Site icon Odisha.com

ବିବେକାନନ୍ଦଙ୍କ ୧୫୦ତମ ଜୟନ୍ତୀ ଅବସରରେ ବ୍ୟାପକ କାର୍ଯ୍ୟକ୍ରମ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨୫ (ଓଡିଶା ଡଟ୍ କମ୍)-ସ୍ୱାମୀ ବିବେକାନନ୍ଦଙ୍କ ୧୫୦ତମ ଜୟନ୍ତୀ ଅବସରରେ ସମଗ୍ର ଓଡିଶାରେ ୧୨ ଜାନୁଆରୀ ୨୦୧୩ ତାରିଖରୁ ୧୨ ଜାନୁଆରୀ ପର୍ଯ୍ୟନ୍ତ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

‘ଭାରତ ଜାଗ – ବିଶ୍ୱ ଜଗାଅ’ ସଂଗଠନ ରାଜ୍ୟର ପ୍ରତ୍ୟେକ ସହର ଏବଂ ଗ୍ରାମରେ ଏହି ଅବସରରେ ଶୋଭାଯାତ୍ରାମାନ ଆୟୋଜନ କରିବ, ସ୍ଥାନୀୟ ରୋଟାରୀ ଭବନରେ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ରାଜ୍ୟ ଅଧ୍ୟକ୍ଷ କର୍ଣ୍ଣେଲ୍ ଶରତ କୁମାର ମହାପାତ୍ର କହିିଛନ୍ତି ।

୧୮ ଫେବୃୟାରୀ ୨୦୧୩ ତାରିଖ ଦିନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦଦ୍ୱାରା‘ସାମୂହିକ ସୂର୍ଯ୍ୟ ନମସ୍କାର’ କରାଯିବ । ୧୧ ସେପ୍ଟେମ୍ବର ୨୦୧୩ ଦିନ ବିଶ୍ୱ ବନ୍ଧୁତ୍ୱ ଦିବସ (ଚିକାଗୋ ବକ୍ତୃତା ଦିବସ) ଉପଲକ୍ଷେ ଯୁବକମାନଙ୍କୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ‘ଭାରତ ଜାଗ ଦୋଡ଼’ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ସମାରୋହ କାର୍ଯ୍ୟକ୍ରମ ସମଗ୍ର ଓଡିଶାରେ ୨୦୧୪ ଜାନୁୟାରୀ ୧୨ ତାରିଖ ଦିନ ସମାରୋପ ହେବ ।

ଏହି ସମାରୋହ ଅଗଣିତ ଜନତାଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ନିଜ ନିଜର ବ୍ୟକ୍ତିତ୍ୱକୁ ପରିପ୍ରକାଶ କରିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଭାରତବର୍ଷର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ।

ଏହି କାର୍ଯକ୍ରମକୁ ସଫଳ କରିବା ପାଇଁ ରାଜ୍ୟର ବହୁ ବିଶିଷ୍ଟ ପ୍ରଶାସକ, ଶିକ୍ଷାବିତ୍, ସମାଜସେବୀ, ଚିକିତ୍ସକ, ସାହିତ୍ୟିକ, କଳାକାରଙ୍କ ସମେତ ଅନ୍ୟ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ପ୍ରମୁଖ ବ୍ୟକ୍ତି ସମୁହ ଏହି ସମାରୋହ ସମିତିର ସଦସ୍ୟ ରହିଛନ୍ତି । ଯାହାର ସଂପାଦକ ଅଛନ୍ତି ଶିକ୍ଷାବିତ୍ ଡ଼କ୍ଟର ଧୀରେନ୍ଦ୍ର ନନ୍ଦ ।

ଏହି ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଚଳିତ ମାସ ୧୬ ତାରିଖରେ ଏହାର ରାଷ୍ଟ୍ରୀୟ ସମିତି ମୋଟ ୭୦ ଜଣ ସଦସ୍ୟଙ୍କୁ ନେଇ ସଂରଚନା ହୋଇ ସାରିଛି ଯାହାର ଅଧ୍ୟକ୍ଷ ପରମ ପୂଜନୀୟା ମାତା ଅମୃତାନନ୍ଦମୟୀ ଦେବୀ ଏବଂ ୭ମ, ୮ମ ଓ ୯ମ ଲୋକସଭାର ପୂର୍ବତନ ସାଧାରଣ ସମ୍ପାଦକ ସମ୍ମାନନୀୟ ଡ଼କ୍ଟର ସୁବାସ କଶ୍ୟପ କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି ।

ତତ୍ ସହିତ ଦେଶର ଜଣେ ମହାନ୍ ବ୍ୟକ୍ତିତ୍ୱ ତଥା ଚିନ୍ତାନାୟକ ପ୍ରଫେସର ଅନିରୁଦ୍ଧ ଦେଶପାଣ୍ଡେ ଏହାର ରାଷ୍ଟ୍ରୀୟ ସମ୍ପାଦକ ଅଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ରାଜ୍ୟ ସଂପାଦକ ଡ଼କ୍ଟର ଧୀରେନ୍ଦ୍ର ନନ୍ଦ, ପ୍ରଚାର ବିଭାଗ ସଂପାଦକ ଅଶୋକ ସାହୁ, ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

Exit mobile version