Site icon Odisha.com

ଗୃହକୁ ଫେରିଲେ ସାଲୁଜା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୦(ଓଡିଶା ଡଟ୍ କମ୍)-ଗତ ୧୨ ତାରିଖରେ ବିଧାନସଭାରୁ ନିଲମ୍ବିତ ହୋଇଥିବା କଣ୍ଟାବଞ୍ଝିର କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସାତ ଦିନପରେ ଗୁରୁବାର ଦିନ ଗୃହକୁ ଫେରିଛନ୍ତି ।

ପ୍ରଶ୍ନ କାଳରେ ଶ୍ରୀ ସାଲୁଜା ପାଟିରେ ଧଳା କପଡା ବାନ୍ଧି ଜୟ ବଲାଙ୍ଗୀର,ଆମର ଦାବି ଲୋୟର ସୁକତେଲ ଲୋଖା ଥିବା ବ୍ୟାନରକୁ ନିଜ ଆସନରେ ଠିଆ ହୋଇ ପଦର୍ଶିତ କରିଥିଲେ ।

ପ୍ରଶ୍ନୋତର କାଳ ଶେଷ ପର୍ଯ୍ୟନ୍ତ ସେ ନିଜ ଆସନରେ ଠିଆ ହୋଇ ରହିଥିଲେ । ପ୍ରଶ୍ନୋତର କାଳରେ ବାଚସ୍ପତି ପ୍ରଦୀପ କୁମାର ଅମାତ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଧ୍ୟାନ ଆକର୍ଷଣକାରୀ ନୋଟିସ୍ ରେ କହିବାକୁ ଡାକିଥିଲେ ।

ଏହା ପ୍ରତିବାଦରେ କଂଗ୍ରେସ ବିଧାୟକ ସୁରେନ୍ଦ୍ର ସିଂ ଭୋଇ,ନବ କିଶୋର ଦାସ,ଦେବୀ ପ୍ରସାଦ ଚାନ୍ଦ ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି ବିଧାୟକ ଶ୍ରୀ ସାଲୁଜାଙ୍କୁ କହିବାକୁ ସୁଯୋଗ ଦେବାପାଇଁ ଦାବି କରିଥିଲେ ।

ବାଚସ୍ପତି ଶ୍ରୀ ମହାରଥୀଙ୍କ ପରେ କହିବାକୁ ସୁଯୋଗ ଦିଆଯିବ ବୋଲି କହିବା ପରେ ସଦସ୍ୟମାନେ ନିଜ ନିଜ ଆସନକୁ ଫେରିଥିଲେ । ସାଲୁଜା କହିଲେ ମନ୍ତ୍ରୀମାନେ ଗୃହକୁ ବିଭ୍ରାନ୍ତ କରୁଛନ୍ତି । ଗୋଟିଏ ପ୍ରଶ୍ନର ଉତର ମାସକ ତଳେ ଯାହା ଥିଲା ପରବର୍ତୀ ସମୟରେ ତାହା ବଦଳି ଯାଉଛି । ଆଲୋଚନା ପାଇଁ ସୁଯୋଗ ମିଳୁ ନାହିଁ ।

ବୋକଚାବୁହା ନୁହେଁ ବୁଚୁକାବୁହା କହିଥିଲି । ମାତ୍ର ମୋତେ ଦଣ୍ଡ ମିଳିଲା । ହେଲେ ଯେଉଁମାନେ ବୋକଚାବୁହା କହିଲେ ସେମାନେ ଖସିଗଲେ । ତାଙ୍କୁ ଗୃହରୁ ୭ଦିନ ପାଇଁ ନିଲମ୍ବିତ କରାଯିବା ନେଇ ସେ ଦୁଃଖିତ ନୁହଁନ୍ତି ।

କାରଣ ସେ ବଲାଙ୍ଗୀରର କଥିତ ଭାଷାକୁ ଅନ୍ୟମାନେ କହୁଛନ୍ତି ବୋଲି କହି ଉଲ୍ଲେଖ କରିଥିଲେ । ତାଙ୍କ ନିଲମ୍ବନ ପାଇଁ ସେ ଓ କଣ୍ଟାବଞ୍ଝି ବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି ବୋଲି ସାଲୁଜା କହିଥିଲେ ।

ଓଡିଶା ଡଟ୍ କମ୍

Exit mobile version