Site icon Odisha.com

ଜନସେବା ଅଧିକାର ଆଇନ ଜାନୁୟାରୀରୁ କାର୍ଯ୍ୟକାରୀ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୩(ଓଡିଶା ଡଟ୍ କମ୍)-ଓଡିଶା ଜନସେବା ଅଧିକାର ଆଇନ କାର୍ଯ୍ୟକାରୀତା ସଂପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ସଚିବାଳୟ ଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ ।

ଓଡିଶା ଜନସେବା ଅଧିକାର ଆଇନ ୨୦୧୩ ଜାନୁଆରୀରୁ ସାରା ରାଜ୍ୟର କାର୍ଯ୍ୟକାରୀ କରାଯିବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ସାତୋଟି ବିଭାଗରେ ୩୧ଟି ସେବା ଅର୍ନ୍ତଭୁକ୍ତ କରାଯିବ । ସେହି ବିଭାଗ ଗୁଡିକ ହେଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ,ବାଣିଜ୍ୟ ଓ ପରିବହନ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ସ୍ୱରାଷ୍ଟ୍ର ଗ୍ରାମ୍ୟଉନ୍ନୟନ,ଅର୍ଥ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ।

ବାଣିଜ୍ୟ ପରିବହନ ବିଭାଗର ୧୧ଗୋଟି,ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ୧୨ ଗୋଟି , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ତିନିଗୋଟି,ସ୍ୱରାଷ୍ଟ୍ର ବିଭାଗରେ ଦୁଇଗୋଟି,ଅର୍ଥ ବିଭାଗରେ ଦଦୁଇ ଗୋଟି,ଗ୍ରାମ୍ୟ ଉନ୍ନୟନ ବିଭାଗରେ ଗୋଟିଏ ଏବଂ ମହିଳା ଶିଶୁ ବିଭାଗରେ ଗୋଟିଏ ଲେଖାଏଁ ସେବା ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ପରବର୍ତୀ ପର୍ଯ୍ୟାୟରେ ଅଧିକ ବିଭାଗ ଓ ସେବାକୁ ଏଥିରେ ସାମିଲ କରାଯିବ ।

ଏହି ଆଇନ ସଂପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ସହିତ ସଂପୃକ୍ତ କାର୍ଯ୍ୟାଳୟ ଗୁଡିକରେ ଏ ସଂକ୍ରାନ୍ତରେ ନୋଟିସ୍ ବୋର୍ଡ ଲଗାଯିବ । କର୍ମଚାରୀମାନଙ୍କ ତାଲିମ ବ୍ୟବସ୍ଥା କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ,ଉନ୍ନୟନ କମିଶନର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

Exit mobile version