Site icon Odisha.com

ଶାହା କମିଶନଙ୍କ ତୃତୀୟ ପର୍ଯ୍ୟାୟ ତଦନ୍ତ ଶେଷ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)-ଓଡ଼ିଶାରେ ହୋଇଥିବା କୋଟି କୋଟି ଟଙ୍କାର ଖଣି ଦୁର୍ନୀତି ସମ୍ପର୍କରେ ତଦନ୍ତ କରିବାପାଇଁ ଶାହା କମିଶନଙ୍କ ଆଜି ହେଉଛି ତୃତୀୟ ପର୍ଯ୍ୟାୟର ଶେଷ ଦିବସ ।

ଆଜିସୁଦ୍ଧା ସମସ୍ତ ଲୁହାପଥର ଖଣି କମ୍ପାନୀ ଓ କିଛି ଗୁରୁତ୍ୱ ପୂର୍ଣ୍ଣ ମାଙ୍ଗାନିଜ ଖଣି କମ୍ପାନୀଙ୍କ ଫାଇଲ ଯାଞ୍ଚ କାର୍ଯଶେଷ କରିବୁ ବୋଲି କହିଛନ୍ତି କମିଶନ ମୁଖ୍ୟ । ୧୪୫ଟି ଲୁହା ପଥର ଖଣି ଓ କିଛି ମାଙ୍ଗାନିଜ ଖଣିର କାଗଜପତ୍ର ଯାଞ୍ଚ ସରିଛି ।

ବାକି ୩୩ଟି ମାଙ୍ଗାନିଜ ଖଣିର କାଗଜ ପତ୍ର ଯାଞ୍ଚ ଆଜି ସରିପାରିବ ନାହିଁ । କମିଶନରଙ୍କର ଏହା ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଓଡ଼ିଶା ଗସ୍ତ ବୋଲି କୁହାଯାଉଥିଲେ ମଧ୍ୟ ପରିସ୍ଥିତି ପଡିଲେ ପୁଣିଥରେ ଆସି ପାରନ୍ତି ବୋଲି କହିଛନ୍ତି କମିଶନ ମୁଖ୍ୟ ଉପେନ୍ଦ୍ର କୁମାର ସିଂହ ।

ଟିମ୍ ମୁଖ୍ୟ କହିଛନ୍ତି ମଧ୍ୟବର୍ତୀ କାଳୀନ ରିପୋର୍ଟ ଦିଆଯିବ ନାହିଁ । ପୂର୍ଣ୍ଣାଙ୍ଗ ରିପୋର୍ଟ ଦିଆଯିବ । ଏଥର ଗସ୍ତରୁ ସଂଗୃହିତ ତଥ୍ୟ ବାବଦରେ ଜଷ୍ଟିସ ଏମ୍ ବି ସାହା ଓ କମିଶନଙ୍କ ସହ ଥିବା କିଛି ହାଇକୋର୍ଟ ଜଜ୍ଙ୍କ ସହ ଆଲୋଚନା ପରେ ପୁଣି ଓଡିଶା ଆସିବା ବାବଦରେ ନିସ୍ପତି ନିଆଯିବ । କମିଶନଙ୍କ ଟିମ୍ ଗତକାଲି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିଲେ ।

ଖଣିନିଦେ୍ର୍ଧଶକ ଦୀପକ ମହାନ୍ତିଙ୍କ ସୂତ୍ରରୁ ଜଣାପଡିଛି ଏହି ରିପୋର୍ଟ ଡିସେମ୍ବରମାସ ଶେଷ ସୁଦ୍ଧା ଆସିପାରେ ।

୩୦ ତାରିଖ ସନ୍ଧ୍ୟାରେ କମିଶନଙ୍କ ୬ ଜଣ ସଦସ୍ୟ ଭୁବନେଶ୍ୱରରେ ପହଞ୍ଚିଥିଲେ । ତଦନ୍ତକାରୀ ଦଳର ସଦସ୍ୟମାନେ ନଭେମ୍ବର ୧ ଓ ୨ ତାରିଖରେ କେନ୍ଦୁଝର ଜିଲାର କୋଇଡା ଖଣି ଅଞ୍ଚଳ ଗସ୍ତକରି ଖଣିର ସରଜମିନ ତଦନ୍ତ କରିଥିଲେ । ଅକ୍ଟୋବର ପ୍ରଥମ ସପ୍ତାହ ଗସ୍ତକାଳରେ ତାଙ୍କ ଦଳ ୮୩ଖଣିର କାଗଜପତ୍ର ଯାଞ୍ଚ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version