Site icon Odisha.com

ଏଫ୍ଡିଆଇକୁ ବିରୋଧକରି ବିଜେପିର ଧାରଣା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨୧ (ଓଡିଶା ଡଟ୍ କମ୍)- କେନ୍ଦ୍ର ସରକାର ଖୁଚୁରା ବ୍ୟବସାୟ କ୍ଷେତ୍ରରେ ୫୧% ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ଅଗ୍ରାଧିକାର ଦେଇଥିବାରୁ ଏହାକୁ ବିରୋଧକରି ରାଜଭବନ ସମ୍ମୁଖରେ ବିଜେପି ପକ୍ଷରୁ ଆଜି ଧାରଣା ଅନୁଷ୍ଠିତ ହୋଇଯାଇଛି ।

ଏହି ନିସ୍ପତି ଦ୍ୱାରାଚାଷୀ, କ୍ଷୁଦ୍ର ବ୍ୟବସାୟୀ ଏବଂ କ୍ଷୁଦ୍ର ଶିଳ୍ପସଂସ୍ଥାମାନେ ପ୍ରଭାବିତ ହେବେ ବୋଲି କହି ସରକାର ଏହି ନିସ୍ପତି ପ୍ରତ୍ୟାହାର କରନ୍ତୁ ବୋଲି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ବିଜେପି ତରଫରୁ ପ୍ରଦାନ କରାଯାଇଛି ।

ପାର୍ଟିର ରାଜ୍ୟ ସଭାପତି ଶ୍ରୀ ଜୁଏଲ ଓରାମ କହିଛନ୍ତି ଦରଦାମ ବୃଦ୍ଧି ସରକାର ବନ୍ଦ କରନ୍ତୁ । ଭ୍ରଷ୍ଟାଚାର ବନ୍ଦ କରାଯାଉ । ଆସନ୍ତାକାଲି ବିଜେପିର ସାଂସଦମାନେ ଏଫ୍ଡିଆଇକୁ ପାଲ୍ୟାମେଣ୍ଟରେ ବିରୋଧ କରିବେ । ସେଥିପାଇଁ ଦଳର ନିସ୍ପତି ଅନୁସାରେ ଆଜି ସାରା ଦେଶରେ ୬୦୦ଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତଥା କିଛି ପ୍ରମୁଖ ସହରମାନଙ୍କରେ ଏହି ଏକ ଦିବସୀୟ ଧାରଣା ଅନୁଷ୍ଠିତ ହୋଇଛି ।

ସେହି କ୍ରମରେ ଓଡିଶାର ୪୦ଟି ସ୍ଥାନରେ ଏହି ପ୍ରକାର ଧାରଣା ଅନୁଷ୍ଠିତ ହୋଇଛି । ଭାରତ ସରକାର ଖୁଚୁରା ବ୍ୟବସାୟରେ ୫୧% ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ଅନୁମତି ଦେଲେ ଦେଶର ଚାରି କୋଟି ଛୋଟ ଛୋଟ ଓ ନାମକୁ ମାତ୍ର କ୍ଷୁଦ୍ର ବ୍ୟବସାୟୀମାନେ ନିଜର ଜୀବିକା ହରାଇ ବସିବେ ।

ଭାରତ ଭଳି କୃଷି ପ୍ରଧାନ ଦେଶର ଚାଷୀ, ଉତ୍ପାଦନ କାରୀ ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନେ କ୍ଷତିଗ୍ରସ୍ତ ହୋଇ ଏହି କମ୍ପାନୀମାନଙ୍କ ଦ୍ୱାରାଶୋଷିତ ହେବେ । ଖୁଚୁରା ବ୍ୟବସାୟୀର ଭବିଷ୍ୟତ ଅନିଶ୍ଚିତ ହୋଇପଡିବ । ଦେଶରେ ବେକାର ସମସ୍ୟା ବୃଦ୍ଧି ଘଟିବ ।

ବିଶ୍ୱର ଯେଉଁସବୁ ଦେଶରେ ଏହିଭଳି କମ୍ପାନୀମାନେ ଖୁଚୁରା ବ୍ୟବସାୟରେ ପୁଞ୍ଜି ନିବେଶ କରି ପ୍ରବେଶ କରିଛନ୍ତି, ସେ ଦେଶ ଆଜି ସର୍ବସ୍ୱାନ୍ତ ହୋଇପଡିଛିି । ଆମ୍ ଜନତାଙ୍କ କଥା କହୁଥିବା କେନ୍ଦ୍ରର କଂଗ୍ରେସ ନେତୃତ୍ୱାଧିନ ଉପା ସରକାର ଡିଜେଲ୍ ଦର ବଢାଇବା ଏବଂ ଏଲ୍ପିଜି ସିଲିଣ୍ଡର ଉପରେ ସବସିଡି ବର୍ଷକୁ ୬ଟିରେ ସୀମିତ ରଖବା ଦୁର୍ଭାଗ୍ୟଜନକ ।

ଏହାଦ୍ୱାରାସରକାର ଦେଶର ସାଧାରଣ ଜନତାଙ୍କୁ ଧୋକା ଦେଇ ସେମାନଙ୍କ ଉପରେ ଆର୍ଥିକ ଆତଙ୍କବାଦ ଲଦି ଦେଇଛନ୍ତି ବୋଲି ଶ୍ରୀ ଓରାମ ପ୍ରକାଶ କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version