Site icon Odisha.com

ଡାକ୍ତର ଅଭାବ ପୂରଣ ପାଇଁ ଆଡହକ୍ ନିଯୁକ୍ତି

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୮(ଓଡିଶା ଡଟ୍ କମ୍)-ରାଜ୍ୟର ତିନିଟି ଯାକ ମେଡିକାଲ କଲେଜରେ ପ୍ରଫେସର ଠାରୁ ଆରମ୍ଭ କରି ସହକାରୀ ପ୍ରଫେସର ପର୍ଯ୍ୟନ୍ତ ବହୁ ସଂଖ୍ୟକ ପଦ ଖାଲି ରହିଛି । ଆଡହକ ନିଯୁକ୍ତି ଦେଇ ଏହି ସମସ୍ୟାର ସମାଧାନ କରିବାକୁ ସରକାର ଚିନ୍ତା କରିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ଦାମୋଦର ରାଉତ ବିଧାନ ସଭାରେ ପ୍ରକାଶ କରିଛନ୍ତି ।

ରାଜର ସ୍ୱାସ୍ଥ୍ୟସେବା ସଂପର୍କରେ ବିରୋଧୀ ଦଳର ପ୍ରଶ୍ନର ଉତର ରଖି ଶୁକ୍ରବାର ରାଉତ ସୂଚନା ଦେଇ କହିଲେ ଯେ, ଡାକ୍ତରଙ୍କ ଅବସର ବୟସ ସୀମା ବୃଦ୍ଧି କରି ଡାକ୍ତର ଅଭାବ ସମସ୍ୟା ଦୂର କରିବାକୁ ଯୋଜନା କରାଯାଉଛି ।

ବିଧାୟକ ଅନୁପ କୁମାର ସାଏ, ଡାକ୍ତର ନୃସିଂହ ସାହୁ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ନିହାର ମହାନନ୍ଦ, ଫ୍ରଫୁଲ୍ଲ ମାଝୀ, ସନ୍ତୋଷ ସିଂହ ସାଲୁଜା ଓ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହଙ୍କ ଅତିରିକ୍ତ ପ୍ରଶ୍ନର ଉତରରେ ରାଉତ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିକାଶ ଓ ଖାଲି ପଡ଼ିଥିବା ଡାକ୍ତର ପଦ ପୂରଣ ନେଇ ସରକାର ପଦକ୍ଷେପ ନେଉଥିବା ପ୍ରକାଶ କରିଥିଲେ ।

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ଓଡିଶାରେ ଏକ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯୋଜନା କରାଯାଉଛି । ରାଜ୍ୟର ତିନିଟି ଯାକ ମେଡିକାଲ କଲେଜରେ ଫ୍ରଫେସର, ଆସୋସିଏଟ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଅନୁମୋଦିତ ପଦ ସଂଖ୍ୟା ୮୯୯ ଥିବାବେଳେ ସେଥିରୁ ୩୦୩ଟି ପଦ ଖାଲି ରହିଛି ।

୧୩୧ ପ୍ରଫେସର ପଦରୁ ୧୭ଟି ପଦ ଖାଲି ଅଛି । କଟକରେ ୪ଟି, ବ୍ରହ୍ମପୁରରେ ୬ଟି ଓ ବୁର୍ଲାରେ ୭ଟି ପ୍ରଫେସର ପଦ ଖାଲି ରହିଛି । ସେହିପରି କଟକରେ ୨୫ଟି, ବ୍ରହ୍ମପୁରରେ ୧୫ଟି ଓ ବୁର୍ଲାରେ ୧୦ଟି ଆସୋସିଏଟ ପ୍ରଫେସର ପଦ ଖାଲିି ଅଛି ।

ଉପରୋକ୍ତ ତିନିଟି ମେଡିକାଲ କଲେଜରେ ଯଥାକ୍ରମେ ୧୧୩, ୫୯ ଓ ୬୪ଟି ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ପଡ଼ିଛି । ପବ୍ଲିକ ସର୍ଭିସ କମିଶନଙ୍କୁ ୨୦୧୦ ମସିହାରେ ୧୨୦ଟି ପଦ ପୂରଣ ପାଇଁ ଲେଖାାଯାଇଥିଲା । ସେ ୨୩ଜଣ ଦେଲେ । ୨୦୧୧ରେ ୭୫ ପଦ ପାଇଁ ଲେଖାଗଲା; ଦେଲେ ୧୫ । ଆଡହକ ନିଯୁକ୍ତି ଦେଇ ବିକଳ୍ପ ବ୍ୟବସ୍ଥା କରିବାକୁ ପଦକ୍ଷେପ ନିଆଯାଉଛି ।

କେତେ ମେଡିକାଲ କଲେଜ ହେଲେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇପାରିବ ତା’ ଉପରେ ସରକାର ଅନୁଧ୍ୟାନ କରୁଛନ୍ତି । ବେସରକାରୀ ଉଦ୍ୟମରେ ଆଉ ୭ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ୪ଟି ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ।

ବାଲେଶ୍ୱର, ମୟୂରଭଞ୍ଜ ଅଞ୍ଚଳରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ । ବୁର୍ଲାସ୍ଥିତ ଭିଏସଏସ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ୱୟଂଶାସିତ କରିବା ନେଇ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଶ୍ରୀ ରାଉତ ଗୃହରେ ସୂଚନା ଦେଇଛନ୍ତି ।

ଓଡିଶା ଡଟ୍ କମ୍

Exit mobile version