Site icon Odisha.com

ଚିଟଫଣ୍ଡ ଠକେଇର ସିବିଆଇ ତଦନ୍ତ ନିଦେ୍ର୍ଧଶ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର,ଡିସେମ୍ବର ୧୩(ଓଡିଶା ଡଟ୍ କମ୍)-ବାଲେଶ୍ୱର ଚିଟଫଣ୍ଡ ଠକେଇର ମୁଖ୍ୟ ମହମ୍ମଦ ନାସିର ଖାଁ କମ୍ପାନୀ ‘ଫାଇନ ଇଣ୍ଡିସେଲ୍ସ ପ୍ରାଇଭେଟ ଲିମିଟେଡ’ କର୍ଣ୍ଣାଟକ,ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ସାଧାରଣ ଉପଭୋକ୍ତାଙ୍କଠାରୁ ଏକଶହ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ଠକିଥିବା ଅଭିଯୋଗର ବିଚାର କରି ବୁଧବାର ଦିନ ଓଡ଼ିଶା ହାଇକୋର୍ଟ ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ।

ହାଇକୋର୍ଟର ମୁଖ ବିଚାରପତି ଭି.ଗୋପାଳଗୌଡ଼ ଓ ବିଚାରପତି ବିଶ୍ୱନାଥ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ଆଦେଶ ଦେବା ସହ ୩ମାସ ମଧ୍ୟରେ ସିବିଆଇ ତଦନ୍ତର ଅଗ୍ରଗତି ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବାକୁ ଆଦେଶନାମାରେ ସ୍ପଷ୍ଟକରିଛନ୍ତି ।

ଏତଦ ବ୍ୟତୀତ ଅର୍ଥ ଫେରସ୍ତ ସଂକ୍ରାନ୍ତରେ ପରେ ବିଚାର କରାଯିବ ବୋଲି ଖଣ୍ଡପୀଠ ରାୟରେ ଉଲ୍ଲେଖ କରିବା ସହ ତଦନ୍ତରେ ସହଯୋଗ କରିବାକୁ ରାଜ୍ୟ କ୍ରାଇମବ୍ରାଞ୍ଚକୁ ମଧ୍ୟ ଆଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଅଳ୍ପ ପୁଞ୍ଜି ବିନିଯୋଗରେ ଅଧିକ ରୋଜଗାର କରିବା ଲୋଭ ଦେଖାଇ କାନପୁରର ଫାଇନ ଇଣ୍ଡିସେଲସ , ନାସିର ଖାଁ ଓ ସୟଦ ଅହମ୍ମଦ ଜୟପୁରର ମନି ମନ୍ତ୍ର,ମୁମ୍ବାଇର ଟ୍ରାଇଡାଣ୍ଟ ଓ ଲକ୍ଷ୍ୟ ଲେଭଲ ମାର୍କେଟିଂ,ଡ୍ରିମ ଆଚିଭର ଏବଂ ଦିଲ୍ଲୀର ଲୁଇବ୍ରେଲ ଏଜୁକେସନ ସୋସାଇଟି ଆଦି ସଂସ୍ଥା ଓଡ଼ିଶାରେ ବେଆଇନ ଅର୍ଥ ସଂଗ୍ରହ ଭଳି ବ୍ୟବସାୟରେ ଲିପ୍ତ ରହିଥିଲେ ।

୨୦୦୯ରେ ବାଲେଶ୍ୱରରେ ଏହି କମ୍ପାନୀ ବିପୁଳ ପରିମାଣର ଅର୍ଥ ହେରଫେର କରିଥିବା ଲୋକଲୋଚନକୁ ଆସିବା ପରେ ୨୦୦୦ ଜୁଲାଇରେ ପ୍ରଥମେ କ୍ଷତିଗ୍ରସ୍ତ ହୋଇଥିବା ନିରଞ୍ଜନ ସାହୁ ନାମକ ଜଣେ ବ୍ୟକ୍ତି ଖୁଣ୍ଟା ଥାନାରେ ଏତଲା ଦେଇଥିଲେ ।

କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ ମୋଟରେ ୧୯୧ କୋଟି ଟଙ୍କାର ଆକାଉଣ୍ଟକୁ ଅଚଳ କରିଦେଇଥିଲା । ଏହି କାରବାରରେ ମୁମ୍ବଇ ନାସିର ଖାଁଙ୍କ ସମ୍ପୃକ୍ତିକୁ କ୍ରାଇମବ୍ରାଞ୍ଚ ପଦାକୁ ଆଣିବା ସହ ତାକୁ ଓ ତା’ର ଜଣେ ସହଯୋଗୀ ସୟଦ ଅହମ୍ମଦକୁ ଗିରଫ କରିଥିଲା ।

ତେବେ ହାଇକୋର୍ଟ ପରିସରରୁ ଉଭୟଙ୍କୁ ଗିରଫ କରାଯାଇଥିବା ଅଭିଯୋଗକୁ ଭିତିକରି ହାଇକୋର୍ଟ ସେମାନଙ୍କୁ ଜାମିନରେ ଛାଡିଦେଇଥିଲେ । ଚାଲିଥିବା ଫୌଜଦାରୀ ମକଦ୍ଧମାରୁ ମୁକ୍ତି ପାଇବାକୁ ନାସିର ହାଇକୋର୍ଟରେ ଏକ ରିଟପିଟିସନ ଦାଖଲ କରିବା ସହ ବ୍ୟାଙ୍କ ଅକୁଉଣ୍ଟ ସଚଳ କରିବାକୁ ପ୍ରାର୍ଥନା କରିଥିଲା ଯାହାକି ବିଚାରାଧୀନରହିଛି ।

ଓଡିଶା ଡଟ୍ କମ୍

Exit mobile version