Site icon Odisha.com

କାର୍ତିକ ପୂର୍ଣ୍ଣିମା ଅବସରେ ନଦୀ, ପୁଷ୍କରଣୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨୮(ଓଡିଶା ଡଟ୍ କମ୍)-କାର୍ତିକ ପୂର୍ଣ୍ଣିମା ଧର୍ମମାସର ଶେଷ ଦିନ । ଏହି ପରିପ୍ରେକ୍ଷୀରେ ଓଡିଶାର ବିଭିନ୍ନ ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇବା ସହ ବିଭିନ୍ନ ଦେବାଦେବୀଙ୍କୁ ମନ୍ଦିରରେ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ପୁରୀ ସମୁଦ୍ରରେ ବୁଡ ପକାଇଛନ୍ତି ଲକ୍ଷାଧିକ ଭକ୍ତ ।

ଭୁବନେଶ୍ୱରରେ ହଜାର ହଜାର ଭକ୍ତମାନେ ବୁଧବାର ଦିନ ପ୍ରତ୍ୟୁଷରୁ ବିନ୍ଦୁସାଗର, ଗୌରୀକୁଣ୍ଡ, ଗଙ୍ଗାଯମୁନା, ପାପାନାଶିନୀ, ମୁକ୍ତେଶ୍ୱର ଆଦି ପୁଷ୍କରିଣୀ ସହ ଦୟା ଓ ଗଙ୍ଗୁଆରେ ଡଙ୍ଗା ଭସାଇ ବୁଡ ପକାଇଥିଲେ । ଲିଙ୍ଗରାଜ ସମେତ ଅନେକ ମନ୍ଦିରରେ ରାତ୍ରି ସାଢେ ତିନିଟାରୁ ଖୋଲିଥିଲା ।

ଶ୍ରଦ୍ଧାଳୁମାନେ ବିଭିନ୍ନ ଦେବାଦେବୀ ମନ୍ଦିର ଯଥା ଲିଙ୍ଗରାଜ ମନ୍ଦିର, କେଦାରଗୌରୀ, ବାସୁଦେବ, କପିଳନାଥ ଆଦି ମନ୍ଦିର ଦର୍ଶନ କରିଥିଲେ । ଏହି ଅବସରରେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ,ସ୍ନେହୀ ସମାଜ ଆଦି ୫ଟି ଅନୁଷ୍ଠାନ ପକ୍ଷରୁ ବୋଇତ ବନ୍ଧାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ସେହିପରି ଶେଷ ସୋମବାର ଓ ବଡ଼ଓଷା ଯୋଗୁଁ ଧବଳେଶ୍ୱର ଜନଗହଳି ହୋଇଥିଲା । ପ୍ରଭୁ ଧବଳେଶ୍ୱରଙ୍କ ବଡ଼ସିଂହାର ବେଶ ଦେଖିବା ପାଇଁ ପ୍ରାୟ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । ଭିଡ ଏଭଳି ହୋଇଛି ଯେ ଶ୍ରଦ୍ଧାଳୁମାନେ ଝୁଲାପୋଲଠାରୁ ଦୁଇ କିଲୋମିଟର ପର୍ଯ୍ୟନ୍ତ ଲମ୍ବାଧାଡିରେ ଛିଡ଼ାହୋଇଥିଲେ ।

ପ୍ରଭୁଙ୍କ ବଡଓଷାରେ ବଡସିଂହାର ବେଶ କରାଯାଇଅଛି । ରାତି ୨ଟାରୁ ମନ୍ଦିର ଖୋଲାଯାଇ ପ୍ରଭୁଙ୍କ ନୀତି ଯଥା ସଙ୍କୁଡିଭୋଗ, ଆଳତି, ଖେଚୁଡ଼ିଭୋଗ ପ୍ରଭୃତି ସମାପନ ପରେ ମନ୍ଦିର ପହଡ ପଡ଼ିଥିଲା । ଭୋର ୩ଟାରୁ ମନ୍ଦିର ଖୋଲାଯାଇ ପ୍ରଭୁଙ୍କ ବଡସିଂହାର ବେଶ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁମାନଙ୍କ ପାଇଁ ମନ୍ଦିର ଖୋଲାଯାଇଥିଲା ।

ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ବଡ଼ସିଂହାର ବେଶ ଦେଖିବା ପାଇଁ ଝୁଲାପୋଲ ପାର୍ଶ୍ଵ ଲିଙ୍ଗାପଦା ଏବଂ ପାଇକରାପୁର ପାଶ୍ୱର୍ରୁ ତାପଣ୍ଡା ପୋଲ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗିଥିବା ବେଳେ ଏହି ସଂଖ୍ୟା ଆହୁରି ବଢିବାରେ ଯାଇଥିଲା ।

ଓଡିଶା ଡଟ୍ କମ୍

Exit mobile version