Site icon Odisha.com

ମଙ୍ଗଳବାର ବଲାଙ୍ଗୀର ସୁଲିଆ ଯାତ୍ରା:ମୁଖ୍ୟ ଖଳାରେ ୧୪୪ ଧାରା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର, ଜାନୁଆରୀ ୧୪(ଓଡିଶା ଡଟ୍ କମ୍)-ମଙ୍ଗଳବାର ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଖଇରଗୁଡା ଗ୍ରାମରେ ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ଯାତ୍ରା କମିଟି ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି । ଅନ୍ୟପଟରେ ମୁଖ୍ୟ ଖଳାରେ ପଶୁ ବଳି ନିଷେଧ କରିବା ପାଇଁ ପ୍ରଶାସନ ୧୪୪ ଧାରା ଲାଗୁ କରିଛି ।

ଆସନ୍ତାକାଲି ୩ ମାଜିଷ୍ଟେଡ ଓ ୨ ପ୍ଲାଟୁନ ପୋଲିସ ଫୋର୍ସ ଯାଇ ଶାନ୍ତିଶୃଙ୍ଖଳା ରକ୍ଷା କରିବେ ବୋଲି ବଲାଙ୍ଗୀର ଉପଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ କହିଛନ୍ତି ।

ଖଇରଗୁଡା ଗ୍ରାମର ସୁଲିଆ ପାହାଡର ପାଦଦେଶରେ ରହିଛି ସୁଲିଆ ଦେବତାଙ୍କ ପୀଠ । ପ୍ରତିବର୍ଷ ପୌଷମାସ ଶୁକ୍ଲପକ୍ଷ ଦ୍ୱିତୀୟ ମଙ୍ଗଳବାରରେ ଏଠାରେ ପୂଜାର୍ଚ୍ଚନା ସହ ହଜାର ହଜାର ପଶୁବଳି ଦିଆଯାଇଥାଏ ।

ମାନସିକ କରି ଲୋକମାନେ ପୋଢ,ଛେଳି ଓ କୁକୁଡାକୁ ବଳି ଦେଇଥାନ୍ତି । ବଳିକୁ ବନ୍ଦ କରିବାକୁ ବହୁ ସ୍ୱଚ୍ଛାସେବୀ ଦାବିକରି ହାଇକୋର୍ଟ ଯିବାପରେ ମାନ୍ୟବର କୋର୍ଟ ବଳିନପକାଇବାକୁ ନିଦେ୍ର୍ଧଶ ଦେଲେ । ତଥାପି ଆଦିବାସୀମାନେ ନୂଆଖଳା ଓ କୁମରିଆ ଗ୍ରାମର ସାନଖଳାରେ ବଳିଦେବା ଆରମ୍ଭ କଲେ ।

ମୁଖ୍ୟଖଳାରେ ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ୧୪୪ ଧାରା ଲାଗୁ କରି ବଳି ଦେବାକୁ ବାରଣ କରୁଛନ୍ତି କିନ୍ତୁ ପୋଲିସ ଓ ମାଜିଷ୍ଟେଟଙ୍କ ଉପସ୍ଥିତିରେ ତଥାପି ବଳି ପଡୁଛି ।

ଚଳିତବର୍ଷ ମଧ୍ୟ ଆଦିବାସୀ ନେତାଙ୍କ ସହ ପ୍ରଶାସନ ଆଲୋଚନା କରିଥିଲା । ବଳିବନ୍ଦ ପାଇଁ ନିବେଦନ କରିଥିଲା । କିନ୍ତୁ ଆଦିବାସୀ ପରମ୍ପରା ବଜାୟ ରଖିବାକୁ ଜିଦ୍ ଧରି ସୁଲିଆପିଠରେ ବଳି ପଡିବ ବୋଲି କହିଛନ୍ତି ଆଦିବାସୀ କଲ୍ୟାଣ ମହାସଂଘର ସଭାପତି ବ୍ରଜ କିଶୋର ସିଂ ଭୋଇ ।

ଓଡିଶା ଡଟ୍ କମ୍

Exit mobile version