Site icon Odisha.com

ପସ୍କୋ ପ୍ରକଳ୍ପକୁ ସମାଜସେବୀ ଆନ୍ନା ହଜାରେଙ୍କ ବିରୋଧ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଜଗତସିଂପୁର,ନଭେମ୍ବର ୩୦(ଓଡିଶା ଡଟ୍ କମ୍)-କେବଳ ପସ୍କୋ କଂପାନୀ ନୁହେଁ ସବୁ ବିଦେଶୀ କଂପାନୀ ଉପରେ ବ୍ରେକ ଲାଗିବା ଉଚିତ୍ । ଏହାଛଡା ଜମି ଅଧିଗ୍ରହଣ ନେଇ ଗ୍ରାମ ସଭାରେ ଅନୁମତି ପାଇଁ ଆଇନ ହେବା ଉଚିତ୍ ବୋଲି ଆନ୍ନା ହଜାରେ ତିନିଦିନିଆ ଓଡିଶା ଗସ୍ତରେ ଆସି ଜଗତସିଂପୁର ଠାରେ ଏହା କହିଛନ୍ତି ।

ଶୁକ୍ରବାର ନବନିର୍ମିତ କୃଷକ ସଂଗଠନ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ସମାବେଶରେ ଯୋଗଦେଇ ଆନ୍ନା କହିଛନ୍ତି ଆମର ଜମି ଖରାପ ହେଉଛି,ଆମର ପାଣି ଖରାପ ହେଉଛି,କଂପାନୀମାନଙ୍କ ଦ୍ୱାରାଆମର ସବୁ କିଛି ଖରାପ ହେଉଛି ଓ ଆମ ଅର୍ଥକୁ ସେମାନେ ଲୁଟକରି ନେଇ ଯାଉଛନ୍ତି ।

ଦିଲ୍ଲିରେ ବସି କମ୍ବା ବିଧାନସଭାରେ ବସି ସାଧାରଣ ଚାଷୀଙ୍କର ଜମି ନେଇ ପାରିବେ ନାହିଁ । ଯଦି ଜମି ନବାର ଅଛି ଗ୍ରାମ ସଭା ପାଇଁ ଆଇନ ତିଆରି କରିବାର ଅଛି । ସରକାର ସାଧରଣ ଜନତାଙ୍କୁ ଡରୁଛି । ଯଦି ଦେଶର ଜନତା ସଂଗଠିତ ହୋଇଯିବେ ଦୁର୍ନୀତି ଗସ୍ତ ସରକାର ଭାଙ୍ଗି ଯିବ । ତେଣୁ ଦୁର୍ନୀତିଗ୍ରସ୍ତ ଜନପ୍ରତିନିଧିଙ୍କୁ ଗାଦିଚୁ୍ୟତ କରିବାକୁ ଆନ୍ନା ଆହ୍ୱାନ ଦେଇଥିଲେ ।

ସେ କହିଲେ ଦେଶ ୬୫ ବର୍ଷ ହେବ ସ୍ୱାଧୀନ ହେଲାଣି । ଗୋରା ଯାଇଛନ୍ତି କଳା ଆସିଛନ୍ତି । ଦେଶର ଉନ୍ନତି ଅପେକ୍ଷା ଭଷ୍ଟ୍ରାଚାର ଅଧିକ ବଢ଼ିଛି । ତଳସ୍ତରରୁ ସଂସଦ ପର୍ଯ୍ୟନ୍ତ ଭ୍ରଷ୍ଟାଚାର ଭର୍ତି ହୋଇ ରହିଛି ।

ଦେଶର ଭ୍ରଷ୍ଟାଚାରକୁ ଦୂରୀଭୂତ କରିବାକୁ ହେଲେ ଯୁବଶକ୍ତିଙ୍କୁ ଅଣ୍ଟା ଭିଡ଼ିବାକୁ ପଡିବ । ତାଙ୍କ ଲଢ଼େଇ କେବଳ ଜନ ଲୋକପାଳ ବିଲରେ ସୀମିତ ତାହା ନୁହେଁ । ଭ୍ରଷ୍ଟାଚାରକୁ ମୂଳୋତ୍ପାଟନ କରିବା ପର୍ଯ୍ୟନ୍ତ ସେ ଲଢ଼ିବେ ।

ଦେଶର ଉନ୍ନତି କରିବାକୁ ହେବ । ଏହା ସହଜ ନୁହେଁ । ଏଥିପାଇଁ କେବଳ ଲାଠି, ଗୁଳିମାଡ଼ ଖାଇବାକୁ ହେବନି । ଜେଲ ଯିବାକୁ ପଡିବ । ଦେଶ ଏବେ ସେମାନଙ୍କର ବଳିଦାନ ଚାହୁଁଛି । ଯେଉଁମାନେ ଜେଲ ଯିବାକୁ ଓ ଗୁଳିମାଡ଼ ଖାଇବାକୁ ପ୍ରସ୍ତୁତ ସେମାନେ ଆଗେଇ ଆସନ୍ତୁ ବୋଲି ଆହ୍ୱାନ ଦେଇଥିଲେ ଅନ୍ନା ।

ସମାବେଶ ସ୍ଥଳରେ ଆନ୍ନା ପହଞ୍ଚିବା ପୂର୍ବରୁ ରାସ୍ତାସାରା ତାଙ୍କୁ ଉଛସ୍ୱିତ ସମ୍ପର୍ଦ୍ଧନା ଜ୍ଞାପନ କରାଯାଇଥିଲା । ନିର୍ଦ୍ଧାରିତ ସମୟରେ ଆନ୍ନା ପହଞ୍ଚିଥିଲେ ଜଗତସିଂପର ଗାନ୍ଧି ଛକରେ । ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ସେ ପହଞ୍ଚିଥିଲେ ଜିଲ୍ଲାପାଳ ପଡିଆରେ । ସେଠାରେ ଆନ୍ନାଙ୍କ ମୁହଁରୁ ବିପ୍ଲବର କଥା ଶୁଣିବାକୁ ଅନାଇ ବସିଥିଲେ ହଜାର ହଜାର ଚାଷୀ ।

ଓଡିଶା ଡଟ୍ କମ୍

Exit mobile version