Site icon Odisha.com

ଆଜିଠାରୁ ମାଓବାଦୀଙ୍କ ପିଏଲ୍ଜି ସପ୍ତାହ,ସୁରକ୍ଷା କଡାକଡି

ଓଡିଶା ଡଟ୍ କମ୍ ସମ୍ବାଦଦାତା

ମାଲକାନାଗିରି,ଡିସେମ୍ବର ୨(ଓଡିଶା ଡଟ୍ କମ୍)-ରବିବାର ଠାରୁ ଆରମ୍ଭ ହୋଇଛି ମାଓବାଦୀଙ୍କ ପିଏଲ୍ଜି ସପ୍ତାହ । ଏହାକୁ ଆଖି ଆଗରେ ରଖି ନକ୍ସଲ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲି ମାଲକାନାଗିରି ଏସ୍ ପି ଅବିନାଶ କୁମାର କହିଛନ୍ତି ।

ଏସ୍ ପି କହିଛନ୍ତି ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ତରଫରୁ ପାଳନ କରାଯାଉଥିବା ପିଏଲ୍ଜି ସପ୍ତାହ ଅବସରରେ କିପରି ଆଇନ ଶୃଙ୍ଖଳା ପରିସ୍ଥିତି ନଘଟୁ ସେଥିପାଇଁ ପୋଲିସକୁ ସଜାଗ ରଖାଯାଇଛି । ଜିଲ୍ଲା ପୋଲିସ, ଡିଭିଏଫ୍, ବିଏସ୍ଏଫ୍ ତରଫରୁ ସମସ୍ତ ଅଞ୍ଚଳରେ ପୋଲିସ କର୍ମୀମାନେ ମୁତୟନ ହୋଇଛନ୍ତି ।

ଜନସାଧାରଣମାନେ ଯେପରି ଭୟଭିତ ନହେବେ ସେଥିପାଇଁ କାର୍ଯ୍ୟାନୁଷ୍ଠାନମାନ ଗ୍ରହଣ କରାଯାଇଛି । ମାଲକାନାଗୀରିରୁ ମୋଟୁ, ଚିତ୍ରକୋଣ୍ଡା, କାଲିମେଳା ରାସ୍ତାରେ ଗାଡି ମଟର ଚଳାଚଳ କରୁନାହିଁ । କମ୍ଭି ଅପରେସନ ଚାଲିବା ସହ ଯାନବାହନ ଯାଞ୍ଚ କରାଯାଉଛି ।

ଜୟପୁରରୁ କନ୍ଧମାଳ ବସଚଳାଚଳ ବନ୍ଦ ରହିଛି । ଜୟପୁରରୁ ରାୟଗଡା ଦେଇ ବ୍ରହ୍ମପୁର, ଭୁବନେଶ୍ୱର, କଟକ ଆସୁଥିବା ବସ୍ ଆନ୍ଦ୍ରପ୍ରଦେଶ ଦେଇ ଚଳାଚଳ କରୁଛି । ଲମତାପୁଟ, ବୈପାରିଗୁଡା, ନାରାୟଣ ପାଟଣାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ରାୟଗଡାରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଗାଡି ଗୁଡିକ ଯାଞ୍ଚ ଚାଲଛି । କୋରାପୁଟ ସହରରେ ସାଧା ବେଶରେ ମୁତୟନ ହୋଇଥିବା ପୋଲିସ ସମସ୍ତ ଗାଡି ଯାଞ୍ଚ କରୁଛନ୍ତି ।

ଗଜପତି ଜିଲ୍ଲା ଦେଇ କୌଣସି ସରକାରୀ ବସ ଚଳାଚଳ କରୁନାହିଁ । ପାରଳାଖେମୁଣ୍ଡି ସମେତ ଜିଲ୍ଲାର ଅନ୍ୟ ସ୍ଥାନ ଗୁଡିକରେ ଘରୋଇ ବସ ଚଳାଚଳ କରୁଥିବା ବେଳେ ଦୋକାନ ବଜାର ଖୋଲା ରହିଛି ।

ଓଡିଶା ଡଟ୍ କମ୍

Exit mobile version