Site icon Odisha.com

ଦୁଇ ସଡକ ଦୁର୍ଘଟଣାରେ ୫ ମୃତ, ୪ ଗୁରୁତର

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଢେଙ୍କାନାଳ,ନଭେମ୍ବର ୨୮(ଓଡିଶା ଡଟ୍ କମ୍)-ଦୁଇଟି ସଡକ ଦୁର୍ଘଟଣାରେ ୫ ଜଣ ମୃତ୍ୟୁବରଣ କରିଥିବାବେଳେ ୪ ଜଣ ଗୁରୁତ୍ୱର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପୋଲିସ ସୂତ୍ରରୁ ପ୍ରକାଶ ।

ପୁରୁଣା କଟକ ସମ୍ବଲପୁର ରାସ୍ତାର ହିନ୍ଦୋଳ ଅନ୍ତର୍ଗତ କଂସରା ଗୋଡିସାହି ଠାରେ ମଙ୍ଗଳବାର ରାତିରେ ଏକ ମର୍ମତୁଦ ଦୁର୍ଘଟଣା ଘଟି ୩ ଜଣ ପ୍ରାଣ ହରାଇଛନ୍ତି ।

ମଇ ଧରପୁରରୁ ହିନ୍ଦୋଳ ଗୋବର୍ଦ୍ଧନପୁରକୁ ମିନିଟ୍ରକରେ ୫ଜଣ ଯାଉଥିବାବେଳେ ଗୋଡିସାହି ଠାରେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା ।

ଯାହାଫଳରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାପାଶ୍ୱରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ବାଡେଇ ହୋଇ ଯିବାରୁ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା ।

ବିଦ୍ୟୁତ ଚାର୍ଜଯୋଗୁଁ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ହିନ୍ଦୋଳରୁ ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ ହିନ୍ଦୋଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରିଥିଲା ।

ମାତ୍ର ସେଠାରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ସେମାନେ ହେଲେ ସୋନୁ ନାୟକ, ଶ୍ରୀବତ୍ସ ଭୋଇ ଓ ପିତାମ୍ବର ଭୋଇ । ଆହତ ସାଇକେଲ ଆରୋହୀ ଶ୍ରୀପଞ୍ଚ ସେଠୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ଦୁଇଜଣ ବିଭୂତି ପ୍ରଧାନ ଓ ବେଡା ଭୋଇ ଆହତ ହୋଇ ହିନ୍ଦୋଳ ଡାକ୍ତରଖାନାରେ ଚକିତ୍ସିତ ହେଉଛନ୍ତି ।

ଅନ୍ୟ ଏକ ଦୁର୍ଘଟଣା କଟକ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଯୁଜୁମରା ଥାନା ଅନ୍ତର୍ଗତ ରାମବଡମାଲ ଠାରେ ରାସ୍ତାକଡକୁ ଏକ ଟ୍ରକ ଓଲଟି ପଡିବାରୁ ଦଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତ୍ୱର ଆହତ ହୋଇଛନ୍ତି ।

ନାଲକୋରୁ ଆଲୁମିନିୟମ ବୋଝେଇକରି ଟ୍ରକଟି ଗୁଜୁାଟର ଅହମ୍ମଦାବାଦକୁ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା । ଘଟଣାସ୍ଥଳରେ ଟ୍ରକ ଡ୍ରାଇଭର ତଥା ଅନୁଗୁଳ ଜିଲ୍ଲା ଜରପଡା ଅଞ୍ଚଳର ସୁନିଲ ସାହୁ ଓ ତାଙ୍କ ସଂପର୍କୀୟ ରେଢାଖୋଲ ସହରର ଖଣ୍ଡାଢିପ ନିବାସୀ ପ୍ରଦୀପ ସାହୁଙ୍କର ମୃତ୍ୟୁ ଘଟିଛି ।

ଟ୍ରକରେ ଯାଉଥିବା ଅନୁଗୁଳର ରିଙ୍କୁ ସେଠ୍ ଆହତ ହୋଇଛନ୍ତି । ଯୁଜମରା ଥାନା ଆଇଆଇସି ଶବ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛନ୍ତି ।

ଓଡିଶା ଡଟ୍ କମ୍

Exit mobile version