Site icon Odisha.com

ଧୁଲ୍ କେ ଫୁଲ୍ : ବସ୍ତି ପ୍ରତିଭା ଲୋକଲୋଚନକୁ ଆଣିବାର ପ୍ରୟାସ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୪(ଓଡିଶା ଡଟ୍ କମ୍)- ବସ୍ତିରେ ରହୁଥିବା ଶିଶୁମାନଙ୍କୁ ସୁସ୍ଥ ଓ ସୁରକ୍ଷିତ ବାତାବରଣ ପ୍ରଦାନ କରିବାର ଲକ୍ଷ୍ୟନେଇ ଦେଶବ୍ୟାପୀ ଆରମ୍ଭ ହୋଇଥିବା “ହମାରା ବଚ୍ପନ” ମୋର୍ଚ୍ଚାର ଏକ ବିଶେଷ ପ୍ରସ୍ତୁତି ଭାବରେ “ଧୁଲ୍ କେ ଫୁଲ” କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ପ୍ରଦର୍ଶନୀ ପଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

“ଧୁଲ୍ କେ ଫୁଲ୍”ର ପ୍ରତିଭାମାନେ ଆଜି ରାଜ୍ୟସ୍ତରୀୟ ଏହି ସମ୍ମାନଜନକ ମଞ୍ଚରେ ନିଜ କଳାର ପ୍ରଦର୍ଶନ କରିବାର ସୁଯୋଗ ପାଇଛନ୍ତି । ସିଆଇଆଇ ଦ୍ୱାରା ଆୟୋଜିତ ହେଉଥିବା ଏଂଟ୍ରପ୍ରାଇଜ ଓଡିଶାର ଆଜିର ସଂଧ୍ୟାରେ ରାଜଧାନୀର ବିଭିନ୍ନ ବସ୍ତିର କୁନି କୁନି ପ୍ରତିଭାମାନେ ନିଜ ଲୁକ୍କାୟିତ ପ୍ରତିଭାର ପରାକାଷ୍ଠା ପ୍ରଦାନ କରିଛନ୍ତି ।

ସ୍ଥାନୀୟ ସାଲିଆ ସାହି, ନୁଆପଲ୍ଲୀ ସବର ବସ୍ତି, ନିଳକଣ୍ଠନଗର ମୁଣ୍ଡା ସାହି ତଥା ଅନ୍ୟାନ ଅଞ୍ଚଳରୁ ଆସିଥିବା ଏହି ୧୬ଜଣ ପ୍ରତିଭା ଆଜି ସଂଗୀତ ତଥା ନୃତ୍ୟରେ ପ୍ରଦର୍ଶନୀ ପଡିଆର ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲେ ।

ଏପରି ଏକ ମଞ୍ଚରେ ନୃତ୍ୟ କରିବା ଦିନେ ଶ୍ରୀନିବାସ ଓ ସସ୍ମିତା ପରି ପିଲାମାନଙ୍କ ସ୍ୱପ୍ନଥିଲା ମାତ୍ର “ଧୁଲ୍ କେ ଫୁଲ୍” ସେମାନଙ୍କ ସବୁ ସ୍ୱପ୍ନକୁ ସାକାର କରିବାର ଏକ ନୂତନ ରାହା ଦେଖାଇପାରିଛି । ଏକ ଚାହା ବିକାଳିର ପୁଅ ଶ୍ରୀନିବାସ ଓ ସାଧାରଣ କର୍ମଜିବୀ ପରିବାରୁ ଆସିଥିବା ସସ୍ମିତାଙ୍କ ଆଶା କୁ ଏକ ସଂପୁର୍ଣ୍ଣ ରୂପ ଦେଇପାରିଛି ଧୁଲ୍ କେ ଫୁଲ୍ ।

ସେହିପରି ଟିନାର ବାପା ଜଣେ ଡ୍ରାଇଭର ଭାବରେ ଟିନାକୁ ସବୁ ପ୍ରକାର ସୁଖ ଦେଇଆସିଥିବା ବେଳେ ତାହାର ସଂଗୀତର ଯାତ୍ରାକୁ ଏକ ନୂତନ ଦିଶା ଦେଖାଇପାରିଛି ଧୁଲ୍ କେ ଫୁଲ୍ । ସେହିପରି ଏକ ଖବରକାଗଜ ବିକ୍ରେତାଙ୍କ ଝିଅ ଟିନାର ଅଧୁରା ଆଶାକୁ ମଧ୍ୟ ପୁରା କରିବାର ରାହା ଦେଖାଇଛି ଧୁଲ୍ କେ ଫୁଲ୍ ।

ଏହି ଧୁଲ୍ କେ ଫୁଲ୍ ର ଯାତ୍ରାରେ ୪୫୦ ଜଣ ବିଭିନ୍ନ ବସ୍ତିର ପିଲା ସାମିଲ ହୋଇ ବିଭିନ୍ନ ପର୍ଯ୍ୟାୟରେ ଶେଷ ଫିନାଲ ଷ୍ଟେଜକୁ ୧୬ଜଣ ମନୋନିତ ହୋଇଥିଲେ । ନୃତ୍ୟ ଓ ସଂଗୀତ ଉଭୟ ବିଭାଗରେ ଉଶ୍ଚୁକତା ଦେଖାଇ ଏହି ପିଲାମାନେ ସମବେତ ଜନତାଙ୍କ ମନ ମୋହିପାରିଥିଲେ ।

ବସ୍ତିରେ ରହୁଥିବା ପିଲାମାନଙ୍କୁ ଏକ ଉପଯୁକ୍ତ ବାତାବରଣ ପ୍ରଦାନ କରି ସେମାନଙ୍କୁ ନିଜ ପ୍ରତିଭାର ବିକାଶ କରାଇବାର ଦିଗରେ ଅଗ୍ରସର କରାଇବା ଏହି ଅଭିଯାନର ଲକ୍ଷ୍ୟ । ଭୁବନେଶ୍ୱରସ୍ଥ ୟୁଥ୍ ଡେଭଲପମେଣ୍ଟ ଫାଉଣ୍ଡେସନର ଏହି ଅଭିଯାନରେ ହମାରା ବଚପନ୍ ସହ ସଆଇଆ, ଫାଇଭ ଏଲିମେଂଟସ, ଟିମ୍ ପ୍ରମୁଖ ସହଯୋଗ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version