Site icon Odisha.com

ଆଦିବାସୀଙ୍କ ସ୍ୱାସ୍ଥ୍ୟ, କୃଷି ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍)-ଜାତି-ଜନଜାତି କଲ୍ୟାଣ ପରିଷଦ,ଓଡିଶା ତରଫରୁ ‘ଆଦିବାସୀମାନଙ୍କର ସ୍ୱାସ୍ଥ୍ୟ ଓ କୃଷି’ ଶୀର୍ଷକ ଆଜି ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ସ୍ଥାନୀୟ ୟୁନିଟ-୫ ସ୍ଥିତ ସଚିବାଳୟ କର୍ମଚାରୀ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଜାତି ଜନଜାତି ମାନଙ୍କର ସ୍ୱାସ୍ଥ୍ୟହାନି ଓ ନୂଆ ନୂଆ ରୋଗର ପିଡୀତ ହେବା ସେମାନଙ୍କ ପ୍ରଗତିର ମୂଖ୍ୟ ସମସ୍ୟା ରୂପେ ଛିଡା ହୋଇଥିବା କଥା ଆଲୋଚିତ ହୋଇଛି । ଏହି ବନ୍ଧୁମାନଙ୍କର ମୁଣ୍ଡପିଛା ଜମି ବର୍ଷକୁ ବର୍ଷ ଖଣି-ଖାଦାନ କାରଖାନା ବନ୍ଧ ଇତ୍ୟାଦି ନିର୍ମାଣ କାରଣରୁ କମି କମି ଯାଉଛି ।

ଫଳରେ ସେମାନଙ୍କର ମୁଖ୍ୟ କୃଷି ଭିତିକ ଜୀବିକା ନଷ୍ଟ ହୋଇଯାଉଛି । ଆଧୁନିକ କୃଷି ନାମରେ ରାସାୟନିକ ସାର ଔଷଧ ଇତ୍ୟାଦିର ବହୁଳ ପ୍ରୟୋଗ କାରଣରୁ କୃଷକ ସମାଜ ଅଧିକ ଖର୍ଚ୍ଚାନ୍ତ ହୋଇ ମରୁଛନ୍ତି ।

ଜନଜାତି ମାନଙ୍କ ଦ୍ୱାରାଉତ୍ପାଦିତ ଜୈବୀକ କୃଷି ଉତ୍ପାଦିତ ସ୍ଥାନରୁ କମ୍ ମୂଲ୍ୟରେ କ୍ରୟ କରାଯିବା ଯୋଗୁଁ ଉଭୟ ଜନଜାତି ଓ ସମସ୍ତ କୃଷକ ସମାଜକୁ ଉପଯୁକ୍ତ ସହାୟକ ମୂଲ୍ୟ ନାହିଁ ।

ଆଦିବାସୀମାନେ ସବୁ ସମୟରେ ସମାଜ ତଥା ରାଷ୍ଟ୍ର କଲ୍ୟାଣ ପାଇଁ କାମ କରିଆସୁଛନ୍ତି । ବତ ର୍ମାନ ସାମାଜିକ ସମନ୍ୱୟ ନିମନ୍ତେ ସେମାନଙ୍କର ଆର୍ଥିକ ଏବଂ ସାମାଜିକ ସୁରକ୍ଷା ଦେବାପାଇଁ ବକ୍ତାମାନେ ମତ ପୋଷଣ କରିଛନ୍ତି ।

ଏହି ଅବସରରେ ମାଙ୍କିଡିଆ ଆଦିମ ଜନଜାତିର ପ୍ରଥମ ମ୍ୟାଟ୍ରିକୁଲେଟ୍ ଏବଂ ସ୍ନାତକ ଛାତ୍ର ବାୟା ମାଙ୍କିଡିଆ ଏବଂ ବିଶିଷ୍ଟ ରୋଗୀ ସେବକ କୈଳାସ ଚନ୍ଦ୍ର ଷଡଙ୍ଗୀଙ୍କୁ ଅଙ୍ଗବସ୍ତ୍ର, ଶ୍ରୀଫଳ ଏବଂ ମାନପତ୍ର ଦେଇ ସମ୍ମାନୀତ କରାଯାଇଛି ।

ଅର୍ଜ୍ଜୁନ ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଜନଜାତି ଭାଷା ଓ ସଂସ୍କୃତି ପ୍ରତିଷ୍ଠାନ, ଓଡିଶାର ସଚୀବ ପ୍ରଫେସର ପ୍ରେମାନନ୍ଦ ପଣ୍ଡା ମୁଖ୍ୟ ଅତିଥି , କୃଷି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଆଗ୍ରୋନୋମିର ବିଭାଗୀୟ ମୁଖ୍ୟ ପ୍ରଫେସର ବାସୁଦେବ ବେହେରା ଓ ଡା.ସୂର୍ଯ୍ୟକାନ୍ତ ପାଟଯୋଶୀ ସମ୍ନାନୀତ ଅତିଥି ଏବଂ ଡ. ପରଜିତ୍ ସିଂହ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ ।

ସଂଗଠନର ରାଜ୍ୟ ସଂପାଦକ ବିଶ୍ୱାମିତ୍ର ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ରଘୁନାଥ ବେହେରା,ଶରତ ଲେଙ୍କା, ବୁଧରାମ ସିଂହ ପ୍ରମୁଖ ପରିଚାଳନା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

 

Exit mobile version