Site icon Odisha.com

ଟ୍ରେନ ଧକ୍କାରେ ୬ ହାତୀ ମୃତ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର,ଡିସେମ୍ବର ୩୦(ଓଡିଶା ଡଟ୍ କମ୍ )-ଶନିବାର ଦିନ ରାତି ୧୨.୩୦ ମିନିଟ ସମୟରେ ଗଂଜାମ ଜିଲ୍ଲା ରମ୍ଭା ଅନ୍ତର୍ଗତ ସୁବଳୟା ନିକଟରେ ଝିଙ୍କିରେଡି ଜଙ୍ଗଲରୁ ଆସୁଥିବା ୬ଟି ହାତୀକୁ କରମଣ୍ଡଳ ଏକ୍ସପ୍ରେସ ଧକ୍କା ଦେଇଥିଲା । ଏହି ଘଟଣାରେ ୬ଟିହାତୀ ମୃତ ବରଣ କରିଥିଲେ ।

ଏହି ପଥଦେଇ ହାତୀମାନଙ୍କ ଚଳପ୍ରଚଳ ଚାଲୁଥିଲେ ମଧ୍ୟ କତୃପକ୍ଷଙ୍କ ଅବହେଳା ଯୋଗୁଁ ଏହି ମର୍ମନ୍ତୁଦ ଘଟଣା ଘଟିଛି । ହାତୀଙ୍କ ମୃତୁ୍ୟ ଖବର ପାଇ ଡିଏଫଓ ସୁଧାଂଶୁ ଶେଖର ମିଶ୍ର, ଖଲିକୋର୍ଟ ରେଂଜର ବିଜୟ କୁମାର ହୋତା,ରେଳବାଇ ପୋଲିସ ଓ ଅନ୍ୟ ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ସେମାନେ ହାତୀଗୁଡିକର ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ବ୍ୟବସ୍ଥା କରିଥିଲେ । କେଉଁ କାରଣରୁ ଏକକାଳୀନ ୬ଟି ହାତୀଙ୍କର ମୃତ୍ୟୁ ଘଟିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି ।

ଏହି ଦୁର୍ଘଟଣାରେ ଜଣେ କଂଟ୍ରାକ୍ଟରଙ୍କ ଦ୍ୱାରାନିଯୁକ୍ତ ଜଣେ ବେଡ ରୋଲ ଆଟେଣ୍ଡାଂଟ ଜଗତସିଂହପୁରର ରଣଜିତ ଜେନାଙ୍କ ମୃତ୍ୟୁ ଘଟିଛି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏ ଘଟଣା ପାଇଁ ଏକ ବୈଠକ ଡାକିଛନ୍ତି ।

ଜଙ୍ଗଲମନ୍ତ୍ରୀ ଶ୍ରୀ ରାଉତରାୟ କହିଛନ୍ତି ଯେ,ରେଳବାଇ ଅବହେଳା ଯୋଗୁଁ ଏଭଳି ଦୁଃଖଦ ଘଟଣା ଘଟୁଛି । ଅନ୍ୟପକ୍ଷରେ ପୂର୍ବତଟ ରେଳବାଇ ମୁଖ୍ୟ ଲୋକସଂପର୍କ ଅଧିକାରୀ ରବି ନାରାୟଣ ମହାପାତ୍ର କହିଛନ୍ତି ଯେ,ଏ ଘଟଣା ପାଇଁ ବନ ବିଭାଗ ଦାୟୀ । ହାତୀପଲ ସେହି ଅଂଚଳ ଦେଇ ଯାତାୟାତ କରୁଥିବା ସଂପର୍କରେ ଯଥେଷ୍ଟ ପୂର୍ବରୁ ରେଳବାଇ ପାଖରେ ସୂଚନା ନଥିଲା ।

ଓଡିଶା ଡଟ୍ କମ୍

Exit mobile version