Site icon Odisha.com

ଅତିରିକ୍ତ ସିକ୍ୟୁରିଟୀ ଜମାନେଇ ଗ୍ରାହକ ଅସନ୍ତୋଷ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨୫(ଓଡିଶା ଡଟ୍ କମ୍)- ଦରବୃଦ୍ଧି ଆଉ ଗ୍ୟାସ କଟକଣା ପରେ ଏବେ ରାଜ୍ୟବାସୀଙ୍କୁ ଘାରିଛି ବିଜୁଳିର ଚିନ୍ତା । ମହଙ୍ଗା ବଜାରରେ ଘରଚଳାକୁ ନେଇ ଲୋକେ ନାକେଦମ ହୋଇ ଯାଉଥିବା ବେଳେ ‘ସେସୁ’ ର ବର୍ଦ୍ଧିତ ଶୁଳ୍କ ପାଇଁ ସିକ୍ୟୁରିଟୀ ଜମା ଗ୍ରାହକଙ୍କୁ ଏବେ ବଡ ଚିନ୍ତାରେ ପକାଇଛି ।

ସେସୁର ଏହି ନିସ୍ପତି ଉପରେ ପୂର୍ବତନ ଶକ୍ତିମନ୍ତ୍ରୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଏହା ଯୁକ୍ତିଯୁକ୍ତ ନୁହେଁ । ଗ୍ରାହକଙ୍କ ପ୍ରତି ଅନ୍ୟାୟ ହେଉଛି । ଏବେ ତ ଅନ୍ୟାୟରେ ପିଛିଲା ଟଙ୍କା ଆଦାୟ କରୁଛନ୍ତି । ପୁଣି ବର୍ଦ୍ଧିତ ଶୁଳ୍କ ପାଇଁ ସିକ୍ୟୁରିଟୀ ମାଗୁଛନ୍ତି । ଏହା ସାଧାରଣ ଗ୍ରାହକଙ୍କୁ ବାଧିବ ।

ସେସୁର ନିସ୍ପତିକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ଶକ୍ତିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ଆଜି ଯେଉଁ ପରିସ୍ଥିତି ଉପୁଜିଛି ସେ ସଂପର୍କରେ ବିଦ୍ୟୁତ ବିଭାଗ ଓ ଶକ୍ତି ବିଭାଗ ଆସନ୍ତା କାଲି ଏହାର ସମୀକ୍ଷା କରିବ । ଏହାର ସମୀକ୍ଷା ସରିଲାପରେ ସରକାର କିଛି ନା କିଛି ପଦକ୍ଷେପ ନେବେ ।

ରାଜ୍ୟର ୯ଟି ରାଜସ୍ୱ ଜିଲାରେ ବିଦ୍ୟୁତ ବଣ୍ଟନ ଦାୟିତ୍ୱ ସମ୍ଭାଳିଥିବା ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁନିଟ(ସେସୁ) ତା’ର ଗ୍ରାହକଙ୍କ ମୁଣ୍ଡରେ ଆଉ ଏକ ବୋଝ ଲଦିଛି । ‘ସେସୁ’ ଏବେ ପୁଣି ବର୍ଦ୍ଧିତ ଶୁଳ୍କ ପାଇଁ ସିକ୍ୟୁରିଟୀ ଜମା କରିବାକୁ ଗ୍ରାହକଙ୍କୁ ନୋଟିସ ଜାରି କରିଛି ।

ନୋଟିସ ଦିଆଯିବାର ୩୦ଦିନ ମଧ୍ୟରେ ସିକ୍ୟୁରିଟୀ ଜମା ନକଲେ ବିଦ୍ୟୁତ ବିଲ ପରିମାଣ ଉପରେ ୧୫ପ୍ରତିଶତ ସରଚାର୍ଯ୍ୟ ଭିଡ଼ାଯିବ ଏବଂ ଆବଶ୍ୟକସ୍ଥଳେ ବିଦ୍ୟୁତ ସଂଯୋଗ କାଟି ଦିଆଯିବ ବୋଲି ‘ସେସୁ’ ଏହି ନୋଟିସରେ ଉଲ୍ଲେଖ କରିଛି ।

ସେସୁର ଏହି ନୋଟିସ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଦ୍ୟୁତ ଗ୍ରାହକମାନେ ଅଦାଲତର ଆଶ୍ରୟ ନେବାକୁ ଧମକ ଦେଇଛନ୍ତି । ଆରମ୍ଭରୁ ବିଦ୍ୟୁତ ସଂଯୋଗ ସମୟରେ ସିକ୍ୟୁରିଟୀ ଜମା ଦିଆଯାଇଥିବା ବେଳେ ବର୍ଦ୍ଧିତ ଶୁଳ୍କ ପାଇଁ ପୁଣି ଥରେ ଅତିରିକ୍ତ ସିକ୍ୟୁରିଟୀ ଜମା ବେଆଇନ ବୋଲି ଗ୍ରାହକଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ।

ଓଡିଶା ଡଟ୍ କମ୍

Exit mobile version