Site icon Odisha.com

ଦ୍ୱିତୀୟ ଦିନରେ ଜେଲ କର୍ମଚାରୀଙ୍କ ଆମରଣ ଅନଶନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୪(ଓଡିଶା ଡଟ୍ କମ୍)-ରାଜ୍ୟର ସମସ୍ତ ଜେଲର କର୍ମଚାରୀମାନଙ୍କ ଆମରଣ ଅନଶନ ଆଜି ଦ୍ୱିତୀୟ ଦିନରେ ପହଁଚିଛି । ଏହି ଅନଶନ ଯୋଗୁଁ ବ୍ରହ୍ମପୁର ଓ ରାଉରକେଲାରେ ପାଞ୍ଚ ଜଣ ଅନଶନକାରୀ ଅସୁସ୍ଥ ହୋଇ ପଡିଛନ୍ତି ।

ମଙ୍ଗଳବାର ଦିନ ବ୍ରହ୍ମପୁର କାରାଗାରରେ ଅନଶନରତ ଦୁଇ ଜଣ କର୍ମଚାରୀ ହଠାତ ଅସୁସ୍ଥ ହୋଇ ପଡିଥିଲେ । ଏହାପରେ ଜେଲ ପରିସରରେ କିଛି ସମୟ ପାଇଁ ଉତେଜନା ଦେଖାଦେଇଥିଲା । ଅସୁସ୍ଥ ହୋଇଥିବା ଦଦୁଇ ଜଣ ୱାଡର ହେଲେ ରଙ୍ଗନାଥ ପାଢୀ, ପ୍ରମୋଦ କୁମାର ମୁଦୁଲି । ଏଦୁଇଜଣଙ୍କୁ ଚିକିତ୍ସାପାଇଁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତିକରାଯାଇଛି ।

ଦାବି ପୁରଣ ହେଲା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ବହ୍ମପୁର ସର୍କଲ କମିଟି ସଭାପତି ତଥା ବ୍ରହ୍ମପୁର ମଣ୍ଡଳ କାରାଗାରର ଜେଲର ସୁଶାନ୍ତ କୁମାର ରାଉତ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଆଜିର ଘଟଣା ନେଇ ଉଚ୍ଚ କତୃପକ୍ଷଙ୍କୁ ଅବଗତ କରିବା ସହ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରନ୍ତୁ ।

ରାଉରକେଲା ସ୍ୱତନ୍ତ୍ର କାରାଗାରର କର୍ମଚାରୀମାନେ ମଧ୍ୟ ଅନଶନରେ ବସିରହିଛନ୍ତି । ସେମାନଙ୍କ ମଧ୍ୟରୁ ସଂଗଠନର ରାଉରକେଲା ଶାଖା ସଭାପତି ପ୍ରଫୁଲ କୁମାର ଜେନା ହଠାତ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଆଇଜିଏଚ୍ ରେ ଭର୍ତି କରାଯାଇଛି । ଏଠାରେ ମଧ୍ୟ ଆଉ ଦଦୁଇ ଜଣ କର୍ମଚାରୀ ଅସୁସ୍ଥ ହୋଇଥିଲେ ।

ଏହି ଅନଶନରେ ରାଜ୍ୟର ସମସ୍ତ ୯୧ଟି କାରାଗାରର ୧୪୦୦ କର୍ମଚାରୀ ସାମିଲ ହୋଇଛନ୍ତି । ନିଖିଳ ଓଡ଼ିଶା ଜେଲ କର୍ମଚାରୀ ସଂଘ ପକ୍ଷରୁ ସେମାନଙ୍କ ନ୍ୟାଯ୍ୟ ଦାବି ନେଇ ଏକାଧିକବାର ସରକାରଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା ବିଭିନ୍ନ ଆଳ ଦେଖାଇ ବରିଷ୍ଠ ଅଧିକାରୀମାନେ ଏହାକୁ ଏଡାଇ ଯାଉଥିଲେ ।

ବାରମ୍ବାର ପ୍ରତାରିତ ହେବା ପରେ ରାଜ୍ୟବ୍ୟାପୀ ଜେଲ କର୍ମଚାରୀମାନେ ୨୮ତାରିଖରୁ କଳାବ୍ୟାଚ ପରିଧାନ କରିଥିଲେ । ସରକାର ସେମାନଙ୍କ ଦାବି ପ୍ରତି କୌଣସି କର୍ଣ୍ଣପାତ ନ କରିବାରୁ ପୂୂର୍ବ ଘୋଷଣା ମୁତାବକ ସୋମବାର ଠାରୁ କର୍ମଚାରୀମାନେ ଆମରଣ ଅନଶନରେ ବସିଛନ୍ତି ବୋଲି ନିଖିଳ ଓଡିଶା ଜେଲ କର୍ମଚାରୀ ସଂଘ ସୂଚନା ଦେଇଛି ।

ଓଡିଶା ଡଟ୍ କମ୍

Exit mobile version