Site icon Odisha.com

ବଜ୍ରପାତ ମୃତକଙ୍କ ପରିବାରକୁ ସହାୟତା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୪(ଓଡିଶା ଡଟ୍ କମ୍)-ଗତ ୧୧ ଓ ୧୨ ତାରିଖ ଦୁଇଦିନରେ ବର୍ଷା,ପବନ ଏବଂ ବଜ୍ରପାତ ଯୋଗୁଁ ହୋଇଥିବା କ୍ଷୟକ୍ଷତି ସଂପର୍କରେ ଆକଳନ କରାଯାଉଥିବା ବେଳେ ବଜ୍ରପାତରେ ଯେଉଁମାନଙ୍କର ମୃତ୍ୟୁ ଘଟିଛି,ସେମାନଙ୍କ ପରିବାରକୁ ଦେଢ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୂର୍ଯ୍ୟନାରାୟଣ ଶୁକ୍ରବାର ଦିନ ବିଧାନସଭାରେ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଏହି ଦୁଇଦିନରେ ଝଡ ବର୍ଷାରେ ବଜ୍ରପାତ ଯୋଗୁଁ ୮ ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି । ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲାରେ ବର୍ଷା ପ୍ରଭାବିତ ଅଞ୍ଚଳରେ ବାସଗୃହ ଓ ଫସଲ କ୍ଷତି ହୋଇଛି ।

ସେ କହିଛନ୍ତି ବଜ୍ରପାତି ଘଟି ଓଡିଶାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲାପାଳଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ବ୍ରଜପାତ ଯୋଗୁଁ ୧୧ ତାରିଖରେ ବାହାନଗା ତହସିଲ ଅଧିନସ୍ଥ ପଟିମୁଣ୍ଡା ଗ୍ରାମର ବସନ୍ତ ବିଶ୍ୱାଳ ପ୍ରାଣ ହରାଇଛନ୍ତି ।

ସେଦିନ ଅପରାହ୍ଣରେ ପାରାଦ୍ୱୀପ ଅଞ୍ଚଳରେ ଅଚାନକ ବର୍ଷା ସହିତ ପ୍ରବଳ ଘଡ଼ଘଡ଼ି ମାରି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଆହତ ହୋଇଛନ୍ତି ।

ବର୍ଷା ବେଳେ ପାରାଦ୍ୱୀପ ଥାନା ନିକଟରେ ଥିବା ବରଗଛ ତଳେ ଆଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ଧନେଶ୍ୱର ଜେନା ନାମକ ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ବେଳେ ନିକଟବର୍ତୀ ଲକ ଥାନା ଅନ୍ତର୍ଗତ ରଙ୍ଗିଆଗଡ଼ ଗ୍ରାମର ରତ୍ନାକର ରାଉତ ଓ ତାଙ୍କ ସ୍ତ୍ରୀ ପୁଷ୍ପଲତା ରାଉତଙ୍କର ମୃତ୍ୟୁ ଘଟିଛି ।

ସେମାନେ ନିଜ ଘରର ଛାତ ଉପରେ ଥିବା ବେଳେ ଏହି ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା । ଜୟଦେବ ସଦନ ଛକରେ ଥିବା ଏକ ବରଗଛ ତଳେ ଜଣେ ଶ୍ରମିକର ବଜ୍ରପାତରେ ମୃତ୍ୟୁ ଘଟିଛି । ମୃତ ରତ୍ନାକର ପି.ପି.ଏଲ କାରଖାନାରେ ଶ୍ରମିକ ରୂପେ କାର୍ଯ୍ୟ କରନ୍ତି ଏବଂ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ।

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦୋଷିଆ ପଞ୍ଚାୟତର ଶ୍ୟାମସୁନ୍ଦରପୁର ଗ୍ରାମର ମାଗୁଣି ସାମଲଙ୍କ ଝିଅ ପୂର୍ଣ୍ଣିମା ସାମଲ (୩୫) ବିଲରୁ ଘରକୁ ଫେରୁଥିବା ବେଳେ ବାଟରେ ହଠାତ୍ ତାଙ୍କ ଉପରେ ବଜ୍ରପାତ ହୋଇଥିଲା । ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ମହାକାଳପଡ଼ା ଥାନା ଜମ୍ବୁ ଗ୍ରାମର ଅର୍ଜ୍ଜୁନ ପରମାଣିକଙ୍କ ସ୍ତ୍ରୀ ଗୀତ ପରମାଣିକ (୨୬) ଧାନ ଖଳାରେ କାର୍ଯ୍ୟ କରୁଥିବା ସମୟରେ ହଠାତ୍ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ ।

ରାଜନଗର ବ୍ଳକ ଡାଙ୍ଗମାଳପଂଚାୟତ ଖମାରସାହି ଗ୍ରାମର ଲକ୍ଷ୍ମୀ ଜେନା (୩୯) ଗାଁ ନିକଟ ପଡ଼ିଆରେ ବାନ୍ଧିଥିବା ଗାଈକୁ ଦିନ ତିନିଟା ବେଳେ ଆଣିବାକୁ ଯିବାବେଳେ ବଜ୍ରପାତ ଘଟି ଘଟଣାସ୍ଥଳରେ ସଂପୃକ୍ତ ମହିଳା ମୃତୁ୍ୟ ହୋଇଥିଲା ।

ଓଡିଶା ଡଟ୍ କମ୍

Exit mobile version