Site icon Odisha.com

କନ୍ଧମାଳ: ମାନବାଧିକାର ଉଲଂଘନ ଅଭିଯୋଗରେ ମାମଲା ରୁଜୁ

ଓଡିଶା ଡଟ୍ କମ୍: ସୀମାଂଚଳ ପଟନାୟକ

ଫୁଲବାଣୀ,ଡିସେମ୍ବର ୩୧(ଓଡିଶା ଡଟ୍ କମ୍ )- କନ୍ଧମାଳ ଜିଲ୍ଲା କୋଟପାଡ ଥାନା ଅନ୍ତର୍ଗତ ଶ୍ରୀରାମପୁରରେ ଗତ ଜାନୁୟାରୀରେ ହୋଇଥିବା ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ଘଟଣା ଏବେ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ପହଞ୍ଚିଛି ।

୨୦୧୨ ଜାନୁୟାରୀ ୫ ତାରିଖରେ ଏହି ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ହୋଇଥିଲା । ଏଥିରେ କନ୍ଧମାଳ ରିଜର୍ଭ ବାଟାଲିଅନ୍ ର ୩ ଜଣ ଯବାନ ପ୍ରାଣ ହରାଇଥିଲେ । ଏମାନେ ହେଲେ ଫୁଲବାଣୀ ସାହିର ସୁନାସିର ଲେଙ୍କା, ପିଅନ ପଡାର ଉମା ଜାନୀ ଓ ତି୍ରତ୍ରାପଙ୍ଗାର ସଂଗ୍ରାମ ଲେଙ୍କା ।

ପୁଲିସ୍ ବିଭାଗର ଉଚ୍ଚାଧିକାରୀମାନେ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡିୟୋର(ଏସ୍ଓପି) ଉଲଂଘନ କରି ଯବାନମାନଙ୍କୁ ପଠାଇଥିବାରୁ ଏଭଳି ଘଟିଲା ବୋଲି ଅଭିଯୋଗ ହୋଇଥିଲା ।

ଏହା ଦ୍ୱାରାମାନବାଧିକାର ଉଲଂଘନ ହୋଇଛି ବୋଲି ଦର୍ଶାଇ ରାଜ୍ୟସ୍ତରୀୟ ମାନବାଧିକାର ସଂଗଠନ ‘ଇଣ୍ଡିଆ ମିଡିଆ ସେଂଟର’ର ମ୍ୟାନେଜିଂ ଟ୍ରଷ୍ଟି ତଥା ମାନାବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ପିଟିସନ ଦାୟର କରିଥିଲେ ।

ପୂର୍ବଦିନ ହୋଇଥିବା ଏକ ଲାଣ୍ଡମାଇନ୍ ବିସ୍ଫୋରଣର ତଦାରଖ ପାଇଁ ଯବାନମାନଙ୍କୁ ପଠାଯାଇଥିଲା । କିନ୍ତୁ ଏସ୍ଓପି ଅନୁଯାୟୀ ଲାଣ୍ଡମାଇନ୍ ଘଟିଥିବା ରାସ୍ତାରେ ପୋଲିସ୍ ଭେହିକିଲ୍ ଯିବା କଥା ନୁହେଁ ।

ପୁଣି ଯବାନମାନଙ୍କ ସହ କେହି ଅଫିସର ମଧ୍ୟ ନଥିଲେ ବୋଲି ପିଟିସନକାରୀ ଅଖଣ୍ଡ କମିସନଙ୍କୁ ଜଣାଇଛନ୍ତି । କମିସନ ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି । କେସ୍ ନମ୍ବର ୫୬୧୯/୧୮/୨୬/୨୦୧୨ରେ ମାମଲା ରୁଜୁ ହୋଇଛି ।

ଏସ୍ଓପି ଉଲଂଘନ ଘଟଣାର ତଦନ୍ତ କରିବା ସହ ଦୋଷୀ ପୁଲିସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁ୍ଷ୍ଠାନ ପାଇଁ କମିସନଙ୍କ ନିକଟରେ ନିବେଦନ କରାଯାଇଛି । ଏହି ମାମଲାରେ ଗୃହ ସଚିବ, ପୁଲିସ୍ ଡିଜି ଓ ଆଇଜି ଅପରେସନଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଓଡିଶା ଡଟ୍ କମ୍

Exit mobile version