Site icon Odisha.com

ମାନବାଧିକାର କର୍ମୀଙ୍କ ଉପରେ ନିର୍ଯ୍ୟାତନା ବୃଦ୍ଧି ପାଇଛି: ମତ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୦(ଓଡିଶା ଡଟ୍ କମ୍)-ବିଗତ ବର୍ଷଠାରୁ ଚଳିତ ବର୍ଷରେ ମାନବାଧିକାର କର୍ମୀଙ୍କ ଉପରେ ନିର୍ଯ୍ୟାତନା ବୃଦ୍ଧି ପାଇଛି ଏବଂ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ ମଧ୍ୟ ବୃଦ୍ଧି ପାଇଛି ବୋଲି ଏଠାରେ ଅନୁଷ୍ଠିତ ଦୁଇଦିନିଆ ମାନବାଧିକାର କର୍ମୀଙ୍କ ତାଲିମ ଶିବିରରେ ଉଦ୍ୟାପନ ଦିବସରେ ଯୋଗଦେଇ ଜାତୀୟ ମାନବାଧିକାର ଆୟୋଗର ହ୍ୟୁମାନ ରାଇଟ୍ସ ଡ଼ିଫେଣ୍ଡର ଫୋକାଲ ପଏଣ୍ଟ ଏ.କେ. ପରାସର ମତବ୍ୟକ୍ତ କରିଥିଲେ ।

ଭୁବନେଶ୍ୱର ସି.ୱାଇ.ଏସ୍.ଡ଼ି. ସଭାଗୃହରେ ଅନୁଷ୍ଠିତ ତାଲିମ ଶିବିରରେ ଉଦ୍ୟାପନ ଦିବସରେ ଯୋଗଦେଇ ସେ କହିଥିଲେ ଡ଼ିସେମ୍ବର ୯ ଦିବସକୁ ସାରା ବିଶ୍ୱରେ ମାନବାଧିକାର ଦିବସ ରୂପେ ପାଳନ କରାଯାଉଛି ।

ପ୍ରଥମ କରି ୧୯୮୯ ମସିହା ଆଜିର ଦିନରେ ମିଳିତ ଜାତିସଂଘର ପ୍ରସ୍ତାବ ଦ୍ୱାରା୨୦ଧାରା ସମ୍ମିଳିତ ଏକ ଆଇନ୍ ମାନବାଧିକାର କର୍ମୀଙ୍କ ସୁରକ୍ଷା, ଭୂମିକା ଓ ସକରାତ୍ମକ ଦାୟିତ୍ୱ ନେଇ ପ୍ରଣୟନ କରାଗଲା ।

ଓଡ଼ିଶାରୁ ଏବେସୁଦ୍ଧା ୫୦୦୦ରୁ କେସ୍ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଛି । ଆର୍ଥିକ ବର୍ଷ ଶେଷସୁଦ୍ଧା ୬୦୦୦ ପାଖାପାଖି ହେବ ଯାହକି ପୂର୍ବବର୍ଷ ତୁଳନାରେ ଯଥେଷ୍ଟ ବୃଦ୍ଧି ପାଇଛି ।

ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ମାନବାଧିକାର କର୍ମୀ ଡ଼ଃ ଲେଲିନ୍ ରଘୁବଂଶୀ ଅନ୍ୟତମ ଅତିଥି ବକ୍ତାରୂପେ ଯୋଗଦେଇ ମାନବାଧିକା କର୍ମୀଙ୍କୁ ନେଇ ସାରା ଦେଶରେ ଏକ ନେଟ୍ୱର୍କ ସ୍ଥାପନ ଉପରେ ଗୁରୁତ୍ୱ ଦେଇଥିଲେ ।

ଭାରତ ସରକାର ୧୯୯୮ ମିସହାରୁ ମିଳିତ ଜାତିସଂଘର ମାନବାଧିକାର କର୍ମୀଙ୍କ ସୁରକ୍ଷା ସମ୍ବନ୍ଧରେ ସ୍ୱାକ୍ଷର କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏକ ଘରୋଇ ଆଇନ୍ ଆଣିପାରି ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ଯାହାକି ଉଭୟ ଗଣତନ୍ତ୍ର ଓ ମାନବାଧିକାର ସୁରକ୍ଷା ପାଇଁ ଲଢୁଥିବା କର୍ମୀଙ୍କ ପାଇଁ ସତର୍କ ଘଣ୍ଟି ବୋଲି ସେ ମତପ୍ରକାଶ କରିଥିଲେ ।

ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଓ ଜାତୀୟ ମାନବାଧିକାର ଆୟୋଗଙ୍କ ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ଦୁଇ ଦିନିଆ ତାଲିମ ଶିବିରକୁ ଫ୍ରଣ୍ଟର ଅଧ୍ୟକ୍ଷ ମନୋଜ ଜେନା ପରିଚାଳନା କରିଥିଲେ ।

ରାଜ୍ୟର ବିଭିନ୍ନ ଜିଲ୍ଳାରୁ ଶହେ ପାଖାପାଖି ମାନବାଧିକାର କର୍ମୀ ଯୋଗ ଦେଇଥିଲେ । ଦୁଇଦିନିଆ ତାଲିମ ଶିବିରରେ ଏ ସମ୍ପର୍କିତ ବିଭିନ୍ନ ବିଷୟ ଯଥା ମାନବାଧିକାର କର୍ମୀଙ୍କ ଭୂମିକା, ଦାୟିତ୍ୱ, ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ଆଇନ୍ ନିୟମ ସମ୍ବନ୍ଧ ତଥ୍ୟ ଅନୁସନ୍ଧାନ, ପର୍ଯ୍ୟବେକ୍ଷଣ ଓ ଉପସ୍ଥାପନ ଆଦି ବିଷୟରେ ଅନୁଭବି ପ୍ରଶିକ୍ଷକଙ୍କ ଦ୍ୱାରାତାଲିମ୍ ପ୍ରଦାନ କରାଯାଇଥିଲା ।

ଏଥିରେ ଜିଲ୍ଲାରୁ ଆସିଥିବା ମାନବାଧିକାର କର୍ମୀ ତାଙ୍କର କେସ୍ ଓ ତଥ୍ୟ ଉପସ୍ଥାପନ କରିଥିଲେ । ପରିଶେଷରେ ଏକ ବିସ୍ତୃତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇ ଆଗାମୀ ଦିନରେ ଓଡ଼ିଶାରେ ମାନବାଧିକାର ସୁରକ୍ଷା ନେଇ ଅଭିଯାନକୁ ଗଢିତୋଳିବାକୁ ମତପ୍ରକାଶ କରିଥିଲେ ।

ଉକ୍ତ କର୍ମଶାଳାରେ ମାନବାଧିକାର କର୍ମୀ ବାଘାମ୍ବର ପଟ୍ଟନାୟକ, ଡ଼ଃ ବିକାଶ ଦାସ, ପ୍ରଦୀପ ପ୍ରଧାନ, ଧୀରେନ୍ଦ୍ର ପଣ୍ଡା, ଚନ୍ଦ୍ରନାଥ ଦାନୀ, ଶଙ୍କର ପାଣିଗ୍ରାହୀ, ପ୍ରତାପ କାଣ୍ଡି, ବିକ୍ରମ ସ୍ୱାଇଁ ଗୟାଧର ମଲ୍ଲିକ, ସନ୍ନ୍ୟାସୀ ବେହେରା, ଶଶୀଭୂଷଣ ପୁରୋହିତ, ସଙ୍ଗୀତା ମାଝି, ଦୁର୍ଯ୍ୟୋଧନ ମାଝୀ, ଭାରତ ପାଣିଗ୍ରାହୀ, ମୁକ୍ତାର ଅନ୍ସାରୀ, ସୁରେଖା ମଲ୍ଲିକ, ନୀଳମଣୀ ଯୋଶୀ ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଶିବିର ପରିଚାଳନାରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟର ସଭ୍ୟ ସନ୍ଦୀପ ମହାନ୍ତି, ଧରିତ୍ରୀ ସାହୁ, ଉତ୍ପଳ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version