବାଘନଖ, ୩ଟି ପିସ୍ତଲ ଓ ଗୋଟିଏ ଟିଭିଏସ ଆପାଚି ମୋଟର ସାଇକେଲ ଜବତ ହୋଇଥିବା ରାଜେଶ ସାହୁ ଜଣେ ଚୋରା ବନ୍ଧୁକ ବେପାରୀ ।

ସେ ବିହାର ଓ ଝାଡ଼ଖଣ୍ଡରୁ ବନ୍ଧୁକ ଓ ଗୁଳି ଆଣି ସମ୍ବଲପୁର ଓ ଝାରସୁଗୁଡ଼ା ଜିଲାର ବିଭିନ୍ନ ଲୋକଙ୍କୁ ବିକ୍ରି କରିଥିଲା ।

ତା’ର ସୂଚନା ଅନୁସାରେ ପୁଲିସ ସମ୍ବଲପୁରର ୨୧ ନମ୍ବର ୱାର୍ଡ କାଉନସିଲର ଲକ୍ଷ୍ମୀନାରାୟଣ ପଟେଲ ଓରଫ ଘନକୁ ଗିରଫ କରି ଗୋଟିଏ ବନ୍ଧୁକ ଜବତ କରିଛି । ସେହିପରି ରେଙ୍ଗାଲି ଗୁରୁପାଲିର ରୁସ୍ତମ କବାଡ଼ିବାଲାକୁ ଗିରଫ କରି ଗୋଟିଏ ମାଉଜର, ୧ ପିସ୍ତଲ ଓ ୧ଗୁଳି ଜବତ କରିଛି । ଶାସନ ଥାନା ପରମାଣପୁରର ଚାଷୀ ଦିଲୀପ ବଘାରଠାରୁ ଏକ ପିସ୍ତଲ ଜବତ କରାଯାଇଛି ।

ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନାର ଗଜପତିନଗର ବାସିନ୍ଦା ସୁନିଲ ମଲ୍ଲିକ ଓ ବିଲୁ ସାହୁଙ୍କଠାରୁ ଏକ ୭.୬ କ୍ୟାଲିବରର ମାଉଜର, ୨ଟି ମ୍ୟାଗାଜିନ ଓ ୩ଟି ଗୁଳି ଜବତ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version