Site icon Odisha.com

ହାତୀ ଉପଦ୍ରବ ନେଇ ବିଧାନସଭାରେ ବିଧାୟକଙ୍କ ଉଦ୍ବେଗ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୨(ଓଡିଶା ଡଟ୍ କମ୍)-ହାତୀ,ମାଙ୍କଡକୁ ନେଇ ବିଧାନସଭାରେ ଶାସକ ଓ ବିରୋଧୀ ଉଦ୍ବେଗ ପ୍ରକାଶ କରିଛନ୍ତି । ଏମାନଙ୍କ ଉପଦ୍ରବ ଅସହ୍ୟ ହେଲାଣି । ସରକାର ହାତୀ ସହିତ ମଣିଷଙ୍କୁ ମଧ୍ୟ ସୁରକ୍ଷା ଦିଅନ୍ତୁ ବୋଲି ବିଧାୟକମାନେ ବିଧାନସଭାରେ ମଙ୍ଗଳବାର ଦିନ ଅଭିଯୋଗ ଆଣିଛନ୍ତି ।

ନୀଳଗିରିରେ ଦେଢ଼ଶହ ପର୍ଯ୍ୟନ୍ତ ହାତୀ ଉପଦ୍ରବ କରୁଛନ୍ତି । ଏହାକୁ ରୋକାଯାଇପାରୁନି । ବନ ବିଭାଗ ଓ ପୁଲିସ କର୍ମଚାରୀ ହାତ ଟେକିଦେଇଛନ୍ତି । ହାତୀ ପଲ ଘରଦ୍ୱାର ଭାଙ୍ଗୁଛନ୍ତି । ଏହାର ସ୍ଥାୟୀ ସମାଧାନ କରିବାକୁ ଆଜି ବିଧାନସଭାରେ ସ୍ୱାଧୀନ ସଦସ୍ୟ ପ୍ରତାପ ଷଡଙ୍ଗୀ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ବିଭାଗୀୟ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଥିଲେ ହାତୀ ସ୍କୁଲରେ ପାଠ ପଢିନାହାନ୍ତି କି ଜ୍ଞାନ ଆହରଣ କରିନାହାନ୍ତି ଯେ ସେମାନେ ସବୁ କଥା ବୁଝିଯିବେ । ହାତୀ ଏକାଠି ହେଉଥିବା ବେଳେ ଲୋକମାନେ ସେମାନଙ୍କୁ ଘେରୁଛନ୍ତି । ଫଟୋ ଉଠାଉଛନ୍ତି । ହାତୀ ରାଗିଯିବା ସ୍ୱାଭାବିକ ।

ଯେଉଁ ସ୍ଥାନରେ ହାତୀ ପଲ ଏକାଠି ହେଉଛନ୍ତି ସେ ସ୍ଥାନକୁ କେବଳ ବନ ବିଭାଗ କର୍ମଚାରୀଙ୍କୁ ଯିବାକୁ ଦିଅନ୍ତୁ । ସେମାନଙ୍କ କାମ କରିବାକୁ ଦେବା ପାଇଁ ପରାମର୍ଶ ଦେଇ ଅନ୍ୟମାନେ ପଶି ମାମଲତି ନକରିବାକୁ ମନ୍ତ୍ରୀ କହିଥିଲେ ।

ମନ୍ତ୍ରୀଙ୍କ ଉତରରେ ଅସନ୍ତୋଷ ପ୍ରକାଶ କରି ବିଧାୟକ ଶ୍ରୀ ଷଡ଼ଙ୍ଗୀ ଗୃହର ମଧ୍ୟଭାଗକୁ ଚାଲିଆସି ଧାରଣାରେ ବସିଥିଲେ । ମନ୍ତ୍ରୀ ଶ୍ରୀ ରାଉତରାୟ ନିଜ ଆସନରୁ ଉଠି ଆସି ତାଙ୍କୁ ବୁଝାଇବା ପରେ ବିଧାୟକ ଶ୍ରୀ ଷଡ଼ଙ୍ଗୀ ନିଜ ଆସନକୁ ଫେରିଥିଲେ ।

ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ହାତୀ, ମଇଁଷି ଓ ମାଙ୍କଡ଼ ଉପଦ୍ରବ ଯୋଗୁ ଚାଷୀ ବିବ୍ରତ ହୋଇପଡ଼ିିଛନ୍ତି ପ୍ରଶ୍ନର ଉତର ରଖି ମନ୍ତ୍ରୀ ଶ୍ରୀ ରାଉତରାୟ କହିଥିଲେ, ମଇଁଷି ବନ୍ୟଜନ୍ତୁ ନୁହେଁ, ଷଣ୍ଢ ଏସବୁ କରୁଥିବ । ମାଙ୍କଡ଼ଙ୍କ ପାଇଁ ସବୁଆଡ଼େ ସମସ୍ୟା ସୃଷ୍ଟି ହୋଇଛି । ମାଙ୍କଡ଼ ଘଉଡ଼େଇବା ପାଇଁ ସଦସ୍ୟ ନେତୃତ୍ୱ ନେଇ କାମ କଲେ ମୁଁ ତାଙ୍କ ପଛରେ ରହିବି ।

ହାତୀ ଉପଦ୍ରବ ଉପରେ ବିଧାୟକ ସୁବର୍ଣ୍ଣ ନାୟକ ହାତୀ ମୃତୁ୍ୟ ସମ୍ପର୍କରେ ପଚାରିଥିବା ପ୍ରଶ୍ନର ଉତରରେ ମନ୍ତ୍ରୀ ଶ୍ରୀ ରାଉତରାୟ କହିଥିଲେ ଯେ କେତେକ ଜଙ୍ଗଲ ଓ ଚାଷ ଜମିରେ ବନ୍ୟଜନ୍ତୁଙ୍କ ପ୍ରବେଶ ପ୍ରତିହତ କରିବା ପାଇଁ ଲୋକମାନେ ଲୁହାତାର ଘେରାଉ କରି ଅନଧିକୃତ ଭାବେ ବିଦ୍ୟତ ଚାର୍ଜ କରୁଛନ୍ତି । ଏଥିଯୋଗୁଁ ବେଳେବେଳେ ହାତୀଙ୍କ ମୃତ୍ୟୁ ଘଟୁଛି । ଏହାକୁ ବନ୍ଦ କରିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି ।

ଓଡିଶା ଡଟ୍ କମ୍

Exit mobile version