Site icon Odisha.com

ଫୋନ୍ ଟ୍ୟାପିଂ: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୬(ଓଡିଶା ଡଟ୍ କମ୍)-ରାଜନେତାଙ୍କ ଫୋନ ଟ୍ୟାପିଂ ନେଇ ଆଜି ବିଧାନସଭାରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି । କିଏ ଅପରାଧୀ,କିଏ ଦେଶଦ୍ରୋହୀ,କାହାର ନକ୍ସଲଙ୍କ ସହ ସମ୍ପର୍କ ଅଛି ତାହା ମୁଖ୍ୟମନ୍ତ୍ରୀ କୁହନ୍ତୁ । ନଚେତ୍ ବ୍ୟକ୍ତିଗତ ଅଧିକାର କ୍ଷୁର୍ଣ୍ଣ କରୁଥିବାରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇଛି ।

ଗୁରୁବାର ଦିନ ଶୂନ୍ୟକାଳରେ ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଲେ ଯେ, ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କୌଣସି ରାଜନେତାଙ୍କ ଫୋନ ଟ୍ୟାପିଂ କରାଯାଇ ପାରିବ ନାହିଁ ।

ମାତ୍ର ଓଡିଶାରେ ଚାରି ବର୍ଷ ମଧ୍ୟରେ ୪ ହଜାର ୬ଶହ ୨୦ ଲୋକଙ୍କ ଫୋନ ଟ୍ୟାପିଂ କରାଯାଇଛି । ସେମାନେ କିଏ ? ଏମାନଙ୍କ ମଧ୍ୟରୁ କିଏ ଅପରାଧୀ ତାହା ସ୍ପଷ୍ଟ ହେବା ଉଚିତ୍ ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରାମକୃଷ୍ଣ ହେଗ୍ଡେ ଓ ୟେଦୁରାପ୍ପା ମଧ୍ୟ ଫୋନ ଟ୍ୟାପିଂ କରିଥିବାରୁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ରାଜ୍ୟରେ କେଉଁ ଜରୁରୀ ପରିସ୍ଥିତି ସୃଷ୍ଟି ହେଲା ଯେ, ଏତେ ଲୋକଙ୍କ ଫୋନ ଟ୍ୟାପିଂ କରାଗଲା । ତାହା ଗୃହକୁ ଜଣାନ୍ତୁ ।

ଯଦି ମୁଖ୍ୟମନ୍ତ୍ରୀ ଏହାର ଉତର ନଦେବେ ତାହଲେ ରାଜନେତା ଫୋନଟ୍ୟାପିଂ ସତବୋଲି ଜଣାପଡିବ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ସିଂ କହିଥିଲେ ।

ଏହି ପ୍ରସଙ୍ଗକୁ ସମର୍ଥନ କରି ବିଜେପି ବିଧାୟକ କନକ ବର୍ଦ୍ଧନ ସିଂଦେଓ କହିଲେ ଯେ, ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଗୃହରେ ବିବୃତି ଦେବା ଆବଶ୍ୟକ । ଏହା ଅତ୍ୟନ୍ତ ଗୁରୁତର ବିଷୟ । ରାଜ୍ୟ ସରକାର ଏହି ଫୋନ ଟ୍ୟାପିଂକୁ ଜଣେ ଘରୋଇ ଅପରେଟର ଦ୍ୱାରାଆଉଟ୍ସୋର୍ସିଂ କରିଛନ୍ତି କି ନାହିଁ ତା ସ୍ପଷ୍ଟ କରନ୍ତୁ ।

କେଉଁ ଲୋକମାନଙ୍କ ଫୋନ୍ଟ୍ୟାପିଂ କରାଗଲା ସେହି ଫୋନ ନମ୍ବର ଗୃହକୁ ଦିଅନ୍ତୁ । କାହାର ନା ଦେବା ଦରକାର ନାହିଁ । କେଉ୍ଁମାନେ ଅପରାଧୀ,ଦେଶଦ୍ରୋହୀ ତାହା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ସିଂଦେଓ କହିଥିଲେ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ କଳ୍ପତରୁ ଦାସ ଏହି ସବୁ ଅଭିଯୋଗକୁ ଖଣ୍ଡନକରି କହିଲେ କୌଣସି ରାଜନେତାଙ୍କ ଫୋନ ଟ୍ୟାପିଂ ହୋଇନାହିଁ । ଅପରାଧ ରୋକିବା ପାଇଁ ଫୋନ ଟ୍ୟାପିଂ କରାଯାଇଛି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଏ ପ୍ରସଙ୍ଗରେ ତାଙ୍କ ମତ ରଖିଥିଲେ ।

ଓଡିଶା ଡଟ୍ କମ୍

Exit mobile version