Site icon Odisha.com

କାମରେ ଯୋଗଦେଲେ ବ୍ଲକ ଗ୍ରାଣ୍ଟ ସ୍କୁଲ ଶିକ୍ଷକ, କର୍ମଚାରୀ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୮(ଓଡିଶା ଡଟ୍ କମ୍)-୨୦୧୩-୧୪ଶିକ୍ଷାବର୍ଷରୁ ବ୍ଲକ ଗ୍ରାଣ୍ଟ ପରିବର୍ତେ ପ୍ରତ୍ୟକ୍ଷ ଅନୁଦାନ ବ୍ୟବସ୍ଥା ଲାଗୁ କରିବାକୁ ସରକାର ସମ୍ମତି ପ୍ରଦାନ କରିବାପରେ ଆଜିଠାରୁ କାମରେ ଯୋଗ ଦେଇଛନ୍ତି ରାଜ୍ୟ ବ୍ଲକ ଗ୍ରାଣ୍ଟ ସ୍କୁଲର ଶିକ୍ଷକ ଓ କର୍ମଚାରୀ ।

ବ୍ଲକ ଗ୍ରାଣ୍ଟ ବ୍ୟବସ୍ଥାକୁ ଉଠାଇ ପ୍ରତ୍ୟକ୍ଷ ଅନୁଦାନ ବ୍ୟବସ୍ଥା ଲାଗୁ କରିବାକୁ ସରକାର ନୀତିଗତ ନିଷ୍ପତି ନେଇଛନ୍ତି ବୋଲି ବିଧାନସଭାରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ରବିନାରାୟଣ ନନ୍ଦ ସୂଚନା ଦେଇଛନ୍ତି ।

ଏ ସଂର୍ପକରେ ମନ୍ତ୍ରୀ ଶ୍ରୀ ନନ୍ଦ ଶୁକ୍ରବାର ଦିନ ବିଧାନସଭାରେ କହିଛନ୍ତି,ଏହି ପରିପ୍ରେକ୍ଷୀରେ ଗତ ନଭେମ୍ବର ୨୩ତାରିଖରେ ହୋଇଥିବା କ୍ୟାବିନେଟ ନିଷ୍ପତିର ପୁନର୍ବିଚାର କରାଯିବାକୁ ନିଷ୍ପତି ନିଆଯାଇଛି ।

ସରକାରଙ୍କ ଏହି ନିଷ୍ପତି ଫଳରେ ରାଜ୍ୟରେ ଥିବା ୧୯୮୨ଟି ବ୍ଲକ ଗ୍ରାଣ୍ଟ ସ୍କୁଲର ୨୫ହଜାରରୁ ଅଧିକ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ । ୨୦୧୩ ଫେବୃଆରୀ ମାସ ସୁଦ୍ଧା କାବିନେଟରେ ଏହି ନୂତନ ବ୍ୟବସ୍ଥାକୁ ଉପସ୍ଥାପନ କରିବା ପାଇଁ ନିଷ୍ପତି ନିଆଯାଇଛି ।

ଏହି ନୂତନ ବ୍ୟବସ୍ଥାକୁ ରୂପାୟନ କରିବା ପାଇଁ ଦୁଇ ମାସ ସମୟ ଧାର୍ଯ୍ୟ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୮ବର୍ଷ ଧରି ବ୍ଲକ ଗ୍ରାଣ୍ଟ ପାଇ ଆସୁଥିବା ବିଦ୍ୟାଳୟର ଶିକ୍ଷକ କର୍ମଚାରୀମାନଙ୍କୁ ପ୍ରତ୍ୟକ୍ଷ ଅନୁଦାନ ବ୍ୟବସ୍ଥାର ପରିସରକୁ ଅଣାଯିବ । ସରକାରଙ୍କ ଏହି ଘୋଷଣାକୁ ଶିକ୍ଷକ ସଂଘ ସ୍ୱାଗତ କରିଛି ।

ସୂଚନାଯୋଗ୍ୟ, ଗତ ନଭେମ୍ବର ୨୩ତାରିଖର କ୍ୟାବିନେଟ ନିଷ୍ପତିକୁ ବିରୋଧ କରି ଶିକ୍ଷକ ସଂଘ ପକ୍ଷରୁ ଗତ୨୯ରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯାଇଥିଲା । ଏହାସହ ୩୦ ଓ ୩୧ ତାରିଖରେ ସମସ୍ତ ବିଧାୟକଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା । ଦାବି ପୂରଣ ପାଇଁ ଡିସେମ୍ବର ୧୦ ତାରିଖରେ ରାଜଧାନୀରେ ବିଶାଳ ସମାବେଶ କରାଯିବାକୁ ସଂଘ ନିଷ୍ପତି ନେଇଥିଲା ।

ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀ ସଂଘର ସଭାପତି ପ୍ରଶାନ୍ତ ମହାପାତ୍ର କହିଛନ୍ତି ଯେ ଏଥିପାଇଁ ଆମେ ସରକାରଙ୍କୁ ଧନ୍ୟବାଦ ଦେଉଛୁ । ଆଜି ଠାରୁ ସମସ୍ତ ବିଦ୍ୟାଳୟରେ ପାଠ ପଢାଇବା ସହ କାମରେ ଯୋଗଦେବା ପାଇଁ ମୁଁ ଆମର ସସସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ଅନୁରୋଧ କରୁଛି । ମାଟ୍ରିକ ପରୀକ୍ଷା ଓ ଟେଷ୍ଟ ପରୀକ୍ଷା କିପରି ସଫଳ ହେବ ସେଥିପାଇଁ ଶିକ୍ଷକମାନେ ଧ୍ୟାନଦିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version