Site icon Odisha.com

କେବିକେ ଜିଲ୍ଲାରେ କାର୍ଯ୍ୟରତ ଡାକ୍ତରଙ୍କୁ ଆର୍ଥିକ ପ୍ରୋତ୍ସାହନ ମିଆଦ ବୃଦ୍ଧି

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୭(ଓଡିଶା ଡଟ୍ କମ୍)-କେବିକେ ଜିଲ୍ଲାରେ କାର୍ଯ୍ୟରତ ଡାକ୍ତରଙ୍କୁ ଆର୍ଥିକ ପ୍ରୋତ୍ସାହନ ମିଆଦ ବୃଦ୍ଧି ବ୍ୟବସ୍ଥାକୁ ଆଉ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାଃ ଦାମୋଦରରାଉତ ସୂଚନା ଦେଇଛନ୍ତି ।

ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ ବ୍ୟବସ୍ଥାରେ କେବିକେ ଏବଂ କେବିକେ ପ୍ଲସ୍ ଭଳି କୋରାପୁଟ , ମାଲକାନଗିରି , ନବରଙ୍ଗପୁର , ରାୟଗଡା , ବଲୀଙ୍ଗିର , ସୁବର୍ଣ୍ଣୁର , କଳାହାଣ୍ଡି , ନୂଆପଡା , ବୌଦ୍ଧ , କନ୍ଧମାଳ ଏବଂ ଗଜପତି ଭଳି ୧୧ଟି ଜିଲ୍ଲାରେ ନିଯୁକ୍ତି ପାଉଥିବା କାର୍ଯ୍ୟ କରୁଥିବା ସମସ୍ତ ବର୍ଗର ଡାକ୍ତରଙ୍କୁ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ସୁବିଧା ପ୍ରଦାନ କରାଯାଉଛି ।

ଜିଲ୍ଲା ଏବଂ ଉପଖଣ୍ଡ ଚିକିତ୍ସାଳୟ ଏବଂ ପୌରପରିଷଦ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ବା ଚିକିତ୍ସାଳୟରେ ନିଯୁକ୍ତ ଡାକ୍ତରଙ୍କୁ ମାସିକ ୪ ହଜାର ଏବଂ ଅନ୍ୟ ଅଞ୍ଚଳରେ ଡାକ୍ତରଙ୍କୁ ମାସିକ ୮ ହଜାର ଟଙ୍କା ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଉଛି ।

ଏଥିରେ ସେହିସବୁ ଅଞ୍ଚଳରେ ଚିକିତ୍ସା ସେବାରେ ନିୟୋଜିତ ପ୍ରଶାସନିକ ଗ୍ରେଡ୍ର ଯୁଗ୍ମ ନିଦେ୍ର୍ଧଶକ ଲେବୁଲ୍ ୧ ଏବଂ ୨, ବରିଷ୍ଠ ପ୍ରଥମ ଶ୍ରେଣୀ ଏବଂ କନିଷ୍ଠ ପ୍ରଥମ ଶ୍ରେଣୀ ସମେତ ଅନ୍ୟ ସମସ୍ତ ଡାକ୍ତରଙ୍କୁ ଏହା ପ୍ରଦାନ କରାଯାଉଛି ।

ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇ ଏହି ସମସ୍ତ ଜିଲ୍ଲାର ମୁଖ୍ୟଚିକିତ୍ସାଳୟ ଠାରୁ ଆରମ୍ଭ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ( ନୂତନ )ରେ କାର୍ଯ୍ୟ କରୁଥିବା ସମସ୍ତ ବର୍ଗର ଡାକ୍ତରଙ୍କୁ ଉପରୋକ୍ତ ସୁବିଧା ପ୍ରଦାନ କରାଯାଉଛି ।

ରାଉତ କହିଛନ୍ତି ସରକାର ଏହି ଆର୍ଥିକ ପ୍ରୋତ୍ସାହନ ବ୍ୟବସ୍ଥା କରିଥିବାରୁ ସେହି ସବୁ ଅଞ୍ଚଳରେ ଡାକ୍ତର ପଦବି ପୁରଣ ଦିଗରେ ଯଥେଷ୍ଟ ସହାୟକ ହୋଇପାରିଛି । ତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସରକାର ଅର୍ଥ ବିଭାଗର ସହମତି କ୍ରମେ ସେହି ବ୍ୟବସ୍ଥାକୁ ଆଉ ଏକ ବର୍ଷ ପାଇଁ ,ଆସନ୍ତା ୩୧.୦୭.୨୦୧୩ ପର୍ଯ୍ୟନ୍ତ ବଢେଇଛନ୍ତି ।

ପରବର୍ତ୍ତି ସମୟରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ । ଫଳରେ ଉକ୍ତ ୧୧ ଟି ଜିଲ୍ଲାରେ କାର୍ଯ୍ୟରତ ପ୍ରାୟ ୧୫୦୦ରୁ ଉଦ୍ଧ୍ୱର୍ ଡାକ୍ତର ଉପକୃତ ହେବେ ।

ଓଡିଶା ଡଟ୍ କମ୍

Exit mobile version