ଓଡିଶା ଡଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ନଭେମ୍ବର ୨୨ (ଓଡିଶା ଡଟ୍ କମ୍)- ଜଳକ୍ଲିଷ୍ଟ ରାଜ୍ୟବାସୀଙ୍କ ଆବଶ୍ୟକତା ଏବଂ ଜଳସେଚନ ପ୍ରତି ଆଖିବୁଜିଦେଇ ରାଜ୍ୟର ବିଭିନ୍ନ ନଦୀଜଳକୁ ଶିଳ୍ପାନୁଷ୍ଠାନ, ବିଦ୍ୟୁତ ପ୍ରକଳ୍ପ; ଏପରିକି ଲୁହାପଥର ପରିବହନ ପାଇଁ ଆବଣ୍ଟନ କରି ଚାଲିଥିବା ରାଜ୍ୟ ସରକାରଙ୍କ କଂପାନୀ ପ୍ରୀତି ଉପରେ ଜାତୀୟ ଗ୍ରୀନବେଞ୍ଚ ପ୍ରଥମ ଅଙ୍କୁଶ ଲଗାଇଛନ୍ତି ।
ଗତ ୨୧ ତାରିଖ ଦିନ ଗ୍ରୀନବେଞ୍ଚଙ୍କ କାର୍ଯ୍ୟକାରୀ ଅଧ୍ୟକ୍ଷ ମାନ୍ୟବର ଜଷ୍ଟିସ ଏ. ଏସ. ନାଇଡୁ ଏବଂ ବିଶେଷଜ୍ଞ ସଭ୍ୟ ଡଃ. ପି.ସି.ମିଶ୍ର – ମୁରଲୀ ଶର୍ମାଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରି ବ୍ରାହ୍ମଣୀ ରିଭର ପେଲେଟ ଲିମିଟେଡ ବିଆରପିଏଲକୁ ପାଣି ଦେବାଉପରେ ନିଷେଧାଦେଶ ଜାରି କରିବା ସହ ପରିବେଶ ମଞ୍ଜୁରୀ ପୂର୍ବରୁ ପୂର୍ବୋକ୍ତ କଂପାନୀର ନିର୍ମାଣ କାର୍ଯ୍ୟକୁ ମଧ୍ୟ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି ।
ପ୍ରକାଶଥାଉକି, ବର୍ଷର ତିରୋଟ ୬ମାସ ସମୟରେ ବୈତରଣୀର ଜଳପ୍ରବାହ ଅତ୍ୟନ୍ତ କ୍ଷୀଣହେଉଥିବା କାରଣରୁ ଏହା ଉପରେ ନିର୍ଭରଶୀଳ ଓଡ଼ିଶାର ପାଞ୍ଚଟି ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାର ଲକ୍ଷ ଲକ୍ଷ ଜନସାଧାରଣ ଜଳକ୍ଲେଶ ଜନିତ ସମସ୍ୟା ଭୋଗୁଛନ୍ତି ।
ବିଶେଷକରି ଏହି ନଦୀ ଉପରେ ନିର୍ମାଣାଧୀନ କାନପୁର ଜଳସେଚନ ଯୋଜନା ଏବଂ ଆନନ୍ଦପୁର ବ୍ୟାରେଜ ଦ୍ୱାରାରାଜ୍ୟର ଏକ ବିସ୍ତୃତ ଅଞ୍ଚଳ ଜଳସେଚନର ସୁଯୋଗ ପାଇବାକୁ ଥିବା କାରଣରୁ ବୈତରଣୀରେ ଯଥେଷ୍ଟ ଜଳପ୍ରବାହର ଆବଶ୍ୟକତା ରହିଛି ।
କିନ୍ତୁ ରାଜ୍ୟ ସରକାର ବିଆରପିଏଲ, ଏସାରଷ୍ଟିଲ, ଜିନ୍ଦଲ ଷ୍ଟିଲ ସମେତ ବହୁକଂପାନୀକୁ ବୈତରଣୀ ଜଳ ଆବଣ୍ଟନ କରିଛନ୍ତି । ବିଆରପିଏଲ ଏବଂ ଏସାର ଷ୍ଟିଲ ବୈତରଣୀ ପାଣି ସାହାଯ୍ୟରେ ଲୌହ ପ୍ରକ୍ରିୟାକରଣ ସହ ସ୍ଲରୀ ପାଇପଯୋଗେ ଲୁହାପଥର ପରିବହନ ପାଇଁ ବୈତରଣୀ ପାଣିର ଉପଯୋଗ କରିବାକୁ ଯାଉଥିବାରୁ ଏହା ବୈତରଣୀ ଅବବାହିକାର ଲକ୍ଷ ଲକ୍ଷ ଲୋକଙ୍କୁ ଚିନ୍ତିତ କରିଛି ।
ଏହା ଫଳରେ ତିରୋଟ ସମୟରେ ନଦୀ ପ୍ରାୟ ଜଳଶୂନ୍ୟ ହୋଇଯିବ ଏବଂ ଏହା ଉପରେ ନିର୍ଭର କରୁଥିବା ଲୋକେ ପାନୀୟଜଳ, ଦୈନନ୍ଦିନ ବ୍ୟବହାର ତଥା ଜଳସେଚନ ପାଇଁ ଯଥେଷ୍ଟ ପାଣି ପାଇପାରିବେ ନାହିଁ ବୋଲି ଆଶଙ୍କା ଦେଖା ଦେଇଛି ।
ଓଡ଼ିଶାର ଗଙ୍ଗାନାମରେ ଅଭିହିତ ବୈତରଣୀର ଅସ୍ତିତ୍ୱ ପ୍ରତି ବିପଦଦେଖି ରାଜ୍ୟର ସାଧୁସନ୍ଥମାନେ ମଧ୍ୟ ଚିନ୍ତିତ ହୋଇଛନ୍ତି । ଏହି ଜନ ଅସନ୍ତୋଷକୁ ଆଖି ଆଗରେ ରଖି ବୈତରଣୀ ବଞ୍ଚାଅ ଆନ୍ଦୋଳନ ଏବଂ ବୈତରଣୀ ସୁରକ୍ଷା ମଞ୍ଚ ପକ୍ଷରୁ ଗତ ୩ ବର୍ଷ ଧରି ଆନେ୍ଦାଳନ ଚାଲି ଆସିଛି ।
ବୈତରଣୀ ବଞ୍ଚାଅ ଆନ୍ଦୋଳନର ଆବାହକ ମୁରଲୀ ଶର୍ମା, ବୈତରଣୀ ସୁରକ୍ଷା ମଞ୍ଚର ସଂଯୋଜକ ସର୍ବେଶ୍ୱର ମିଶ୍ରଙ୍କ ମିଳିତ ଉଦ୍ୟମରେ ରାଜ୍ୟର ପ୍ରମୁଖ ସନ୍ଥ ସ୍ୱାମୀ ବିଶ୍ୱମ୍ଭର ଦାସ, ସ୍ୱାମୀ ରାମକୃଷ୍ଣ ଦାସ, ପର୍ଶୁରାମ ଦାସ, ମହନ୍ତ ଭକ୍ତିଚକୋର ଗୋସ୍ୱାମୀ, ସ୍ୱାମୀ ସନ୍ତୋଷ ଚୈତନ୍ୟ ମହାରାଜ, ଓଡ଼ିଶା ସାଧୁସମାଜର ସଂଯୋଜକ ଶରତ ଜୟସିଂ ପ୍ରମୁଖଙ୍କୁ ନେଇ ଏହି ପୁଣ୍ୟତୋୟା ନଦୀର ଉଦଗମ ସ୍ଥଳ ଗୋନାସିକା ଠାରୁ ଏକ ଯାତ୍ରା ଆରମ୍ଭ ହୋଇଥିଲା ।
ବହୁସଂଖ୍ୟକ ଆଦିବାସୀଙ୍କ ସମେତ ହଜାର ହଜାର ଜନସାଧାରଣ ବିଭିନ୍ନ ସ୍ଥାନରେ ଏହି ଯାତ୍ରାରେ ସାମିଲ ହେବା ସହ ବୈତରଣୀ ପାଣିକୁ ଉପରୋକ୍ତ କଂପାନୀମାନଙ୍କୁ ଛାଡ଼ି ନ ଦେବା ପାଇଁ ଶପଥ ନେଇଥିଲେ ।
କିନ୍ତୁ ରାଜ୍ୟସରକାରଙ୍କ ଅହେତୁକ ଅନୁକଂପା ପାଇଥିବା ଏହି କଂପାନୀମାନେ ପରିବେଶ ମଞ୍ଜୁରୀ ବିନା ସେମାନଙ୍କର ନିର୍ମାଣକାର୍ଯ୍ୟ ଆଗେଇ ନେଲେ, ପରବର୍ତୀ କାଳରେ ବିଜେପି ଏହି ଆନ୍ଦୋଳନରେ ସାମିଲ ହୋଇଥିଲା ।
ଜିଲ୍ଲାର ମୁଖ୍ୟାଳୟଠାରେ ର୍ୟାଲି କରାଯିବା ସହ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ସଭାପତି ରାଜନାଥ ସିଂହ ବଡ଼ବିଲଠାରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ନିଜେ ଜଣେ ‘କିଷାନକା ବେଟା’ ହୋଇଥିବାରୁ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।
ବିଭିନ୍ନ ପ୍ରକାର ଆନ୍ଦୋଳନ, ପ୍ରତିବାଦ ଓ ନିବେଦନ ସତ୍ୱେ କଂପାନୀମାନେ ସେମାନଙ୍କ ବେଆଇନ ନିର୍ମାଣ କାର୍ଯ୍ୟ ବନ୍ଦ ନ କରିବାରୁ ଆଇନର ବିଭିନ୍ନ ଧାରା ଉପଧାରାର ଉଦ୍ଧୃତି ସହ ଶର୍ମା କେନ୍ଦୁଝରର ପୂର୍ବତନ ଜିଲ୍ଲାପାଳ ଡ଼ି.ଭି. ସ୍ୱାମୀଙ୍କ ଆଗରେ ସମସ୍ତ ତଥ୍ୟ ଉପସ୍ଥାପନ କଲାପରେ ସେ କଂପାନୀମାନଙ୍କୁ ନିର୍ମାଣ କାର୍ଯ୍ୟ ବନ୍ଦ କରିବାର ନିର୍ଦ୍ଦେଶ ଦେଇଥିଲେ ।
କିନ୍ତୁ ସ୍ୱାମୀଙ୍କ ବଦଳି ପରେ ଏହି କଂପାନୀମାନେ ପୁଣିଥରେ ବେଆଇନ ନିର୍ମାଣକାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କଲେ । ଶେଷରେ ଶର୍ମା ରାଜ୍ୟର ଜଣେ ପ୍ରବୀଣ ଆଡ଼ଭୋକେଟ ଶ୍ରୀ ବିଭୁ୍ରସାଦ ତ୍ରିପାଠୀଙ୍କ ମାଧ୍ୟମରେ ଜାତୀୟ ଗ୍ରୀନବେଞ୍ଚରେ ଏହି କଂପାନୀମାନଙ୍କୁ ବୈତରଣୀ ପାଣି ନଦେବା ପାଇଁ ଆବେଦନ କରିଥିଲେ ।
ଗ୍ରୀନ ବେଞ୍ଚର ଅଧ୍ୟକ୍ଷ ଜଷ୍ଟିସ ଏ.ଏସ. ନାଇଡୁ ଏବଂ ବିଶେଷଜ୍ଞ ସଭ୍ୟ ଡଃ. ପି.ସି. ମିଶ୍ର, ତ୍ରିପାଠୀଙ୍କ ବଳିଷ୍ଠ ଯୁକ୍ତି ଶୁଣିବା ପରେ ଏହି ମୋକଦ୍ଧମାକୁ ବିଚାରପାଇଁ ଗ୍ରହଣ କରି ଉପରୋକ୍ତ ନିଦେ୍ର୍ଧଶ ଦେବା ସହ ପ୍ରତିପକ୍ଷଙ୍କୁ ନୋଟିସ ଜାରିକରି ଏସାରଷ୍ଟିଲ ଓ ଜିନ୍ଦଲ ବିରୁଦ୍ଧରେ ପୃଥକ ଆବେଦନ କରିବା ପାଇଁ ଆବେଦନକାରୀଙ୍କୁ ପରାମର୍ଶ ଦେଇଛନ୍ତି ।
ପରବର୍ତୀ ତାରିଖ ଆଗାମୀ ଡିସେମ୍ବର ୨୦କୁ ଧାର୍ଯ୍ୟ କରାଯାଇଛି ।
ଓଡିଶା ଡଟ୍ କମ୍
Leave a Reply