Site icon Odisha.com

ବୁଧବାର ଅନ୍ନପୂର୍ଣ୍ଣାଦେବୀଙ୍କର ଶେଷକୃତ୍ୟ

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ,ଜାନୁଆରୀ ୧(ଓଡିଶା ଡଟ୍ କମ୍)-ସୋମବାର ରାତି ୧୦ଟା୨୦ରେ ୯୬ବର୍ଷ ବୟସରେ ତାଙ୍କ କଟକ ବାଖରାବାଦ ବାସଭବନରେ ଆଖିବୁଜି ଦେଇଛନ୍ତି ବର୍ଷିୟାନ ଗାନ୍ଧିବାଦୀ ,ସର୍ବୋଦୟ ନେତ୍ରୀ ତଥା ସମାଜସେବୀ ଅନ୍ନପୂର୍ଣ୍ଣା ମହାରଣା । ସମଗ୍ର ରାଜ୍ୟ ଶୋକରେ ବୁଡି ଯାଇଛି ।

ଆସନ୍ତାକାଲି ପୂର୍ବାହ୍ନରେ ଖାନନଗର ଶ୍ମଶାନରେ ଅନ୍ନପୂର୍ଣ୍ଣାଦେବୀଙ୍କର ଶେଷକୃତ୍ୟ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଭାଉଜ ସୁମିତ୍ରା ଚୌଧୁରୀ, ଦଦୁଇ ପୁଅ ଡଃ ଜ୍ଞାନଦେବ ଓ ଡଃ କର୍ମଦେବଙ୍କ ସମେତ ବହୁ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ ।

କଟକର ବାଖରାବାଦସ୍ଥିତ ଏକ ମୁକ୍ତି ସଂଗ୍ରାମୀ ପରିବାରରେ ୧୯୧୭ ନଭେମ୍ବର ୩ରେ ଅନ୍ନପୂର୍ଣ୍ଣା ଜନ୍ମଲାଭ କରିଥଲେ । ଦେଶ ଓ ଦଶର ସେବା ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଥିଲେ ।

ଜୀବନବ୍ୟାପୀ ଜନସେବାର ସ୍ୱୀକୃତି ସ୍ୱରୂପ ଉତ୍କଳ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିଲା । “ଉତ୍କଳ ସାହିତ୍ୟ ସମାଜ’ ପକ୍ଷରୁ “ଉତ୍କଳରତ୍ନ’ ଉପାଧି ଏବଂ ରାଧାନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ରାଧାନାଥ ରଥ ସେବା ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା ।

ସେବା ଓ ତ୍ୟାଗର ବିରଳ ମଣିଷପଣିଆ ତାଙ୍କଠାରେ ଥିଲା । ସେ ଥିଲେ ଏକ ମହନୀୟ ବ୍ୟକ୍ତିତ୍ୱ । ନିଶାନିବାରଣ ଓ ମଦ୍ୟପାନ ବିରୋଧରେ ସେ ଆମୃତୁ୍ୟ ସଂଗ୍ରାମୀ ଥିଲେ ।

ଅତ୍ୟାଚାରୀ ଇଂରେଜ ପୁଲିସଙ୍କ ଦ୍ୱାରାସେ ଅକଥନୀୟ ନିର୍ଯାତନା ଭୋଗିବା ସହ ମାତ୍ର ୧୩ବର୍ଷ ବୟସରେ ପ୍ରଥମ କାରାବରଣ କରିଥିଲେ । ଜଣେ ବାନରସେନା ରୂପେ ମାତୃଭୂମି ପାଇଁ ସାହସର ସହିତ ଲଢ଼େଇକରି ସମସ୍ତଙ୍କର ଆଦରଣୀୟ ହୋଇପାରିଥିଲେ ।

ମହାତ୍ମା ଗାନ୍ଧିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ଶ୍ରୀମତୀ ମହାରଣା ମା’ ରମାଦେବୀ ଓ ବାପା ଗୋପବନ୍ଧୁ ଚୌଧୁରୀ, ଭାଇ ମନମୋହନ ଚୌଧୁରୀ, ଦାଦା ନବକୃଷ୍ଣ ଚୌଧୁରୀ, ଖୁଡ଼ୀ ମାଳତୀ ଦେବୀ ଓ ସ୍ୱାମୀ ଶରତ ମହାରଣାଙ୍କ ସହିତ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ।

୧୯୩୦ ଲବଣ ସତ୍ୟାଗ୍ରହ ଆନ୍ଦୋଳନ ଓ ୧୯୪୨ ଭାରତଛାଡ଼ ଆନ୍ଦୋଳନରେ ସେ ସକ୍ରିୟଭାବେ ଅଂଶଗ୍ରହଣକରି କାରାବରଣଥିଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ପିସିସି ସଭାପତି ନିରଜଂନ ପଟ୍ଟନାୟକ ଓ ଅନାଦି ସାହୁ ପ୍ରମୁଖ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କ ବସାଭବନକୁ ଯାଉ ଶେଷ ଦର୍ଶନ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version