Site icon Odisha.com

ମନ୍ତ୍ରୀ,ବିଧାୟକଙ୍କ ଫୋନ ଟ୍ୟାପିଂ ହୋଇନାହିଁ : ମୁଖ୍ୟମନ୍ତ୍ରୀ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୮(ଓଡିଶା ଡଟ୍ କମ୍)-ରାଜ୍ୟରେ କୌଣସି ମନ୍ତ୍ରୀ ସଂସଦ,ବିଧାୟକ ବା ପ୍ରଶାସନିକ ଅଧିକାରୀଙ୍କର ମୋବାଇଲ କି ଟେଲି ଫୋନ ଟ୍ୟାପିଂ ହୋଇନାହିଁ କେବଳ ଅପରାଧ ଓ ନକ୍ସଲ କାର୍ଯକଳାପରେ ସଂପୃକ୍ତ ବ୍ୟକ୍ତି ବିଶେଷକରେ ଟେଲିଫୋନ ଟ୍ୟାପିଂ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ଶୁକ୍ରବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ୧୫୪କୋଟି ୮୮ ଲକ୍ଷ ୧୮ ହଜାର ଟଙ୍କା ଓ ସାଧାରଣ ପ୍ରଶାସନ ବିଭାଗର ୩୪ କୋଟି ୯୨ ଲକ୍ଷ ୮୪ ହଜାର ଟଙ୍କାର ଅତିରିକ୍ତ ଖର୍ଚ୍ଚ ଦାବି ଗୃହରେ ଆଗତ କରିଥିଲେ ।

ଏହି ଆଲୋଚନା ଉତରରେ ଶ୍ରୀ ପଟ୍ଟନାୟକ କହିଲେ ସେ ବ୍ୟକ୍ତିଗତ ଭାବେ ତାଙ୍କ ସରକାର ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ପ୍ରଶାସନିକ ସ୍ୱଚ୍ଛତାକୁ ବିଶ୍ୱାସ କରନ୍ତି । କେନ୍ଦ୍ର ସରକାର ବର୍ଷକୁ ୧ ଲକ୍ଷ ଟେଲିଫୋନ ଟ୍ୟାପିଂ କରୁଥିବା ବେଳେ ଓଡିଶାରେ ୪ ବର୍ଷରେ ୪୬୨୦ ଫୋନ ଟ୍ୟାପିଂ ହୋଇଛି । ଯାହାକି ବର୍ଷକୁ ୧୨୦୦ କମ୍ ।

ଟେଲିଫୋନ ଟ୍ୟାପିଂ ବେଆଇନ ନୁହେଁ । ଇଣ୍ଡିଆନ ଟେଲିଗ୍ରାଫ ଆଇନର ୧୮୫୫ ସେକ୍ସନ ୫(୨) ଅନୁଯାୟୀ ଓଡିଶା ସରକାର ଆଇନଗତ ଅନୁମତି ପାଇଛନ୍ତି । ତେଣୁ ବିରୋଧି ଦଳର ଅଭିଯୋଗ ଭିତିହୀନ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଉତରରେ ଅସନ୍ତୋଷ ବ୍ୟକ୍ତ କରି ବିରୋଧି କଂଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ । ଏ ଘଟଣାର ନ୍ୟାୟିକ ତଦନ୍ତ କରାଯାଉ ବୋଲି ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ ଦାବି କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version