Site icon Odisha.com

ଶନିବାର ଦିନ ମିଳିବ କମ୍ବଳ ଭତା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୪(ଓଡିଶା ଡଟ୍ କମ୍)-ଆସନ୍ତା କାଲି ସାରା ରାଜ୍ୟରେ କମ୍ବଳ ଭତା ବଣ୍ଟନ କରାଯିବ । ମଧୁବାବୁ ପେନସନ ଯୋଜନାରେ ମାସିକ ଭତା ପାଉଥିବା ବୃଦ୍ଧ-ବୃଦ୍ଧା,ବିଧବା,ଭିନ୍ନକ୍ଷମ ଏବଂ ଏଚଆଇଭି ସଂକ୍ରମିତ ଏହି କମ୍ବଳ ଭତା ପାଇବେ ବୋଲି ବିଧାନସଭାରେ ଶୁକ୍ରବାର ଦିନ ଶୂନ୍ୟକାଳରେ ସରକାରୀ ଉପମୁଖ୍ୟ ସଚେତକ ସଂଜୟ ଦାସବର୍ମା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଆସନ୍ତାକାଲି ଜନସେବା ଦିବସରେ ଏହି କାର୍ଯ୍ୟ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫି ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ । ସ୍ୱତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଂଜୁର କରିଥିବା ୨୦୦ ଟଙ୍କାଏଁ ଭତା କମ୍ବଳ କିଣିବାକୁ ୩୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦିଆଯିବ । ଏଥିପାଇଁ ରାଜ୍ୟ ସରକାର ୭୪କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।

ପ୍ରଥମଥର ପାଇଁ ଶୀତଦିନେ କମ୍ବଳ କିଣିବାକୁ ସରକାର ଏପରି ଭତା ବ୍ୟବସ୍ଥା କରିଛନ୍ତି । ଏଥିଲାଗି ବିଧାନସଭାରେ ବିଜେଡିର ସମସ୍ତ ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା ଏକ ଐତିହାସିକ ନିଷ୍ପତି ବୋଲି ବିଜେଡି ବିଧାୟକମାନେ କହିଛନ୍ତି ।

ବିଜେଡିର ପ୍ରଫୁଲ ସାମଲ,ଅନନ୍ତ ଦାସ,ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ଏହି ପ୍ରସ୍ତାବକୁ ସମର୍ଥନ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିବାବେଳେ କଂଗ୍ରେସର ରାମଚନ୍ଦ୍ର କାଡମ କହିଥିଲେ ଯେ,ସରକାର ଟଙ୍କା ନଦେଇ କମ୍ବଳ କିଣିକରି ଦିଅନ୍ତୁ । କମ୍ବଳ କିଣିଦେଲେ ଲୋକେ ବ୍ୟବହାର କରିପାରିବେ ।

ଓଡିଶା ଡଟ୍ କମ୍

Exit mobile version