Site icon Odisha.com

ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ବିଧାୟକ

ଓଡିଶା ଡଟ୍କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୫(ଓଡିଶା ଡଟ୍ କମ୍)-ବିରୋଧୀଦଳ ସଦସ୍ୟଙ୍କ ଅନୁପସ୍ଥିତିରେ ଗୋଟିଏ ପରେ ଗୋଟିଏ ବିଲ ପାସ୍ ହେଉଛି । ବିରୋଧୀ ଦଳଙ୍କ ପକ୍ଷରୁ ଦିଆଯାଉଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରୁନାହାଁନ୍ତି । ଶନିବାର ଦିନ ଏଭଳି ଅଭିଯୋଗର ଏକ ଲମ୍ବାତାଲିକା ନେଇ ବିଧାନସଭାରୁ ସିଧାସଳଖ ରାଜଭବନ ଯାଇଥିଲେ ବିରୋଧୀ କଂଗ୍ରେସ ଦଳର ବିଧାୟକମାନେ । ରାଜ୍ୟପାଳଙ୍କୁ ଭେଟି ଗୃହରେ ଯାହା ଚାଲିଛି ସେ ସଂପର୍କରେ ଅବଗତ କରାଇଥିଲେ ।

ସେମାନେ କହିଥିଲେ ଗତ ୧୨ ତାରିଖ ଅପରାହ୍ନରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନିଲମ୍ବନ ଘୋଷଣାପରେ କଂଗ୍ରେସ ବିଧାୟକ କକ୍ଷ ତ୍ୟାଗ କରିଥିଲେ ।

ଠିକ୍ ସେହି ସମୟରେ ସରକାର ବିନା ଆଲୋଚନାରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବିଲ ପାସ କରାଇ ନେଇଥିଲେ । ଗୃହର ବିବରଣୀ ମଗାଇ ଅନୁଧ୍ୟାନ କରିବାସହ ସେହି ବିଲ୍ ର ସାନି ଆଲୋଚନା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଛି କଂଗ୍ରେସ ।

ବିରୋଧୀଦଳ ନେତା ଭୂପିନ୍ଦର ସିଂହ କହିଛନ୍ତି ଏହା ଗୃହରବିଧି । ଆଇନରେ ଅଛି । ପରମ୍ପରା ଭାବରେ ମଧ୍ୟ ଆମେ ସବୁକିଛି ଆଲୋଚନା କରୁଛୁ ସେଇଟାରୁ ଆଜି ଆମକୁ କିପରି ବଞ୍ଚିତ କରାଯାଇଛି । ଆମେ ଆସିଛୁ ଆଲୋଚନା କରିବା ପାଇଁ,ଆଲୋଚନା ନକରି ସରକାର କିଭଳି ଏସବୁ କାର୍ଯ୍ୟକରୁଛନ୍ତି । ଏହା ଅଗଣତାନ୍ତ୍ରୀକ କାର୍ଯ୍ୟ । ଏହା ଉପରେ ମାନ୍ୟବର ରାଜ୍ୟପାଳଙ୍କୁ ଆମେ ଜଣାଇଛୁ ।

ବିରୋଧଦଳ ମୁଖ୍ୟସଚେତକ ପ୍ରସାଦ ହରିଚନ୍ଦନ କହିଛନ୍ତି ସରକାର ଜବରଦସ୍ତ କରି ଘରୋଇ କଂପାନୀଙ୍କ ସ୍ୱାର୍ଥରେ ଏସବୁ କରୁଛନ୍ତି । ତାଙ୍କର ସଂଖ୍ୟା ଗରିଷ୍ଠତା ଅଛିବୋଲି ଆଲୋଚନା କରିବେ ନାହିଁ କି ତାଙ୍କ ଦଳର ସଦସ୍ୟମାନଙ୍କୁ ମଧ୍ୟ ଆଲୋଚନା କରିବାକୁ ଦେଉ ନାହାଁନ୍ତି ।

ଅଧଘଣ୍ଟାରେ ବିଲ୍ ପାସ କରାଇ ନେଉଛନ୍ତି । କଂଗ୍ରେସର ଦାବୀକୁ ଯୁକ୍ତିଯୁକ୍ତ ଦର୍ଶାଇଛନ୍ତି ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ । ସେ କହିଛନ୍ତି ଏଭଳି କଲେ ସରକାର ନ୍ୟାୟାଳୟକୁ ଟଣାହେବାର ଆଶଙ୍କା ରହିଛି ।

ସଂସଦୀୟ ବ୍ୟାପାରମନ୍ତ୍ରୀ କଳ୍ପତରୁ ଦାସ କହିଛନ୍ତି ଗୃହରେ ବିରୋଧୀଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଛି । ହେଲେ ବିଲ୍ ଉପରେ ଚର୍ଚ୍ଚାହେବାବେଳେ କଂଗ୍ରେସ ସଦସ୍ୟ ଯଦି ଅନୁପସ୍ଥିତ ରହିବେ ତେବେ ସେଥିପାଇଁ ଶାସକ ଦଳ କଣ କରିପାରିବେ ।

କଂଗ୍ରେସ ସଦସ୍ୟ ଯେତେକି ସମୟ ମାଗିଛନ୍ତି ଯେଉଁ ବିଲ ପାଇଁ ସେତିକି ସମୟ ଦିଆଯାଇଛି ଆଲୋଚନା ପାଇଁ । ତାଙ୍କ କଥା ଅନୁସାରେ ସମୟ ସ୍ଥିର ହୋଇଛି । ମଲତବୀ ଆଲୋଚନା ପ୍ରତ୍ୟେକ ଦିନ ହେବା ବାଧ୍ୟତାମୂଳକ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version