Site icon Odisha.com

ସାଇକେଲ ବଣ୍ଟନରେ ନିୟମ ଉଲ୍ଲଘନ: ବିରୋଧୀ ଦଳ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୨(ଓଡିଶା ଡଟ୍ କମ୍)-ଓଡିଶା ଖଣି ନିଗମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଇଥିବା ୯୫ କୋଟି ଟଙ୍କାକୁ ସରକାର ମାଗଣା ସାଇକେଲ ବଣ୍ଟନ କାର୍ଯ୍ୟକ୍ରମରେ ବିନିଯୋଗ କରିଥିବା ନେଇ ବିରୋଧୀ ଦଳ ତରଫରୁ ଏହାର ପ୍ରତିବାଦ କରାଯିବା ସହ ସମାଲୋଚନା କରାଯାଇଛି । ଏହା ଉପରେ ସେମାନେ ସରକାରଙ୍କ ଠାରୁ ଜବାବ ଚାହିଁଛନ୍ତି ।

ଶୁକ୍ରବାର ଦିନ ବିଧାନସଭାର ପ୍ରଶ୍ନୋତର କାଳରେ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ସ୍ପଷ୍ଟୀକରଣ ଚାହିଁଥିଲେ ଯେ,ଚିକିତ୍ସା ପାଇଁ ଗରିବ ରୋଗୀ ସହାୟତା ପାଉନାହାନ୍ତି ଅଥଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସାଇକେଲ ପାଇଁ ୯୫ କୋଟି ଟଙ୍କା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସାଇକେଲ ବାବଦରେ କିଭଳି ଅର୍ଥ ଦିଆଗଲା ବୋଲି ସେ ପ୍ରଶ୍ନ ରଖିଥିଲେ ।

ଏହାର ଉତର ରଖି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ରାଉତ କହିଥିଲେ, କେବଳ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସାଇକେଲ ନୁହେଁ; ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଯେକୌଣସି ପ୍ରକାର ରିଲିଫ ଦିଆଯାଇପାରିବ । ଏହା ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନଥିଲା ।

ଅପରାହ୍ଣ ଅଧିବେଶନରେ କଂଗ୍ରେସ ଓ ବିଜେପି ପୁନର୍ବାର ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଠାରୁ ଉତର ଦାବି କରିଥିଲେ । ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଅର୍ଥରୁ ସାଇକେଲ କିଣା ଯାଇଥିବା ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରି ସରକାରଙ୍କୁ ସମାଲୋଚନା କରିଥିଲେ ।

ସେ କହିଥିଲେ, ସରକାର ଯଦି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପାଇଁ ଥିବା ଗାଇଡ ଲାଇନରେ ସଂଶୋଧନ ଆଣିଛନ୍ତି, ତେବେ ଗୃହକୁ ଅବଗତ କରାନ୍ତୁ ।
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ କହିଥିଲେ, ଓଡିଶା ଖଣିି ନିଗମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଯେଉଁ ଅର୍ଥ ଦେଇଥିଲେ ତାର ସିଧାସଳଖ ଦୁରୂପଯୋଗ କରାଯାଇଛି ।

ବିରୋଧୀ ଦଳ ନେତା ଶ୍ରୀ ସିଂହ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଅର୍ଥ ପ୍ରଦାନ ପାଇଁ ଥିବା ନିୟମାବଳୀକୁ ଉଲ୍ଲଘଂନ କରାଯାଇ ଏଭଳି ସାଇକେଲ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଅର୍ଥ ଉପଯୁକ୍ତ ଲୋକଙ୍କୁ ମିଳିବା ଦରକାର । ସ୍ୱାସ୍ଥ୍ୟମନ୍ତ୍ରୀ ରଖିଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ । ଆମେ ଏହା ଉପରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିବୁ କି ବୋଲି ସେ ପ୍ରଶ୍ନ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version