Site icon Odisha.com

କାଦମ୍ବିନୀ ଜାତୀୟ ଲେଖକ ସମ୍ମିଳନୀରେ ଧର୍ମେନ୍ଦ୍ର

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୭(ଓଡିଶା ଡଟ୍ କମ୍)- ଶସ୍ୟ ଶ୍ୟାମଳା, ଚିର ହରିତ, ବଣ ଜଙ୍ଗଲ ଓ ସବୁଜିମା ଭରା ଓଡ଼ିଶାରେ ପାଦଦେଉ ଦେଉ ଅଭିଭୂତ ହୋଇପଡ଼ିଥିଲେ ହିନ୍ଦୀ ସିନେମାର ହିମ୍ୟାନ୍ ହିରୋ ଧର୍ମେନ୍ଦ୍ର ।

ଆକାଶମାର୍ଗରୁ ଓଡ଼ିଶାର ସୌନ୍ଦର୍ଯ୍ୟଭରା ରୂପକୁ ଦେଖି ଭାବ ବିହ୍ୱଳ ହୋଇପଡ଼ିଥିଲେ ସେ । କାଦମ୍ବିନୀର ଦଶମ ଜାତୀୟସ୍ତରର ଲେଖକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଧର୍ମେନ୍ଦ୍ର ପ୍ରଥମେ ଓଡ଼ିଶାର ରୂପ ବର୍ଣ୍ଣନା କରି ପୂର୍ବରୁ ଓଡ଼ିଶା ଆସିପାରି ନଥିବାରୁ ଦୁଃଖ ପ୍ରକାଶ କରିଥିଲେ ।

ଏହି ଅବସରରେ ସେ ଭାରତ ମାତାର ମର୍ଯ୍ୟାଦା ରକ୍ଷା କରିବା ପାଇଁ ସବୁବର୍ଗର ଭାରତୀୟଙ୍କୁ ଅନୁରୋଧ କରିଥିଲେ । ମଣିଷଠାରୁ ସବୁ ଚାଲିଯାଇପାରେ, ମାତ୍ର ହୃଦୟରେ ଥିବା ସ୍ନେହ ଓ ପ୍ରେମ ନିଜଠାରୁ ଅଲଗା ହୋଇପାରେନାହିଁ ବୋଲି ସେ କହିଥିଲେ ।

ଭୁବନେଶ୍ୱରରେ କିସ୍ ର ପ୍ରତିଷ୍ଠା କରି ୨୦ହଜାର ଛାତ୍ରଛାତ୍ରୀଙ୍କୁ ନିଶୁଳ୍କ ଶିକ୍ଷା ଦାନ ଭଳି ମହତ କାର୍ଯ୍ୟ ସହ କାଦମ୍ବିନୀ ପତ୍ରିକା ଜରିଆରେ ସାହିତ୍ୟକୁ ସମୃଦ୍ଧି କରାଉଥିବାରୁ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧର୍ମେନ୍ଦ୍ର ଧନ୍ୟବାଦଅର୍ପଣ କରିଥିଲେ ।

ଚୀନ୍ ର ବିଶିଷ୍ଟ ଲେଖିକା, ସାମ୍ବାଦିକା ଓ ବକ୍ତା ଲିଜିଆ ଝାଙ୍ଗ କହିଲେ ଭାରତକୁ ଏହା ତାଙ୍କର ୬ଷ୍ଠ ପରିଦର୍ଶନ । ସାଧାନାକୁ ସିଦ୍ଧି କରିବାକୁ ହେଲେ ଜୀବନରେ କେତେ କଷ୍ଟ କରିବାକୁ ପଡ଼େ ସେ ନିଜେ ହିଁ ତା’ର ଭୁକ୍ତଭୋଗୀ କହିଥିଲେ ଜିଆଙ୍ଗ ।

ନିଜ ମା’ଙ୍କ କାରଖାନାରେ କାମ କରିବାଠାରୁ ଆରମ୍ଭ କରି ଲଂଲଣ୍ଡରେ ପଢ଼ିବା ଦେଶୀ ଓ ବିଦେଶୀ ଗଣମାଧ୍ୟମରେ କାମ କରିବା ପର୍ଯ୍ୟନ୍ତ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରୁ ଅନେକ କିଛି ଶିକ୍ଷା ମିଳିଥାଏ ବୋଲି ସେ କହିଥିଲେ ।

ଅନ୍ୟତମ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ପଞ୍ଜାବୀ କବି ସୁରଜିତ ପାତ୍ର କହିଲେ, ଓଡ଼ିଶାର ସାହିତ୍ୟ ଅଗ୍ରଗଣ୍ୟ । ପଞ୍ଜାବ ଓ ଓଡ଼ିଶାର ସଂପର୍କ ଅତି ନିବିଡ଼ ବୋଲି କହି ସେ କହିଲେ, ଦୁଇଜଣଙ୍କ ମଧ୍ୟରେ ସଂଘର୍ଷ ଲାଗି ଭିନ୍ନ ଭାଷା ଉତ୍ପନ୍ନ ହୋଇଥାଏ ।

ମାତ୍ର ନିଜ ସହ ନିଜେ ସଂଘର୍ଷ କଲେ କବିତାର ସୃଷ୍ଟି ହୋଇଥାଏ । ତେଣୁ ଜଣେ କବି ହେବାକୁ ଚାହିଁଲେ, ସେ ନିଜ ସହ ସଂଘର୍ଷ କରିବାକୁ ପଡ଼ିବ । ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟ କାର୍ଯ୍ୟକ୍ରମର ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସାହିତ୍ୟର ଚତୁର୍ଭୁଜ ଲେଖକ-ପାଠକ-ପ୍ରକାଶକ-ପତ୍ରିକା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ହୋଇ ନପାରିଲେ ସାହିତ୍ୟର ବିକାଶ ହୋଇପାରିବ ନାହିଁ ।

ସାହିତ୍ୟର ସୃଷ୍ଟି ଓ ବିକାଶ ପାଇଁ ଏହି ଚାରିଜଣଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ବିଶିଷ୍ଟ ସାହିତ୍ୟିକ ତଥା କେନ୍ଦ୍ର ଶ୍ରମ ଓ ନିଯୁକ୍ତି ବିଭାଗ ସଚିବ ଡ. ମୃତ୍ୟୁଞ୍ଜୟ ଷଡଙ୍ଗୀ ସମସାମୟିକ ସମାଜିକ ସମସ୍ୟା ଉପରେ ଆଲୋକପାତ କରି ସାହିତ୍ୟ ହିଁ ସମାଜ ସୁଧାରରେ ସହାୟକ ହୋଇପାରିବ ବୋଲି କହିଥିଲେ ।

ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଡ. ରମାକାନ୍ତ ରଥ, ବିଶିଷ୍ଟ କଥାକାର ଡ. ଗୌରହରି ଦାସ, ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଡ. ହରେକୃଷ୍ଣ ଶତପଥୀ ଓ ‘ସମାରୋହ’ର ସମ୍ପାଦିକା ଶୈଳରାଣୀ ମିଶ୍ର ମଧ୍ୟ ସେମାନଙ୍କ ବକ୍ତବ୍ୟ ରଖିଥିଲେ ।

କାର୍ଯ୍ୟକ୍ରମରେ ଜ୍ଞାନପୀଠ ପୁରସ୍କାର ବିଜୟିନୀ ଡ. ପ୍ରତିଭା ରାୟ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଗାଳ୍ପିକ ଡ. ଗୌରହରି ଦାସ, ଅନୁବାଦକ ପ୍ରଶାନ୍ତ ମହାନ୍ତି, ଗାଳ୍ପିକା ସୃଷ୍ଟିଶ୍ରୀ ନାଏକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେହିପରି କବି ରମାକାନ୍ତ ରଥଙ୍କୁ ‘କାଦମ୍ବିନୀ ସାରସ୍ୱତ ସମ୍ମାନ- ୨୦୧୩’ ସମ୍ମାନ ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ‘ଅନ୍ଧାରରେ ବିଷଣ୍ଣ ବର୍ଣ୍ଣମାନଳା’, ‘ମଣିଷର ଜୟଯାତ୍ରା’, ନିଶିପଦ୍ମ’, ‘ମାଆ’, କୁନିରାଇଜ’ର ଶିଶୁ କବିତା ସଂକଳନ, ‘ଗଳ୍ପ ଏକବିଂଶ ଶତାବ୍ଦୀର’, ଚନ୍ଦନଡ଼ ଓ ଆନ୍ୟାନ୍ୟ ପୁସ୍ତକ ଉନ୍ମୋଚିତ ହୋଇଥିଲା ।

କାର୍ଯ୍ୟକ୍ରମରେ ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ସହ ଅତିଥିପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦିକା ଡ. ଇତି ସାମନ୍ତ ଧନ୍ୟବାଦଅର୍ପଣ କରିଥିଲେ । କାଦମ୍ବିନୀ ପକ୍ଷରୁ ଆୟୋଜିତ ପତ୍ରିକା ହାଟକୁ ପ୍ରଥମେ ଧର୍ମେନ୍ଦ୍ର ଉଦ୍ଘାଟନ କରିଥିଲେ ।

ପତ୍ରିକା ହାଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୫୦ରୁ ଊର୍ଦ୍ଧ୍ଵ ଷ୍ଟଲ ଖୋଲିଥିଲା । ପରେ ପରେ ଆୟୋଜିତ ହୋଇଥିଲା କବିତା ପାଠୋତ୍ସବ । ଏଥିରେ ବହୁ କବି ଯୋଗ ଦେଇ କବିତା ପାଠ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version