Site icon Odisha.com

ପଶ୍ଚିମ ଓଡିଶାରେ କୃଷକ ସଂଗଠନର ୪ ଘଣ୍ଟିଆ ବନ୍ଦ ପାଳନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ସମ୍ବଲପୁର,ଡିସେମ୍ବର ୪(ଓଡିଶା ଡଟ୍ କମ୍)-ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତି ତରଫରୁ ଏକକ ଧାନ ସଂଗ୍ରହ ନୀତି, ଚାଷୀଙ୍କୁ ବୋନସ, କୃଷି ବିମା ନୀତିରେ ପରିବର୍ତନ, ଫସଲ କ୍ଷତି ପୂରଣ ଆଦି ପନ୍ଦର ଦଫା ଦାବୀ ନେଇ ଆଜି ପଶ୍ଚମ ଓଡିଶାରେ ୪ ଘଣ୍ଟିଆ ବନ୍ଦ ପାଳନ ଅନୁଷ୍ଠିତ ହୋଇଯାଇଛି ।

ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିବା ସହ ସରକାରୀ ଅଫିସ ଘେରାଉ କରିଥିଲେ ସମ୍ବଲପୁର, ବରଗଡ, ବଲାଙ୍ଗୀର, ବୌଦ୍ଧ, ନୂଆପଡା କଳାହାଣ୍ଡିରେ ରାଜରାସ୍ତାକୁ ଓହ୍ଲାଇ ଚାଷୀ କେଉଁଠି ରାସ୍ତା ଅବରୋଧ କରିଛନ୍ତି ତ କେଉଁଠି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି ।

ଏହି ଆନ୍ଦୋଳନରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା ସହ ଅନୁଗୁଳ ଜିଲ୍ଲାର କୃଷକମାନେ ସାମିଲ ହୋଇଥିଲେ । ସମ୍ବଲପୁରରେ କୃଷକମାନେ ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଏହି ବନ୍ଦପାଳନ ଯୋଗୁଁ ରାସ୍ତାଉପରେ ହଜାର ହଜାର ଯାନବାହାନ ଅଟକି ରହିଥିଲା ।

ସମ୍ବଲପୁରରେ ଅନୁଷ୍ଠିତ କୃଷକମାନଙ୍କର ଏହି ଆନ୍ଦୋଳନ ଦିନ ୧୨ ଘଟିକାରେ ଆରମ୍ଭ ହୋଇଥିଲା । ଦୀର୍ଘ ୪ ଘଣ୍ଟା ଧରି ଚାଲିଲା ପ୍ରତିବାଦ,ଧାରଣା ଓ ନାରାବାଜି । ରାସ୍ତା ଅବରୋଧକରି ଚାଷୀମାନେ ରାସ୍ତାଉପରେ ପାଲା ଓ ଦାସକାଠିଆ ପରିବେଷଣ କରିଥିଲେ ।

ସମ୍ବଲପୁରର ରେମଟ ଛକ,ଗୋଶାଳା,ସିନ୍ଦୁର ପଙ୍କ,ଶାସନ,ରେଢାଖୋଲ,ମାନେଶ୍ୱର,ଧମା ଓ ନାକଟିଦେଉଳ ଅଞ୍ଚଳରେ ଏହି ବନ୍ଦ ପାଳନ କରାଯାଇଥିଲା ।

କୃଷକ ନେତା ସରୋଜ ବାବୁ କହିଛନ୍ତି ଯେ,କୃଷକମାନଙ୍କର ସମସ୍ୟା ସମାଧାନ ପାଇଁ ସରକାରଙ୍କର ଆନ୍ତରିକତା ନାହିଁ । ଏହା ବାରମ୍ବାର ପ୍ରମାଣିତ ହେଉଛି । ସରକାରଙ୍କୁ ଅନୁରୋଧ କରୁଛୁ ଦଳଗତ ଉର୍ଦ୍ଧକୁ ଉଠି ଚାଷୀମାନଙ୍କର ସମସ୍ତ ସମସ୍ୟା ଉପରେ ଆଲୋଚନା କରନ୍ତୁ ।

ବଲାଙ୍ଗିରରେ ଶତାଧିକ ଚାଷୀ କୋଷଳ କଳାମଣ୍ଡପ ପଡିଆରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । କୃଷକ ନେତା ବାବାଜୀ ଦାସ କହିଛନ୍ତି ଶୀଘ୍ର ମଣ୍ଡି ଖୋଲିବା ସହିତ ଧାନ କ୍ରୟ କରିବା,ବିମା ଟଙ୍କା ପ୍ରଦାନ,କପାର ମୂଲ୍ୟ ୫ହଜାର ଟଙ୍କା ଓ ଆଖୁର ମୂଲ୍ୟ ତିନି ହଜାର ଟଙ୍କା କରିବାକୁ ଆମ ତରଫରୁ ସରକାରଙ୍କ ନିକଟରେ ଦାବୀ ହୋଇଛି ।

ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଅଲେଖ ଚନ୍ଦ୍ର ପଢିଆରୀ କହିଛନ୍ତି କୃଷକମାନଙ୍କର ଦାବୀ ସରକାରଙ୍କ ନିକଟକୁ ପଠାଯାଇଛି ।

ଓଡିଶା ଡଟ୍ କମ୍

Exit mobile version