Site icon Odisha.com

ରାଜ୍ୟସ୍ତରୀୟ ପ୍ଲାଟିନମ ଜାମ୍ବୋରୀ ଉଦ୍ୟାପିତ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୩(ଓଡିଶା ଡଟ୍ କମ୍)-ଗ୍ରାମାଚଂଳ ତଥା ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଛନ୍ତି ।

ସ୍ଥାନୀୟ ୟୁନିଟ ୩ ହାଇସ୍କୁଲ ପଡିଆଠାରେ ଶନିବାର ଦିନ ଆୟୋଜିତ ରାଜ୍ୟସ୍ତରୀୟ ପ୍ଲାଟିନମ୍ ଜାମ୍ବୋରୀ ଉଦ୍ୟାପନ ଉତ୍ସବରେ ମୁଖ୍ୟ ଅତିଥିରୂପେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କାଉଟ ଗାଇଡ୍ ସଂଗଠନକୁ ଗ୍ରାମାଚଂଳ ଓ ଆଦିବାସୀ ଅଂଚଳରେ ପ୍ରସାର କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଲେ ଯେ,ସ୍କାଉଟ ଗାଇଡ ଆନ୍ଦୋଳନ ଯୁବ ସମାଜ ମଧ୍ୟରେ ଆତ୍ମ ନିର୍ଭରତା ଦଦାୟିତ୍ୱ ବୋଧ ଏବଂ ନିଷ୍ଠାପର ଗୁଣର ବିକାଶରେ ସଫଳ ହୋଇ ପାରିଛି । ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭକରି ଯାନିଯାତ୍ରା ଆଦି ଉତ୍ସବ ଅନୁଷ୍ଠାନରେ ସ୍କାଉଟ୍ ଗାଇଡି ପିଲାମାନେ ଯେପରି ଉଚ୍ଚମାନର ସେବା ଯୋଗାଇ ଦେଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରିଥିଲେ ।

ଭାରତ ସ୍କାଉଟ ଓ ଗାଇଡର ଓଡିଶା ଶାଖାର ସଭାପତି ଶ୍ରୀ ବିଷ୍ଣଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ରବି ନାରାୟଣ ନନ୍ଦ,ସାଂସଦ ପ୍ରଶନ୍ନ ପାଟଶାଣୀ,ବିଧାୟକ ସର୍ବଶ୍ରୀ ଅଶୋକ ପଣ୍ଡା,ଭାଗୀରଥି ବଡଜେନା,ବିଜୟ ମହାନ୍ତି ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।

ସ୍କାଉଟ ଓ ଗାଇଡର ଚିଫ୍ କମିଶନର ଶ୍ରୀ କାଳି ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ଜଷ୍ଟିସ ମନୋରଂଜନ ମହାନ୍ତି ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖନୀୟ ସେବାପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ସ୍କାଉଟ ଓ ଗାଇଡସ୍ ମାନେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version