Site icon Odisha.com

ବୈତରଣୀ ଜଳବିବାଦ: ଏସାର ଷ୍ଟିଲ ନିର୍ମାଣ ଉପରେ ଅଂକୁଶ

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ,ଡିସେମ୍ବର ୨୦(ଓଡିଶା ଡଟ୍ କମ୍)-ବୈତରଣୀ ପାଣିକୁ ଲୁହାପଥର ପରିବହନ କାର୍ଯ୍ୟରେ ବିନିଯୋଗ ପାଇଁ ଏସାର ଷ୍ଟିଲ ପକ୍ଷରୁ କରାଯାଉଥିବା ନିର୍ମାଣ ଉପରେ ନେସନାଲ୍ ଗ୍ରିନ ଟ୍ରିବ୍ୟୁନାଲ ବୁଧବାର ଦିନ ଅନ୍ତରୀଣ ଅଂକୁଶ ଲଗାଇଛନ୍ତି ।

ଟ୍ରିବ୍ୟୁନାଲର କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ ଏ.ଏସ. ନାଇଡୁ ଓ ବିଶେଷଜ୍ଞ ସଦସ୍ୟ ଡଃ ପି.ସି. ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦେଶ ଦେଇଛନ୍ତି । ଜଳକ୍ଲିଷ୍ଟ ଲୋକଙ୍କ ଆବଶ୍ୟକତା ଏବଂ ଜଳସେଚନ ପ୍ରତି ଆଖିବୁଜି ଦେଇ ନଦୀଜଳକୁ ବିଭିନ୍ନ ବ୍ୟାବସାୟିକ ସଂସ୍ଥାକୁ ଆବଣ୍ଟନ କରି ସରକାର ଏକ ଜନମଙ୍ଗଳ ରାଜ୍ୟ ସ୍ୱାର୍ଥର ବିରୋଧାଚରଣ କରୁଛନ୍ତି ବୋଲି ଆବେଦନକାରୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା ।

ଧାର୍ଯ୍ୟ ଆଦେଶକୁ ଭିତି କରି ଆବେଦନକାରୀ ସର୍ବେଶ୍ୱର ମିଶ୍ରଙ୍କ ପକ୍ଷରୁ ଆଗତ ଏକ ପୃଥକ ମାମଲାର ଶୁଣାଣି କରି ଟ୍ରିବ୍ୟୁନାଲ ଆଦେଶ ଦେବା ସହ ପ୍ରତିପକ୍ଷ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ, ରାଜ୍ୟଜଳ ସମ୍ପଦ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦୁଝର ଜିଲାପାଳ ଓ କମ୍ପାନୀକୁ ନୋଟିସ ଜାରି କରି ଜାନୁଆରୀ ୧୭ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି ।

ସେହିଦିନ ମାମଲାର ପରବର୍ତୀ ଶୁଣାଣି ହେବ ବୋଲି ଖଣ୍ଡପୀଠ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି । ଗ୍ରୀନ ଟ୍ରିବ୍ୟୁନାଲ ମଧ୍ୟବର୍ତୀକାଳୀନ ଆଦେଶ ଦେଇ ଏଭଳି ଅଙ୍କୁଶ ଲଗାଇବା ପରେ କମ୍ପାନୀକୁ ଧକ୍କା ଲାଗିଛି ।

ଇଏସଏସଏଆର କମମ୍ପାନୀ ତାର ସ୍ଲରି ଟ୍ରାନ୍ସପୋର୍ଟେସନ ସିଷ୍ଟମର ନିର୍ମାଣ କରି ପାଣି ନେବା ସକାଶେ ରାଜ୍ୟ ସରକାର ୨୦୦୯ଡିସେମ୍ବର ୨୪ରେ କମ୍ପାନୀକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ୧୧.୭୭ କ୍ୟୁସେକ ଜଳ ନେବାକୁ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ।

ଓଡିଶା ଡଟ୍ କମ୍

Exit mobile version