Site icon Odisha.com

ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୟୁନିସେଫ୍ ର ସହଯୋଗ ଜାରି ରହିବ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୧୨(ଓଡିଶା ଡଟ୍ କମ୍)-ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ୟୁନିସେଫ୍ ର ସହଯୋଗ ଜାରି ରହିବ । ଏ ନେଇ ୟୁନିସେଫ୍ ର ଭାରତ ବର୍ଷ ପାଇଁ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ସେହି କାର୍ଯ୍ୟକ୍ରମ ଅନୁଯାୟୀ ଓଡିଶାରେ ୟୁନିସେଫ୍ ତରଫରୁ ପଦକ୍ଷେପ ଗ୍ରହଣ କରାଯିବ ।

ଓଡିଶାରେ ୟୁନିସେଫ୍ ତରଫରୁ ୨୦୧୩-୧୪ ବର୍ଷରେ ଗ୍ରହଣ କରାଯିବାକୁ ଥିବା କାର୍ଯ୍ୟକ୍ରମ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତ କାଲି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୟୁନିସେଫ୍ ର ସହେଯାଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ୟୁନିସେଫ୍ ଓଡିଶା ମୁଖ୍ୟ ୟୁମି ବାଏ ଓଡିଶାରେ ତାଙ୍କର ସହେଯାଗ ସଂପର୍କରେ ଆଲୋକପାତ କରିଥିଲେ ।

ଓଡିଶାରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ୨୦୧୭ ମସିହା ସୁଦ୍ଧା ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ଲକ୍ଷ୍ୟ ପୁରଣ ଏବଂ ୨୦୧୫ ମସିହା ସୁଦ୍ଧା ମିଲେନିୟମ୍ ଡେଭଲପମେଣ୍ଟ ଲକ୍ଷ୍ୟର ୪,୫ ଓ ୬କୁ ହାସଲ କରାଯିବା ସହିତ ହାସଲ କରାଯାଇ ପାରିଥିବା ମିଲେନିୟମ୍ ଡେଭଲପମେଣ୍ଟ ଲକ୍ଷ୍ୟକୁ ୨୦୧୫ ମସିହା ପରେ ବଜାୟ ରଖିବା ଦିଗରେ କାର୍ଯ୍ୟ କରିବ ।

ବର୍ତ୍ତମାନ ରାଜ୍ୟରେ ଆନୁଷ୍ଠାନିକ ପ୍ରସବ ହାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏକଦା ୩୦ ରୁ ୩୨ ପ୍ରତିଶତ ଥିବା ଆନୁଷ୍ଠାନିକ ପ୍ରସବ ହାର ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ବହୁ ବିଧ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସହିତ ଆଶା ମାନଙ୍କ ମୂତୟନ ଯୋଗୁଁ ପ୍ରାୟ ୯୦ ପ୍ରତିଶତ ଛୁଇଁବାକୁ ବସିଲାଣି ।

ସେହି ଦୃଷ୍ଟିରୁ ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କର ଲେବର ରୁମ୍ ଏବଂ ଓ.ଟି ଗୁଡିକୁ ଭାରତୀୟ ଜନସ୍ୱାସ୍ଥ୍ୟ ମାନକ ଅନୁଯାୟି କରାଯିବା ସହିତ ଅଧିସ୍ୱୀକୃତି କରାଯିବ । ଏହା କରାଗଲେ ଓଡିଶା ଏ ନେଇ ଦେଶର ପ୍ରଥମ ରାଜ୍ୟ ହେବ ।

ଆହୁରି ମଧ୍ୟ ଜନ୍ମରୁ ଏକ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ମୃତ୍ୟୁ ସଂପର୍କରେ ସମୀକ୍ଷା କରାଯାଇ କାରଣ ଓ ନିରାକରଣ ବାହର କରାଯିବ । ରାଜ୍ୟରେ ବିଭିନ୍ନ ଡାକ୍ତରଖାନା ମାନଙ୍କରେ ପ୍ରତିଷ୍ଠା କରାଯାଇଥିବା ଏସ୍.ଏନ୍.ସି.ୟୁ ଗୁଡିକ ନବଜାତ ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ଯଥେଷ୍ଟ ସହାୟକ ହୋଇ ପାରିଛି ।

ତେବେ ଏସ୍.ଏନ୍.ସି.ୟୁ ମାନଙ୍କରୁ ଚିକିତ୍ସା ପରେ ସୁସ୍ଥ ହୋଇ ଫେରୁଥିବା ଶିଶୁମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା ।

ୟୁନିସେଫ୍ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁଣବତା ବୃଦ୍ଧି ଓ ବଜାୟ ରଖାଯିବା , ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟମରେ ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନର ସୁବିଧା ସୁଯୋଗ ଆଦି ସହିତ ଏଚ୍.ଆଇ.ଭି-ଏଡସ୍ . ପୁଷ୍ଟୀ, ପାନୀୟ ଜଳ , ପରିମଳ ଏବଂ ଦୁର୍ଦଶା ଜନିତ ସମୟରେ ସ୍ୱାସ୍ଥ୍ୟସେବାର କ୍ଷୟକ୍ଷତି କମ୍ କରିବା ଦିଗରେ ତାର ସହଯୋଗ ଜାରି ରଖିବ ବୋଲି ୟୁନିସେଫ୍ ଓଡିଶା ମୁଖ୍ୟ ସୂଚନା ଦେଇଥିଲେ ।

ତେବ ୟୁନିସେଫ୍ ର ବାର୍ଷିକ ବ୍ୟୟବରାଦ କ୍ରମଶଃ ହ୍ରାସ ପାଇ ଚାଲିଥିବାରୁ ଏଥି ପ୍ରତି ଦୃଷ୍ଟି ଦେଇ ଅଧିକ ବ୍ୟୟବରାଦ କରିବା ପାଇଁ ସ୍ୱାସ୍ଥ୍ୟ ସଚିବ ଶ୍ରୀ ମହାପାତ୍ର କହିଥିଲେ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଡାଃ ତ୍ରିବିକ୍ରମ ପଣ୍ଡା , ଅତିରିକ୍ତ ଶାସନ ସଚିବ ଶିବବ୍ରତ ଦାଶ , ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାଃ ବାଳକୃଷ୍ଣ ପଣ୍ଡା , ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ ଏନ୍.କେ.ଦାସ , ୟୁନିସେଫର ଡାଃ ସେନ୍ ଏବଂ ଡାଃ ମିନାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

Exit mobile version