Site icon Odisha.com

ନବବର୍ଷ ଉପଲକ୍ଷେ ପୁରୀରେ ୫ ଲକ୍ଷରୁ ଉର୍ଦ୍ଧ୍ଵ ପର୍ଯଟକଙ୍କ ସମାଗମ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ,ଜାନୁଆରୀ ୧(ଓଡିଶା ଡଟ୍ କମ୍)- ମଙ୍ଗଳବାର ଦିନ ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ଶ୍ରୀକ୍ଷେତ୍ର ହୋଇ ଉଠିଥିଲା ଚଳଚଂଚଳ । ସମଗ୍ର ସହରରେ ସୃଷ୍ଟି ହୋଇଥିଲା ଆନନ୍ଦ ମୁଖର ପରିବେଶ ।

ନୂଆବର୍ଷକୁ ପାଳନ କରିବାଲାଗି ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁଙ୍କର ପୁରୀକୁ ଆସିଥିଲେ । ଏହିସବୁ ଲୋକମାନେ ସେମାନଙ୍କର ପରିବାରବର୍ଗଙ୍କ ସହ ଟ୍ରେନ, ବସ ଓ ସ୍ୱତନ୍ତ୍ର ଗାଡିଯୋଗେ ଏଠାକୁ ଆସିଥିଲେ । ମହାପ୍ରଭୁଙ୍କ ଦର୍ଶନଲାଗି ଶ୍ରୀମନ୍ଦିରରେ ପ୍ରବଳ ଭିଡ ହୋଇଥିଲା ।

ପାଞ୍ଚ ଲକ୍ଷରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାଲାଗି ସମାଗମ ହୋଇଥିଲେ । ଏହିସବୁ ଦର୍ଶନାର୍ଥୀମାନେ ସିଂହଦ୍ୱାର ସମ୍ମୁଖ ବଡଦାଣ୍ଡରେ ନିର୍ମିତ ହୋଇଥିବା ବ୍ୟାରିକେଡଦେଇ ବଡଦେଉଳକୁ ଯାଇ କଡା ପୁଲିସ ସୁରକ୍ଷା ମଧ୍ୟରେ ଠାକୁରମାନଙ୍କୁ ଦର୍ଶନ କରିଥିଲେ ।

ରାତି ୧୨ଟାପରେ ଦର୍ଶନାର୍ଥୀଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଥିଲା । ପ୍ରଶାସନର ନିଷ୍ପତିକ୍ରମେ ରାତିସାରା ଦର୍ଶନ ବ୍ୟବସ୍ଥା ଚାଲୁରହିଥିଲା । ଦର୍ଶନାର୍ଥୀମାନେ ଠାକୁରମାନଙ୍କୁ ଦର୍ଶନ କରିସାରି ଶ୍ରୀମନ୍ଦିରର ଅନ୍ୟ ତିନିଦୁଆର ଦେଇ ପ୍ରସ୍ଥାନ କରିଥିଲେ ।

ନୂଆବର୍ଷରେ ପର୍ଯ୍ୟଟକମାନଙ୍କ ସୁରକ୍ଷାଲାଗି ୩୦ପ୍ଲାଟୁନ ପୁଲିସ ଫୋର୍ସ ଏବଂ ୨୫୦ଜଣ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଗାଡିର ବେଗକୁ ନିୟନ୍ତ୍ରଣ କରବା ସହ ପୁରୀ ସହରରେ ସ୍ୱତନ୍ତ୍ର ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଥିଲା ।

ଏହାଛଡା ଜିଲାର କୋଣାର୍କ, ସାତପଡା, ଚିଲିକାର ରାଜହଂସ, ପକ୍ଷୀ ଅଭୟାରଣ୍ୟ ନଳବଣ ଓ ଡଲଫିନ ସମେତ ରାମଚଣ୍ଡୀ, ହରଚଣ୍ଡୀ, ବେଲେଶ୍ୱର, ସାକ୍ଷୀଗୋପାଳ, ଶିରୁଳି ମହାବୀର ଓ ପିପିଲି ଆଦି ପରିଦର୍ଶନ ଲାଗି ଏହିସବୁ ପର୍ଯ୍ୟଟକମାନେ ଭିଡ ଜମାଇଥିଲେ ।

ଓଡିଶା ଡଟ୍ କମ୍

Exit mobile version