Site icon Odisha.com

ଦିନିକିଆ ବ୍ୟାଙ୍କ ଧର୍ମଘଟର ସାରା ରାଜ୍ୟରେ ପ୍ରଭାବ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୦(ଓଡିଶା ଡଟ୍ କମ୍)- ବ୍ୟାଙ୍କଗୁଡ଼ିକରେ ମିଶ୍ରଣ ପ୍ରକ୍ରିୟାକୁ କମ୍ପିଟିସନ କମିଶନ ଅଫ ଇଣ୍ଡିଆ(ସିସିଆଇ)ର କତୃତ୍ୱ ବାହାରେ ରଖିବା, ରାଷ୍ଟ୍ରାୟତ୍ୱ ବ୍ୟାଙ୍କଗୁଡ଼ିକରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିଲଗାଣର ସୀମା ୨୬ପ୍ରତିଶତରୁ ୪୯ପ୍ରତିଶତକୁ ବଢ଼ାଇବାକୁ ବିରୋଧକରି ଗୁରୁବାରର ଦିନ ଦେଶବ୍ୟାପୀ ଧର୍ମଘଟ ଅନୁଷ୍ଠିତ ହେଉଅଛି ।

ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇଜ ଆସୋସିଏସନ (ଏଆଇବିଇଏ) ଓଡିଶାଶାଖା ସଭାପତି ପ୍ରଦୀପ ଷଡଙ୍ଗୀ କହିଛନ୍ତି ଏହାର ପ୍ରଭାବ ସାରା ରାଜ୍ୟରେ ପଡିଛି ଓ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହୋଇଛି ।

କେନ୍ଦ୍ରର ୟୁପିଏ ସରକାର ଆର୍ଥିକ ସଂସ୍କାରର ଦ୍ୱାହି ଦେଇ ଅତି ତରବରିଆ ଭାବେ ବ୍ୟାଙ୍କ ଆଇନ ସଂଶୋଧନ ବିଧେୟକ ଅନୁମୋଦନ ପାଇଁ ସଂସଦରେ ଉପସ୍ଥାପନ କରିଛନ୍ତି ।

ଘରୋଇ ଅଂଶଧନକାରୀଙ୍କ ଭୋଟ ଅଧିକାର ରାଷ୍ଟ୍ରାୟତ ବ୍ୟାଙ୍କରେ ୧ରୁ ୧୦ପ୍ରତିଶତକୁ ଓ ଘରୋଇ ବ୍ୟାଙ୍କରେ ୧୦ରୁ ୨୬ପ୍ରତିଶତକୁ ବଢ଼ାଇବା, ବ୍ୟାଙ୍କଗୁଡ଼ିକ ନିବେଶ କରୁଥିବା ସ୍ୱୀକୃତିପ୍ରାପ୍ତ ପ୍ରତିଭୁତି(ଆପ୍ରୁଭଡ଼ ସିକୁ୍ୟରିଟିଜ)ରେ ଘରୋଇ କମ୍ପାନୀମାନଙ୍କର ପ୍ରତିଭୂତିକୁ ଅନ୍ତର୍ଭୁକ୍ତ କରିବା ଇତ୍ୟାଦି ଜନସ୍ୱାର୍ଥ ବିରୋଧୀ ଏବଂ ଦେଶର ଆର୍ଥିକ ମେରୁଦଣ୍ଡ ଭଳି କାର୍ଯ୍ୟ କରୁଥିବା ବ୍ୟାଙ୍କ ଶିଳ୍ପକୁ ଘରୋଇ ମାଲିକାନା ହାତରେ ଟେକିଦେବା ଏକ ହୀନ ଚକ୍ରାନ୍ତ ବୋଲି କୁହାଯାଇଛି ।

ଉକ୍ତ ବିଧେୟକରେ ଥିବା ଜନବିରୋଧୀ ପ୍ରସ୍ତାବଗୁଡ଼ିକ ବିରୋଧରେ ବ୍ୟାଙ୍କ ଶିଳ୍ପରେ କାର୍ଯ୍ୟ କରୁଥିବା ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇଜ ଆସୋସିଏସନ (ଏଆଇବିଇଏ), ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ (ଏଆଇବିଓଏ) ଓ ବ୍ୟାଙ୍କ ଏମ୍ପ୍ଲଇଜ ଫେଡ଼େରେସନ ଅଫ ଇଣ୍ଡିଆ ତରଫରୁ ଗୁରୁବାର ଦେଶବ୍ୟାପୀ ଧର୍ମଘଟ ଅନୁ୍ଷ୍ଠିତ ହେଉଅଛି ।

ଓଡିଶା ଡଟ୍ କମ୍

Exit mobile version