Site icon Odisha.com

ବିଧାନସଭାରେ ଏଫ୍ଡିଆଇ ତାତି

ଭୁବନେଶ୍ୱର,ଡିସେମ୍ବର ୫(ଓଡିଶା ଡଟ୍ କମ୍)-ଖାଉଟି କ୍ଷେତ୍ରରେ ବିଦେଶୀ ପୁଞ୍ଜି ବିନିଯୋଗ ପ୍ରସଙ୍ଗକୁ ନେଇ ଲୋକସଭାରେ ଉପା ସରକାର ବିଜୟ ହୋଇଥିବା ବେଳେ ବୁଧବାର ଦିନ ବିଧାନସଭାରେ ଜୋରଦାର ଆଲୋଚନା ହୋଇଛି ।

ଏହି ପ୍ରସଙ୍ଗକୁ ନେଇ ବିଜେଡି,ବିଜେପି ଓ ସିପିଆଇ ସଦସ୍ୟ କେନ୍ଦ୍ରକୁ ସମାଲୋଚନା କରିଛନ୍ତି । ଅନ୍ୟ ପକ୍ଷରେ କଂଗ୍ରେସ ଏଫଡିଆଇ ସମର୍ଥନରେ ଦୃଢ ଯୁକ୍ତି ବାଢିଛି ।

ଶୂନ୍ୟକାଳରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରଫୁଲ ଘଡାଇ ଏହି ପ୍ରସଙ୍ଗ ଉତ୍ଥାପନ କରିଥିଲେ । ସେ କହିଲେ ଏଫ୍ଡିଆଇକୁ ବିଜେଡି ସମେତ ବହୁ ଦଳ ବିରୋଧ କରୁଛନ୍ତି ।

ବିଧାନସଭାରେ ମଧ୍ୟ ଏହା ବିରୋଧରେ ପ୍ରସ୍ତାବ ଗ୍ରହଣ କରାଯିବା ଦରକାର । ଓଡିଶାବାସୀ କଦାପି କଂଗ୍ରେସ ସରକାରର ଏହି ନିଷ୍ପତିକୁ ଗ୍ରହଣ କରିବେ ନାହିଁ ।

ଯେଉଁ ମନମୋହନ ସିଂହ ରାଜ୍ୟ ସଭାରେ ବିରୋଧିଦଳର ନେତା ଥିବାବେଳେ ଏଫିଡିଆଇକୁ ବିରୋଧ କରୁଥିଲେ,ସେ ଏବେ ପ୍ରଧାନମନ୍ତ୍ରୀ ଭାବେ ଏହାକୁ ସ୍ୱାଗତ କରୁଛନ୍ତି ।

ଏହା କାର୍ଯ୍ୟକାରୀ ହେଲେ ୧୨ କୋଟି ଲୋକ ବେକାର ହୋଇଯିବେ । ଦେଶର ଗରିବ ଲୋକ ଅଧିକ ଗରିବ ହେବେ । କ୍ଷୁଦ୍ର ବ୍ୟବସାୟୀଙ୍କ ବେଉସା ବୁଡିଯିବ ।

ବିଜେଡିର ପ୍ରଦୀପ ମହାରଥୀ କହିଥିଲେ ଯେ, କଂଗ୍ରେସ ଏବେ ବିଦେଶୀ ହାତରେ ବନ୍ଧା ପଡିଛି । ସୋନିଆ ଗାନ୍ଧୀ ବିଦେଶରୁ ଆସି ସୁଇସ ବ୍ୟାଙ୍କରେ ଟଙ୍କା ରଖିବା ପାଇଁ ଭାରତର ଗରିବ ଲୋକଙ୍କୁ ପଙ୍ଗୁ କରି ଦେଉଛି । ଲୋକେ କିନ୍ତୁ କଂଗ୍ରେସିଆଙ୍କ ବଦନ ଚିହ୍ନିଗଲେଣି ।

ଏମାନେ ଲୁଟପାଇଁ ଚନ୍ଦନମାରି ଲୋକଙ୍କୁ ଏଫ୍ଡିଆଇ ଲଣ୍ଠନ ଦେଖାଉଛନ୍ତି । କଂଗ୍ରେସ ପକ୍ଷରୁ ବିରୋଧିଦଳ ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ କହିଲେ ଯେ, ବୈଦେଶିକ ପୁଞ୍ଜି କ୍ଷେତ୍ରରେ ବିଜେଡି ଦୋମୁହାଁ ନୀତି ଅବଲମ୍ବନ କରୁଛି । ରାଜ୍ୟ ସରକାର ସବୁ କ୍ଷେତ୍ରରେ ବୈଦେଶିକ ପୁଞ୍ଜି ଖଟାଉଛନ୍ତି ।

କେବଳ ବଡ ଶିଳ୍ପ ନୁହେଁ,ଚାଷ କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର ବୈଦେଶିକ ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କରୁଛନ୍ତି । ବିଦେଶୀ ସହରରେ ମେଳା କରାଯାଇ ବିଦେଶୀ କଂପାନୀକୁ ଡାକି ଅଣାଯାଉଛି । ଏପଟେ କିନ୍ତୁ ବିରୋଧ କରାଯାଉଛି ।

କଂଗ୍ରେସର ସନ୍ତୋଷ ସିଂ ସାଲୁଜା, ନବକିଶୋର ଦାସ କହିଥିଲେ ଏଫ୍ଡିଆଇକୁ ବିରୋଧ କରାଯିବା ଠିକ୍ ନୁହେଁ । ଏହା ସ୍ୱାଗତ ଯୋଗ୍ୟ । ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ,ଡା ପ୍ରଫୁଲ ମାଝି ଏହାକୁ ସମର୍ଥନ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version