Site icon Odisha.com

ଚାଷୀ ସମସ୍ୟା: ସର୍ବଦଳୀୟ ବୈଠକ ପାଇଁ ରାଜିହେଲେ ବାଚସ୍ପତି

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୦(ଓଡିଶା ଡଟ୍ କମ୍)-ରାଜ୍ୟରେ ମଣ୍ଡି ଖୋଲାଯାଇନାହିଁ । ଚାଷୀଙ୍କଠାରୁ ଧାନ କିଣା ଯାଉନାହିଁ । ଚାଷୀଙ୍କ ଅବସ୍ଥା ଦୁର୍ବିସହ ହୋଇଛି । ଯୋଗାଣ ବିଭାଗ କର୍ମଚାରୀ ଓ ମିଲର ମଧୁଚନ୍ଦ୍ରିକାରୁ କୃଷକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବୋଲି ବିରୋଧି କଂଗ୍ରେସ ଓ ଶାସକ ଦଳର ବିଧାୟକମାନେ ଆଜି ବିଧାନ ସଭାରେ ସ୍ୱର ଉଠାଇଛନ୍ତି ।

ସୋମବାର ଦିନ ଶୂନ୍ୟକାଳ ଆରମ୍ଭ ହେବାକ୍ଷଣି ବିରୋଧିଦଳ ନେତା ଭୂପିନ୍ଦର ସିଂ ଚାଷୀଙ୍କ ସମସ୍ୟା ପ୍ରସଙ୍ଗ ଉତ୍ଥାପନ କରିଥିଲେ । ସେ କହିଲେ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ କଳାହାଣ୍ଡି ପରେ ଆଜି ନୂଆପଡା ଜିଲ୍ଲା ବନ୍ଦ ହୋଇଛି ।

ସରକାରଙ୍କ ଘୋଷଣାପରେ ମଧ୍ୟ ମଣ୍ଡି ଖୋଲୁ ନାହିଁ । ହଜାର ହଜାର ବସ୍ତାଧାନଧରି ଚାଷୀ ରାଜରାସ୍ତାରେ ରହିଛି । ତୁରନ୍ତ ଏଥିରେ ବାଚସ୍ପତି ହସ୍ତକ୍ଷେପ କରିବା ଆବଶ୍ୟକ ।

କଂଗ୍ରେସର ସନ୍ତୋଷ ସିଂ ସାଲୁଜା କହିଥିଲେ କେଉଁଠାରେ ମଣ୍ଡି ଖୋଲାଯାଇଛି ଓ ବର୍ତମାନ ସୁଦ୍ଧା କେତେ ଧାନଚାଷୀଙ୍କ ଠାରୁ ସଂଗ୍ରହ କରାଯାଇଛି ସେ ସଂପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଗୃହକୁ ଜଣାଇବା ଉଚିତ ।

କଂଗ୍ରସର ଏହି ଅଭିଯୋଗ ସହ ବିଜେଡି ବିଧାୟକମାନେ ମଧ୍ୟ ସମସ୍ୱର ପ୍ରକଟ କରିଛନ୍ତି । ବିଜେଡିର ପ୍ରଦୀପ ମହାରଥୀ ଉଦ୍ବେଗ ପ୍ରକାଶ କରି କହିଥିଲେ ଯେ,ମଣ୍ଡି ଖୋଲିନାହିଁ । ଧାନ କ୍ରୟ ହେଉନି । ମନ୍ତ୍ରୀ ବିଧାନସଭାକୁ ଏହି ବିଷୟରେ ସବିଶେଷ ଜଣାଇବା ଉଚିତ ।

ଭଗବାନଙ୍କ ଦୟାରୁ ଏଥର ଫସଲ ଭଲ ହୋଇଛି । କିନ୍ତୁ ଧାନ ସଂଗ୍ରହ ହେଉନଥିବାରୁ ଲକ୍ଷ ଲକ୍ଷ ଚାଷୀ ଧାନଧରି ବସିଛନ୍ତି । ଯୋଗାଣ ବିଭାଗର କିଛି ଅଫିସର ଓ ମିଲ ମାଲିକ ମଧୁଚନ୍ଦ୍ରିକା କରି ଚାଷୀଙ୍କୁ ରାଜରାସ୍ତାରେ ବସାଇଛନ୍ତି ।

ବିଧାୟକ ନବକିଶୋର ଦାସ, ଡା.ପ୍ରଫୁଲ ମାଝି, ଦୁର୍ଯ୍ୟୋଧନ ଗରଡିଆ, ଦେବୀ ପ୍ରସନ୍ନ ଚାନ୍ଦ, ଗୋବର୍ଦ୍ଧନ ଦାସ, ଚକ୍ରଧର ପାଇକ, ସୁରେନ୍ଦ୍ର ପ୍ରସାଦ ପ୍ରମାଣିକ, ଅନନ୍ତ ଦାସ, ପୂଣ୍ଣଚନ୍ଦ୍ର ସେଠୀ, ଖଗେଶ୍ୱର ବେହେରା, ରାଜେନ୍ଦ୍ର ଦାସ, ଡଃ ସିପ୍ରା ମଲ୍ଲିକ, ପ୍ରଫୁଲ ଘଡେଇ ପ୍ରମୁଖ ଚାଷୀ ସମସ୍ୟା ନେଇ ଉଦ୍ବେଗ ପ୍ରକାଶ କରିଥିଲେ ।

ବାଚସ୍ପତି ଏଥିନେଇ ଏକ ବୈଠକ ଡାକିବା ସହିତ ମଣ୍ଡିକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ଏକ ବିଧାନସଭା ଗୃହ କମିଟି ଗଠନ କରାଯାଉ ବୋଲି କହିଛନ୍ତି । ପରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଖୁବ୍ଶୀଘ୍ର ଏଥିନେଇ ଏକ ବୈଠକ ଡାକିବେ ବୋଲି କହିଥିଲେ ।

ଓଡିଶା ଡଟ୍ କମ୍

Exit mobile version