Site icon Odisha.com

ସବ୍ୟସାଚୀଙ୍କୁ ଧରିବା ପାଇଁ ପୁଲିସର ଅପରେସନ ଜୋରଦାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର,ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍)-ମାଓଦମନ ଅଭିଯାନରେ ଗଞ୍ଜାମ ଓ ଗଜପତି ପୁଲିସକୁ ବୁଧବାର ଦିନ ଏକ ବଡଧରଣର ସଫଳତା ମିଳିବାପରେ ଆଜି ଆହତ ମାଓନେତା ସବ୍ୟସାଚୀଙ୍କୁ ଧରିବା ପାଇଁ ପୁଲିସ ବାହିନୀ ପକ୍ଷରୁ ଜଙ୍ଗଲରେ କମ୍ବିଂ ଅପରେସନକୁ ଅଧିକ ଜୋରଦାର କରି ଦିଆଯାଇଛି ।

ମୁହାଁମୁହିଁ ସଂଘର୍ଷ ବେଳେ ଓଡିଶା ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ସମେତ ତାଙ୍କ ଦଳର କେତେକ ବରିଷ୍ଠ ମାଓନେତା ଖସି ଚାଲି ଯାଇଥିଲେ । ଆହତ ସବ୍ୟସାଚୀ ଜଙ୍ଗଲ ଭିତରେ ଲୁଚି ରହିଥିବା ଏବଂ ସେ ବେଶିଦୂର ଯାଇପାରିନଥିବା ଜାଣିପାରି ଏସଓଜି ଏବଂ ଡିଭିଏଫ ବାହିନୀ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।

ଡିଆଇଜି ଓ ଦୁଇ ଜିଲାର ପୁଲିସ ଜିଲାର ଅଧିକ୍ଷକମାନେ ଜଙ୍ଗଲରେ ଫୋର୍ସ ସହ ପହଞ୍ଚି ଦୀର୍ଘସମୟ ଧରି ଖୋଜାଖୋଜି କରିବା ପରେ ମାଓବାଦୀମାନଙ୍କ ମୃତଦେହକୁ ଠାବ କରିବା ପରେ ମୋହନା ଡାକ୍ତରଖାନାକୁ ଆଣିଥିଲେ ।

ଆଜି ସେହି ମୃତଦେହ ଗୁଡିକୁ ମୋହନାରୁ ବ୍ରହ୍ମପୁର ଅଣାଯାଇଛି । ସେହିପରି ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିବା ୨ଜଣ ଜବାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଛି ।

ସବ୍ୟସାଚୀଙ୍କ ପତ୍ନୀ ମିଲିପଣ୍ଡା ଏ ଘଟଣାନେଇ ପୋଲିସ ଡିଜିଙ୍କୁ ଭେଟିବାକୁ ଚାହିଁଛନ୍ତି । ସେ କହିଛନ୍ତି ଗାନ୍ଧୀବାଦି ନେତା ଏବଂ ଡିଜିଙ୍କୁ ସେ ପଚାରିବେ କାଲି ଯେଉଁ ଆକ୍ରମଣ ହୋଇଛି ତାହା କଣ ଶାନ୍ତିକଥା ପାଇଁ ଏକ ପ୍ରହସନ ଥିଲା କି ? ଛଳନା ଥିଲାକି ?

ମୋହନା ଥାନାଠାରୁ ୨୦ କିଲୋମିଟର ଦୂର ମଳାସପଦର ପଞ୍ଚାୟତ ଅନ୍ତର୍ଗତ ଭାଲିଆଗୁଡା ଗ୍ରାମ ନିକଟ ଜଙ୍ଗଲରେ ମାଓନେତା ସବ୍ୟସାଚୀ ପଣ୍ଡା ନିଜେ ଗଢିଥିବା ନୂତନ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ଏବଂ ପୁରୁଣା ସହଯୋଗୀମାନଙ୍କୁ ଏକାଠି କରିବା ପାଇଁ ଶିବିର ଆୟୋଜନ କରିଥିଲେ ।

ଗତକାଲି ରାତିରେ ଗଞ୍ଜାମ ଓ ଗଜପତି ଜିଲାର ବରିଷ୍ଠ ପୁଲିସ ପଦାଧିକାରୀ ସମେତ ଜିଲା ଭଲ୍ୟୁଣ୍ଟାରି ଫୋର୍ସ(ଡିଭିଏଫ) ଓ ଏସଓଜି ଜବାନମାନେ ମିଳିତ କମ୍ବିଂ ଆରମ୍ଭ କରିଥିଲେ ।

ସର୍ଚ୍ଚ ଅପରେସନ ବେଳେ ଭାଲିଆଗୁଡା ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀ ଏବଂ ପୁଲିସ ଫୋର୍ସ ମଧ୍ୟରେ ଘମାଘୋଟ ଲଢେଇ ଆରମ୍ଭ ହୋଇଥିଲା । ପ୍ରଥମେ ଲାଲବାହିନୀ ପକ୍ଷରୁ ଗୁଳି ବର୍ଷଣ ଆରମ୍ଭ ହୋଇଯାଇଥିଲା ।

ଏହାର ପାଲଟା ଜବାବ ପୁଲିସ ବାହିନୀ ପକ୍ଷରୁ ଦିଆଯାଇଥିଲା । ରାତି ତମାମ ଏନକାଉଣ୍ଟର ଚାଲିବା ପରେ ବୁଧବାର ସକାଳ ପ୍ରାୟ ସାଢେ ୧୦ଟା ବେଳେ ୫ଜଣ ମାଓବାଦୀ ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ । ମାଓବାଦୀଙ୍କ ପାଲଟା ଗୁଳିରେ ୨ ଜଣ ଜବାନ ମଧ୍ୟ ଆହତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version