Site icon Odisha.com

ବୁଧବାର ଠାରୁ ବେଦାନ୍ତର ଆଲୁମିନା ପ୍ଳାଣ୍ଟ ବନ୍ଦ

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଳାହାଣ୍ଡି,ଡିସେମ୍ବର ୪ (ଓଡିଶା ଡଟ୍ କମ୍)-ଆସନ୍ତା କାଲି ବୁଧବାର ଦିନଠାରୁ କଳାହାଣ୍ଡିରେ ଥିବା ବେଦାନ୍ତର ଲାଞ୍ଜିଗଡ ଆଲୁମିନା କାରଖାନାରୁ ଉତ୍ପାଦନ ବନ୍ଦ ରଖାଯିବ ବୋଲି ବେଦାନ୍ତ ଆଲୁମିନାର ସିଓଓ ମୁକେଶ କୁମାର ଓଡିଶା ଡଟ୍ କମ୍ କୁ କହିଛନ୍ତି ।

ସେ କହିଛନ୍ତି ଗତମାସରେ ବେଦାନ୍ତ କତୃପକ୍ଷ ଛତିଶଗଡ ଓ ଗୁଜୁରାଟରୁ ଯେଉଁ ୯୦ ହଜାର ଟନ୍ ବକସାଇଟ୍ ଆଣିଥିଲେ ତାହା ଗତ ୨୮ ତାରିଖରେ ସରିଯାଇଛି । କଞ୍ଚାମାଲ ଯୋଗାଡ କରିବା ସମ୍ଭବ ହୋଇ ନପାରିବାରୁ ଲାଞ୍ଜିଗଡ କାରଖାନାରୁ ଆସନ୍ତା କାଲିଠାରୁ ଉତ୍ପାଦନ ବନ୍ଦ ରଖାଯିବ ।

ସିଓଓ କହିଛନ୍ତି କଞ୍ଚାମାଲ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ କଂପାନୀ ପୂର୍ବରୁ ଅନୁରୋଧ କରିଥିଲେ କିନ୍ତୁ ସରକାରଙ୍କ ତରଫରୁ କୌଣସି ସକରାତ୍ମକ ଆଶ୍ୱାସନା ମିଳିନାହିଁ । ଆଜି ବସିଥିବା ରାଜ୍ୟ ସରକାରଙ୍କ ମନ୍ତ୍ରୀଗୋଷ୍ଠୀଙ୍କର ବୈଠକରୁ ମଧ୍ୟ କୌଣସି ରାସ୍ତା ବାହାରି ପାରିନାହିଁ ।

ଖଣି ଓ ଇସ୍ପାତ ମନ୍ତ୍ରୀ ରଜନୀକାନ୍ତ ସିଂହ କହିଛନ୍ତି ମନ୍ତ୍ରୀଗୋଷ୍ଠୀ ବୈଠକ ଆଗକୁ ମଧ୍ୟ ବସିବ । ଯେପର୍ଯ୍ୟନ୍ତ ସରକାର କୌଣସି ଚୁଡାନ୍ତ ନିସ୍ପତି ନେଇ ନାହାଁନ୍ତି ସେ ସଂପର୍କରେ ବେଦାନ୍ତକୁ ନେଇ କିଛି କହିହେବନାହିଁ ।

ଓଡିଶା ଡଟ୍ କମ୍

Exit mobile version