Site icon Odisha.com

ବନବାସୀ କଲ୍ୟାଣ ଆଶ୍ରମ ତରଫରୁ ବିଶାଳ ଗଣଧାରଣା

ଗୋଲଖ ଚନ୍ଦ୍ର ଦାସ

ଭୁବନେଶ୍ୱର,ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍)-ବନବାସୀ କଲ୍ୟାଣ ଆଶ୍ରମ, ଓଡିଶା ତରଫରୁ ସୋମବାର ଦିନ ରାଜଭବନ ସମ୍ମୁଖରେ ଏକ ବିଶାଳ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ରାଜ୍ୟପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ନିକଟକୁ ଏକ ଚାରିଦଫା ସମ୍ବଳିତ ସ୍ମାରକ ପତ୍ର ମଧ୍ୟ ପଠାଯାଇଛି ।

ବନବାସୀ କଲ୍ୟାଣ ଆଶ୍ରମ ଦାବି କରିଛି ଯେ,ପ୍ରସ୍ତାବିତ ଖଣିଜ ସଂଶୋଧନ ବିଧେୟକ ୨୦୧୧ ରେ ପ୍ରକଳ୍ପ ପ୍ରଭାବିତ ଲୋକଙ୍କୁ କୋଇଲା ସହ ସମସ୍ତ ପ୍ରକାର ଖଣିଜ ସମ୍ପଦ ପାଇଁ ମଧ୍ୟ ଲାଭାଂଶର ୨୬% ଭାଗ ଦେବା ସୁନିଶ୍ଚିତ କରାଯାଉ ।

ଖଣିଜ ସଂପଦ ଉପଯୋଗ କରୁଥିବା ଶିଳ୍ପ ସଂସ୍ଥା ମାନଙ୍କ ଉପରେ ମଧ୍ୟ ଏହି ଲାଭାଂଶର ୨୬% ନୀତି ଲାଗୁ କରାଯଉ ।

ଖଣି ପରିଯୋଜନା (ପ୍ରକଳ୍ପ) ପ୍ରଭାବିତ ଲୋକଙ୍କ ଚୟନ ଏବଂ ଥଇଥାନ ସମିତିରେ ସ୍ଥାନୀୟ ସକ୍ରୀୟ ପ୍ରତିଷ୍ଠିତ ସ୍ୱେଛାସେବୀ ସଂଗଠନ ତଥା ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ରଖାଯାଉ ।

ପ୍ରସ୍ତାବିତ ବିଧେୟକରେ ରାଷ୍ଟ୍ରୀୟ ଖଣି ଟ୍ରିବୁନାଲ, ରାଜ୍ୟ ସ୍ତରୀୟ ଖଣି ଟ୍ରିବୁନାଲ ଏବଂ ସ୍ୱତନ୍ତ୍ର ଖଣି କୋର୍ଟ ମାନ ପ୍ରତିଷ୍ଠା କରି ଏ ସମ୍ବନ୍ଧୀୟ ବିଷୟକୁ ବିଚାର କରିବାର ପ୍ରାବଧାନ କରାଯାଉ ।

ସଂଗଠନର ରାଜ୍ୟ ସଭାପତି ଲଛମନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଶାଳ ଗଣଧାରଣାରେ ରାଜ୍ୟ ଉପସଭାପତି ପାଣୁ ମାଝି, ସାଧାରଣ ସଂପାଦକ ଡା. ଲକ୍ଷ୍ମୀକାନ୍ତ ଦାଶ, ସଂପାଦକ ଧନେଶ୍ୱର ମହାନ୍ତ, ରାୟଗଡା ଜିଲ୍ଲାର ଜନଜାତି ନେତା ବିଶ୍ୱନାଥ ପ୍ରଧାନ , କନ୍ଧମାଳ ଜିଲ୍ଲାର ଜନଜାତି ନେତା ସୁରେଶ ମିଶ୍ର, ଗଞ୍ଜାମ ଜିଲ୍ଲାର ଜନଜାତି ନେତା ରାଜେନ୍ଦ୍ର ମାଦଳା,କେନ୍ଦୁଝରର ମହିରାମ ମହାନ୍ତ, ଯାଜପୁରର ଶରଚ ଚନ୍ଦ୍ର ସାହୁ ପ୍ରମୁଖ କେନ୍ଦ୍ର ସରକାରଙ୍କ ସେହି ଷଡଯନ୍ତ୍ରକୁ ବିରୋଧ କରି ବକ୍ତବ୍ୟ ପ୍ରଦାନ କରିଥିଲେ ।

ସେମାନେ କହିଥିଲେ ଖଣି ଖନନ ପ୍ରଭାବିତ ଲୋକଙ୍କୁ୨୬% ଲାଭାଶଂରୁ କେନ୍ଦ୍ର ସରକାର ଓହରିବା ବନାଞ୍ଚଳ ବାସୀଙ୍କ ପ୍ରତି ବିଶ୍ୱାସଘାତ ଅଟେ । ସମଦର୍ଶୀ ବିକାଶ ଏବଂ ଜନଜାତି କ୍ଷେତ୍ରରେ ଶାନ୍ତି ପାଇଁ ସରକାର ମୂଳ ପ୍ରସ୍ତାବରେ ସଂଶୋଧନ କରନ୍ତୁ ।

ବନାଞ୍ଚଳରେ ହିଁ ଭାରତରେ ପ୍ରାଚୁର୍ଯ୍ୟ ଖଣିଜ ସମ୍ପଦ ଭରି ରହିଛି । ଏହି ଖଣିଜ ସଂପଦ ସଂଗ୍ରହ ପାଇଁ ବନାଞ୍ଚଳରେ ବାସ କରୁଥିବା ଜନଜାତି ତଥା ଅନ୍ୟ ଅଧିବାସୀ ମାନଙ୍କୁ ସେମାନଙ୍କର ଏକମାତ୍ର ସହାୟ ଭିଟାମାଟି, ଚାଷଜମି ଏବଂ ଆଖପାଖର ଜଙ୍ଗଲକୁ ଛାଡି ବିସ୍ଥାପିତ ଏବଂ ଅସହାୟ ହେବାକୁ ପଡିଥାଏ ।

ସରକାରଙ୍କର ଦୁର୍ବଳ ପୂନର୍ବାସ ନୀତି ଯୋଗୁଁ ମାତ୍ର ୨୫% ଜନଜାତିର ଲୋକ ଏବେ ସୁଦ୍ଧା ପୁନଃ ସ୍ଥାପିତ ହୋଇ ପାରିଛନ୍ତିି । ଅନ୍ୟ ପକ୍ଷରେ ଖଣି ମାଲିକ ତଥା ଖଣିଜ ସଂପଦ ଉପଯୋଗ କରୁଥିବା ଶିଳ୍ପ ସଂସ୍ଥା ଏବଂ ଶିଳ୍ପପତିମାନେ କୋଟି କୋଟି ଟଙ୍କାର ଲାଭ ଅର୍ଜନ କରି ଚାଲିଥିଲେ ମଧ୍ୟ ସେ ଅଞ୍ଚଳର ବିସ୍ଥାପିତଙ୍କର ବିକାଶରେ ଚେଷ୍ଟିତ ନାହାଁନ୍ତି ।

ଫଳରେ ବନାଞ୍ଚଳରେ ଅଶାନ୍ତି କୁହୁଳି ଚାଲିଛି । ସେମାନଙ୍କର ଅବସ୍ଥାରେ ପରିବର୍ତନ ପାଇଁ ରାଷ୍ଟ୍ରୀୟ ଖନନ ନୀତି ୨୦୦୮ ଗଠନ ପରେ ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ଆଇନ ୧୯୫୭ ର ସଂଶୋଧନ କରିବାର ବିଚାର କରାଯାଇ ତକ୍ରାଳୀନ ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କର ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀ୍ରଗୋଷ୍ଠୀ ଖଣି ପ୍ରଭାବିତ ଲୋକମାନଙ୍କୁ ଖଣିଜ ଲାଭର ୨୬% ଦେବାକୁ ନିଷ୍ପତି କରି ପ୍ରସ୍ତାବିତ ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ବିଧେୟକ ୨୦୧୧ ସଂସଦରେ ଉପସ୍ଥାପିତ କରାଯାଇଥିଲା ।

ଧୀଣ୍ଡାଶା ପଟେଲ ଖଣି ଇସ୍ପାତ ରାଷ୍ଟ୍ରମନ୍ତ୍ରୀ (ସ୍ୱତନ୍ତ୍ର) ଦାୟିତ୍ୱ ନେବାପରେ ଏଥିରେ ପରିବର୍ତନ ଆଣି କେବଳ କୋଇଲା ଖଣି କ୍ଷେତ୍ରରେ ୨୬% ଲାଭାଂଶ ଦେବା ପ୍ରସ୍ତାବ ରଖିଥିଲେ ।

ମାତ୍ର ସଂସଦରେ ଏହି ବିଲ୍ ପେଶ ହୋଇ ଖଣି ଏବଂ କୋଇଲା ବିଭାଗ ସଂସଦୀୟ ସ୍ଥାୟୀ ସମିତି ନିକଟରେ ବିଚାରାଧିନ ଥିବାବେଳେ ବିଭିନ୍ନ ଗଣମାଧ୍ୟମରେ ଯୋଜନା କମିଶନ ତଥା ଖଣି ମନ୍ତ୍ରାଣାଳୟ ସେହି ୨୬% ଲାଭାଂଶ ନଦେଇ ରୟାଲଟିର ସମାନ ଅର୍ଥ ଜିଲ୍ଲା ବିକାଶ ପାଣ୍ଠିକୁ ଦେବାପାଇଁ ପ୍ରାବଧାନ ଆଣିବାକୁ ମୂଳ ବିଲରେ ସଂଶୋଧନ ଚେଷ୍ଟା କରୁଥିବାର ପ୍ରକାଶିତ ହୋଇଛି ।

ଏହା ଅତ୍ୟନ୍ତ ସାଙ୍ଘାତିକ ଏବଂ ଖଣି ଦ୍ୱାରାପ୍ରଭାବିତ ବନାଞ୍ଚଳବାସୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କର ଚରମ ବିଶ୍ୱାସଘତକତା ଅଟେ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version