Site icon Odisha.com

ବିଧାନସଭାରୁ ସାତଦିନ ପାଇଁ ସାଲୁଜା ନିଲମ୍ବିତ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୩(ଓଡିଶା ଡଟ୍ କମ୍)-ବାଚସ୍ପତିଙ୍କ ପ୍ରତି ଆପତିଜନକ ମନ୍ତବ୍ୟ ଦେଇଥିବାରୁ କଣ୍ଟାବାଞ୍ଜିର କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ବିଧାନସଭାରୁ ସାତଦିନ ପାଇଁ ନିଲମ୍ବିତ କରାଯାଇଛି । ଏହାର ପ୍ରତିବାଦରେ ବିରୋଧି କଂଗ୍ରେସ କକ୍ଷତ୍ୟାଗ କରିଛି ।

ବୁଧବାର ଦିନ ଶୂନ୍ୟକାଳରେ ଆକ୍ଷେପଜନିତ ବିବାଦ ଆପାତତଃ ତୁଟିଯାଇଥିଲେ ମଧ୍ୟ ଅପରାହ୍ଣ ଅଧିବେଶନରେ ମୁଲତବି ପ୍ରସ୍ତାବ ଉପରେ ଦୁଇଘଣ୍ଟିଆ ଆଲୋଚନା ହୋଇଥିଲା । ଏହି ସମୟରେ ଶାସକ ଦଳର ମୁଖ୍ୟସଚେତକ ପୁନର୍ବାର ସାଲୁଜାଙ୍କ ପ୍ରସଙ୍ଗ ଉଠାଇଥିଲେ ।

ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ପ୍ରତି ସମ୍ମାନ ରଖି ଦୁଃଖ ପ୍ରକାଶ ନକରିବାରୁ ତାଙ୍କୁ ନିଲମ୍ବନ କରିବା ଦାବିରେ ପ୍ରଭାତ ତ୍ରିପାଠୀ ଏକ ପ୍ରସ୍ତାବ ଆଣିଥିଲେ । ପ୍ରସ୍ତାବକୁ ଗହଣକରି ସନ୍ଧ୍ୟା ୬ଟା ୧୫ରେ ବାଚସ୍ପତି ସାଲୁଜାଙ୍କୁ ନିଲମ୍ବିତ ଆଦେଶ ଶୁଣାଇଥିଲେ ଓ ଗୃହ ଛାଡ଼ିବାକୁ ନିଦେ୍ର୍ଧଶ ଦେଇଥିଲେ ।

ଶୂନ୍ୟକାଳରେ କିଏ ପ୍ରଥମେ କହିବେ ସେ ନେଇ ବାଦାନୁବାଦ ସୃଷ୍ଟି ହୋଇଥିବାବେଳେ ଏହାକୁ ନେଇ ବିରୋଧୀ ଦଳ ସଦସ୍ୟ ସନ୍ତୋଷ ସିଂହ ସାଲୁଜା ବାଚସ୍ପତିଙ୍କ ପ୍ରତି ଅନୁଚିତ ଶବ୍ଦ ପ୍ରୟୋଗ କରିଥିଲେ ।

ଗୃହର ଓ ବାଚସ୍ପତିଙ୍କର ପଦମର୍ଯ୍ୟାଦା ଦୃଷ୍ଟିରୁ ଦଳମତ ନିର୍ବିଶେଷରେ ସମସ୍ତେ ଏହାର ପ୍ରତିବାଦ କରିବା ସହିତ ସାଲୁଜା କ୍ଷମା ମାଗିବାକୁ ଦାବି କରିଥିଲେ । ବିରୋଧୀ ଦଳ ନେତା ଓ ମୁଖ୍ୟ ସଚେତକ ଏ ନେଇ ଦୁଃଖ ପ୍ରକାଶ କରିବାରେ ଦୀର୍ଘ ସମୟଧରି ଚାଲିଥିବା ବିବାଦର ଅବସାନ ଘଟିଥିଲା ।

ବିରୋଧୀ ଦଳ ନେତା ସାଧାରଣତଃ ଶୂନ୍ୟକାଳରେ ଆଲୋଚନା ଆରମ୍ଭ କରିବାର ପରମ୍ପରା ଚଳିଆସିଥିବାବେଳେ ତାଙ୍କ ଅନୁପସ୍ଥିତିରେ ବାଚସ୍ପତି ଶାସକ ଦଳର ଉପମୁଖ୍ୟ ସଚେତକ ସଞ୍ଜୟ ଦାସବର୍ମାଙ୍କୁ ତାଙ୍କର ବକ୍ତବ୍ୟ ରଖିବାକୁ ଡାକିଥିଲେ ।

ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ କାହିଁକି ପରାମ୍ପରା ଭଙ୍ଗହେଲା ବୋଲି ପଚାରିବା ସହ ଜଣେ ସରକାରୀ ସଦସ୍ୟଙ୍କୁ ଡାକିବା ନେଇ ବୈଧାନିକ ପ୍ରଶ୍ନ ଉଠାଇଥିଲେ ।

ଏହି ସମୟରେ ସନ୍ତୋଷ ସିଂହ ସାଲୁଜା ବାଚସ୍ପତିଙ୍କ ଦୃଷ୍ଟି ଅକର୍ଷଣକରି ତାଙ୍କୁ ଆଲୋଚନାର ସୁଯୋଗରୁ ବଞ୍ଚିତ କରାଯାଉଛି ବୋଲି ଅଭିଯୋଗ କରିଥିଲେ । ବାଚସ୍ପତି ପାତରଅନ୍ତର କରୁଛନ୍ତି ଓ ବିଜେଡ଼ି ସଦସ୍ୟ ଭଳି କାମ କରୁଛନ୍ତି । ସେ ବିଜେଡିର ‘ବୋକଚାବୁହା’ ବୋଲି ସାଲୁଜା ଆକ୍ଷେପ କରିଥିଲେ । ଶାସକ ଦଳର ସଦସ୍ୟମାନେ ତତକ୍ଷଣାତ ଏଥିରେ ହସ୍ତକ୍ଷେପ କରିଥିଲେ ।

ପ୍ରଦୀପ ମହାରଥୀ ସାଲୁଜା ଗୃହକୁ ଜୋତା ମାରିଛନ୍ତି, ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ମତଦେଇ ପ୍ରୟୋଗ କରିଥିବା ଅପଶବ୍ଦ ପ୍ରତ୍ୟାହରର ସହ କ୍ଷମା ମାଗିବାକୁ ପରାମର୍ଶ ଦେଇଥିଲେ ।

ରାଜସ୍ୱମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏଥିରେ ହସ୍ତକ୍ଷେପକରି ସରକାରୀ ଦଳର ସଦସ୍ୟଙ୍କୁ ପ୍ରଥମେ ଡାକିବାରେ କିଛି ଅସୁବିଧା ନାହିଁ ବୋଲି ମନ୍ତବ୍ୟ ଦେଇଥିଲେ ।

ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ଅନେକ ସମୟରେ ବିରୋଧୀ ଦଳର ସଦସ୍ୟଙ୍କୁ ମତ ରଖିବାର ସୁଯୋଗ ମିଳୁନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ତେବେ ସାଲୁଜାଙ୍କ ମନ୍ତବ୍ୟ ନେଇ ଦଳ ପକ୍ଷରୁ ସେ ଦୁଃଖ ପ୍ରକାଶ କରିଥିଲେ । ତାଙ୍କ ସହିତ ପ୍ରସାଦ ହରିଚନ୍ଦନ ମଧ୍ୟ ଏ ନେଇ ଦୁଃଖ ପ୍ରକାଶ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version