Site icon Odisha.com

ଟେଲିଫୋନ ଟ୍ୟାପିଂକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧି

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨୫(ଓଡିଶା ଡଟ୍ କମ୍)-୨୦୦୮ ଡିସେମ୍ବର ୨୯ ତାରିଖରୁ ୨୦୧୨ ସେପ୍ଟେମ୍ବର ୧୨ ତାରିଖ ମଧ୍ୟରେ ରାଜ୍ୟ ସରକାର ୪୬୨୦ ଜଣଙ୍କ ଟେଲିଫୋନ ଟ୍ୟାପିଂ କରିଛନ୍ତି । ଘରୋଇ ବିଭାଗରୁ ସୂଚନା ଅଧିକାର ବଳରେ ମାନବାଧିକାର କର୍ମୀ ବିଶ୍ୱପ୍ରୀୟ କାନୁନଗୋ ଏହି ତଥ୍ୟ ହାସଲ କରିଛନ୍ତି ।

ତାଙ୍କୁ ମିଳିଥିବା ତଥ୍ୟ ଅନୁସାରେ ୨୦୦୦ରୁ ୨୦୦୮ ମଧ୍ୟରେ ୪୧୭ ଜଣଙ୍କର ଟେଲିଫୋନ ଟ୍ୟାପିଂ କରାଯାଇଛି । ଏହା ଦ୍ୱାରାବ୍ୟକ୍ତିଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଛି କହି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧିଦଳ ।

ରାଜ୍ୟରେ ସେଭଳି କୌଣସି ଜରୁରୀ କାଳୀନ ପରିସ୍ଥିତି ସୃଷ୍ଟି ହୋଇନାହିଁ ସରକାର କାହିଁକି ଏତେ ସଂଖ୍ୟାର ଫୋନ ଟ୍ୟାପିଂକଲେ ତାହାର ବିଚାର ବିଭାଗୀୟ ତଦନ୍ତ କରାଯାଉ, ବିଜେପି ବରିଷ୍ଠନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ।

ଶ୍ରୀ କାନୁନ୍ ଗୋ କହିଛନ୍ତି କେବଳ ଜରୁରୀ କାଳୀନ ପରିସ୍ଥିତି ଏବଂ ଜନସାଧାରଣଙ୍କ ସୁରକ୍ଷା ବିପଦଗ୍ରସ୍ତ ହେଲେ ସାମୟିକ ଭାବେ ଫୋନ ଟ୍ୟାପିଂ କରାଯାଇ ପାରିବ । ମାତ୍ର ସରକାର ତାହା ନକରି ମନଇଛା ଟ୍ୟାପିଂ କରି ଚାଲିଛନ୍ତି ।

ପିସିସି ସାଧାରଣ ସଂପାଦକ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ମନ୍ତ୍ରୀ ହୋଇଥିବାରୁ ସେ ଏଥିପାଇଁ ଦାୟୀ । ଏହି ଚାରି ବର୍ଷମଧ୍ୟରେ ସାଧାରଣ ନିର୍ବାଚନ ହୋଇଥିଲା । ନିର୍ବାଚନକୁ ଆଖିଆଗରେ ରଖି ମୁଖ୍ୟମନ୍ତ୍ରୀ ରାଜ୍ୟର ବିରୋଧି ଦଳର ନେତା, ସାମ୍ବାଦିକ ଓ ବିଭିନ୍ନ ଆନ୍ଦୋଳନକାରୀଙ୍କ ବାର୍ତାଳାପକୁ ଟ୍ୟାପିଂ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରୀକ ଓ ଅସାମ୍ବିଧାନିକ ।

ଓଡିଶା ଡଟ୍ କମ୍

Exit mobile version