Site icon Odisha.com

ରାଜଧାନୀ ବସ୍ତିରେ ବଡଦିନ ପର୍ବ ପାଳିତ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୫(ଓଡିଶା ଡଟ୍ କମ୍ )- ବସ୍ତିର ପିଲାମାନଙ୍କୁ ନୈତିକ ଶିକ୍ଷା ପ୍ରଦାନ ତଥା ସେମାନଙ୍କ ସୁସ୍ଥ ଓ ସୁରକ୍ଷିତ ବାତାବରଣ ସହ ସାଂସ୍କୃତିକ ସଦଭାବନାର ବିକାଶ ଲାଗି ସେମାନଙ୍କୁ ଶିକ୍ଷିତ କରାଇବାର ଲକ୍ଷ୍ୟ ନେଇ ହମାରା ବଚପନ୍ ପକ୍ଷରୁ ଆଜି ସ୍ଥାନୀୟ ସାଲିଆ ସାହିରେ ବଡ ଦିନ ପର୍ବ ମହା ଆନନ୍ଦର ସହ ପାଳିତ ହୋଇଯାଇଛି ।

ବସ୍ତିର ପିଲାମାନଙ୍କୁ ନେଇ ଆରମ୍ଭ କରାଯାଇଥିବା ସ୍ୱତନ୍ତ୍ର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଧୁଲ କେ ଫୁଲ କାର୍ଯ୍ୟକ୍ରମ ଅର୍ନ୍ତଗତ ଏହି ବଡଦିନ ପର୍ବ ବସ୍ତିରେ ପାଳନ କରାଯାଇଛି ।

ସ୍ଥାନୀୟ ସାଲିଆ ସାହିର ଜନତା ନଗର, ଏକାମ୍ର ବିହାର, ମହାବୀର ବିହାର, ଶକ୍ତି ବିହାର, ନିରଙ୍କରୀ ନଗର, ଶାନ୍ତି ନଗର, ଆଦିତ୍ୟ ନଗର, ଲକ୍ଷ୍ମି ବିହାର ଅଞ୍ଚଳର ପ୍ରାୟ ୨୦୦ରୁ ଉର୍ଦ୍ଧ୍ଵ ଶିଶୁ ତଥା ଅଭିଭାବକ ଆଜି ବଡଦିନ ପାଳନର ମଜାନେଇଥିଲେ ।

ଏହି ଅବସରରେ କେକ୍ କଟାଯିବା ସହ, ବିଭିନ୍ନ ମଜାଦାର ଖେଳ ସହିତ ଷ୍ଟୋରି ଟେଲିଙ୍ଗ ମଧ୍ୟ କରାଯାଇଥିଲା । ପେପର ମାସ୍କ ସହ ଅରିଗାମି ଓ ବିଭିନ୍ନ କୈାତୁକିଆ କ୍ରୀଡାର ଆୟୋଜନ ସହିତ ପିଲାଙ୍କୁ ଚକୋଲେଟ ବଣ୍ଟା ଯାଇଥିଲା ।

ଏହା ସହ ବଡଦିନ ସଂଗୀତ ଗାନ ସହ ପିଲାମାନେ ସଂଧ୍ୟାରେ ବିଭିନ୍ନ ସଂଗିତର ତାଳେ ତାଳେ ନୃତ୍ୟ କରିବା ସହିତ କେତେଜଣ ଛୋଟପିଲା ଅକ୍ଷୟ ମହାନ୍ତି ସଂଗୀତ ପରିବେଷଣ କରିଥିଲେ ।

ସ୍ଥାନୀୟ ସାଲିଆ ସାହିର ଷ୍ଟାର କ୍ଲବ ସହଯୋଗ କରିଥିଲେ । ପିଲାମାନଙ୍କ ମଧ୍ୟରେ ସଦଭାବନା ତଥା ଏକ୍ୟ ଭାବ ଆଣିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା କଥା ଧୁଲ କେ ଫୁଲର ମୁଖ୍ୟ ବିକ୍ରମ କେଶରୀ ନାୟକ ପ୍ରକାଶ କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version