Site icon Odisha.com

ନାଲକୋ ପକ୍ଷରୁ ବକ୍ସାଇଟ ଖନନ ପୁନଃ ଆରମ୍ଭ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୮(ଓଡିଶା ଡଟ୍ କମ୍)- କୋରାପୁଟ ଜିଲ୍ଲାର ପଞ୍ଚପଟ୍ଟମାଳୀ ବକ୍ସାଇଟ ଖଣିରେ ଖନନ କାର୍ଯ ଆରମ୍ଭ କରିବା ପାଇଁ ଅସ୍ଥାୟୀ କାର୍ଯ ଅନୁମତି ହାସଲ କରିବା ପରେ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ଗତ ସନ୍ଧ୍ୟାରୁ ଖନନ କାର୍ଯ ପୁନଃ ଆରମ୍ଭ କରାଯାଇଛି ।

ଖଣି ଲିଜ ଅବଧି ସମାପ୍ତ ହେବା ପରେ ନାଲକୋର ଖଣି କାର୍ଯ୍ୟ ଗତ ମାସ ୧୭ ତାରିଖରୁ ବନ୍ଦ ରହିଥିଲା । ଯଦିଓ ଜଙ୍ଗଲ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ପାଇ ନଥିବାରୁ ଏହି ସମୟରେ କମ୍ପାନୀର ପଞ୍ଚପଟ୍ଟମାଳୀ ଖଣିରୁ ବକ୍ସାଇଟ ଖନନ ସ୍ଥଗିତ ରହିଥିଲା, ଏହାର ରିଫାଇନେରୀ ଓ ସ୍ମେଲ୍ଟରରେ କାର୍ଯ୍ୟ ବ୍ୟାହତ ହୋଇନଥିଲା ।

ପୂର୍ବରୁ ଗଚ୍ଛିତ ବକ୍ସାଇଟ ବ୍ୟବହାର କରି ଉଭୟ ୟୁନିଟରୁ ଉତ୍ପାଦନ କାର୍ଯ୍ୟ ଜାରୀ ରହିଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଖଣି ବନ୍ଦ ରହିଥିବା ସମୟରେ କମ୍ପାନୀ ବିଭିନ୍ନ ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ହାତକୁ ନେଇଥିଲା । ଉଦାହରଣ ସ୍ୱରୂପ, ଏହି ସମୟ ମଧ୍ୟରେ କନଭେୟର ବେଲ୍ଟର ମରାମତି କରାଯାଇଥିଲା, ଯାହା କି ଅନ୍ୟ ସମୟରେ କରିଥିଲେ, ୧୭ ଦିନ ପାଇଁ କାର୍ଯ୍ୟ ବନ୍ଦ କରିବାକୁ ପଡିଥାନ୍ତା ।

ଏହି ସମ୍ବନ୍ଧରେ ସୂଚନା ଦେଇ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ ଶ୍ର ଅଂଶୁମାନ ଦାସ କହିଲେ, “ବର୍ତମାନ ୧ ବର୍ଷ ପାଇଁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟରୁ ଏହି ଅସ୍ଥାୟୀ କାର୍ଯ୍ୟ ଅନୁମତି ମିଳିଛି ।

ମାତ୍ର, ଦୀର୍ଘକାଳୀନ ଖଣି ଲିଜ ନବୀକରଣ ପାଇଁ ଆମେ ଚେଷ୍ଟା କରୁଛୁ, ଯାହା କି ଏହି ଅନୁମତିର ଅବଧି ଶେଷ ହେବା ପୂର୍ବରୁ ଆମକୁ ମିଳିଯିବ ବୋଲି ଆମେ ଆଶା କରୁଛୁ ।”

ଓଡିଶା ଡଟ୍ କମ୍

Exit mobile version