Site icon Odisha.com

ନୂଆପଡା ଜିଲ୍ଲା ବନ୍ଦ ଶାନ୍ତିପୂର୍ଣ୍ଣ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୦(ଓଡିଶା ଡଟ୍ କମ୍ )-ଧାନବିକ୍ରୀ ଉପରେ କୁଇଣ୍ଟାଲ ପିଛା ୩ଶହ ଟଙ୍କା ବୋନସ ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ସୋମବାର ଦିନ ନୂଆପଡା ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଇଛି ।

ଜିଲ୍ଲାର ୫ଟି ବ୍ଲକରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଥିଲା । ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ଥିବାରୁ ଯାତ୍ରୀମାନେ ଯାତାୟତ କରିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

ଦଳର କର୍ମୀମାନେ ସକାଳ ୬ଟାରୁ ଏକତା ଛକ ସମେତ ବିଭିନ୍ନ ସ୍ଥାନରେ ରାସ୍ତାରୋକ ଓ ପିକେଟିଂ କରି ଦୋକାନ ବଜାର,ଗାଡି ମୋଟର,ସରକାରୀ ଓ ବେସରକାରୀ ଅଫିସ୍,ଶିକ୍ଷାନୁଷ୍ଠାନ ବନ୍ଦ କରିଥିଲେ ।

ଜିଲ୍ଲା କଂଗ୍ରେସ ସଭାପତି ସରୋଜ କୁମାର ସାହୁ ଏ ବନ୍ଦ ସଂପର୍କରେ ଓଡିଶା ଡଟ୍ କମ୍ କୁ କହିଛନ୍ତି ଯେ,ରାଜ୍ୟ ସରକାର ସବୁବେଳେ ଚାଷୀଙ୍କ ପ୍ରତି ଅବହେଳା କରି ଆସୁଛନ୍ତି । ବାରମ୍ବାର କ୍ଷତିର ସମ୍ମୁଖୀନ ହୋଇ ଚାଷୀମାନଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଛି । ସରକାର ତାଙ୍କୁ ପ୍ରୋତ୍ସାହନ ଦେବା ବଦଳରେ ଶୋଷଣ କରି ଚାଲିଛନ୍ତି ।

ନୂଆପଡା ଜିଲ୍ଲାରେ ଧାନର ଅଭାବ ବିକ୍ରି,ଦଲାଲ,ମିଲର ଓ ଅସାଧୁ କର୍ମଚାରୀଙ୍କ ମେଣ୍ଟ ଯୋଗୁଁ ଚାଷୀ ତଳିତଳାନ୍ତ ହେବାକୁ ବସିଛି । ଏସବୁ ପ୍ରତିବାଦ କରିବା ସହ ଚାଷୀଙ୍କୁ ସେମାନଙ୍କ ହକ୍ ଦେବା ଉଦେ୍ଧଶ୍ୟରେ ଏହି ବନ୍ଦ ପାଳନ କରାଯାଇଛି ।

ଓଡିଶା ଡଟ୍ କମ୍

Exit mobile version