Site icon Odisha.com

ଜୀବନ ହାରିଲେ ରାୟଗଡା ଗଣବଳାତ୍କାର ପୀଡ଼ିତା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ରାୟଗଡା, ଜାନୁଆରୀ ୧୬(ଓଡିଶା ଡଟ୍ କମ୍)-ରାୟଗଡା ଗଣବଳାତ୍କାର ପରେ ଆତ୍ମଦାହ ଉଦ୍ୟମ କରିଥିବା ପୀଡିତା ମଙ୍ଗଳବାର ଦିନ ବିଶାଖାପାଟଣାର ଘରୋଇ ଡାକ୍ତରଖାନାରେ ଆଖି ବୁଜି ଦେଇଛନ୍ତି ।

ଆର.କେ ନଗରରୁ ନିଜ ଘର ଆଞ୍ଜିଆପେଟାକୁ ଫେରୁଥିବାବେଳେ ରୟତ କଲୋନୀ ଛକ ନିକଟରେ ପୂର୍ବରୁ ଛକି ରହିଥିବା ଚାରି ଯୁବକ ତାଙ୍କୁ ଟେକି ନେଇ ବଳାତ୍କାର କରିଥିଲେ । ଜନୈକ ଅଟୋ ଚାଳକ ତାଙ୍କୁ ଚିହ୍ନିବା ପରେ ତାଙ୍କ ଘରକୁ ନେଇଥିଲେ । ତେବେ ଲୋକଲଜ୍ଜା ପାଇଁ ସଂପୃକ୍ତ ଯୁବତୀ ପରଦିନ ଷ୍ଟୋଭରୁ କିରୋସିନି ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ରାୟଗଡ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଯୁବତୀ ବଳାତ୍କାର ସଂପର୍କରେ ଗତ ୬ତାରିଖ ତାଙ୍କ ବୟାନରେ ପ୍ରକାଶ କରିବା ପରେ ଏହି ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା ।

ପୀଡିତାଙ୍କଠାରୁ ଫଟୋ ଚିହ୍ନଟ କରାଇବା ପରେ ପୁଲିସ ଏହି ଘଟଣାରେ ୪ଜଣ ମୁନା ଛତ୍ରିଆ, ପ୍ରଦୀପ ଭାତ୍ରା, ମଲ୍ଲିକ ଖୋସଲା ଓ ଭରତ ଖୋସଲାଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ସାରିଛି ।

ଡାକ୍ତରଖାନାରେ ଦୀର୍ଘ ୮ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ବିଶାଖାପାଟଣାରେ ମୃତଦେହ ବ୍ୟବଚ୍ଛେଦ ପରେ ବୁଧବାର ଦିନ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଡିଏସପି ଭି.ଆର ରାଓ ପ୍ରକାଶ କରିଛନ୍ତି ।

ଏଥିପାଇଁ ଡିଏସପି ଶ୍ରୀ ରାଓଙ୍କ ନେତୃତ୍ୱରେ ଏକ ଦଳ ବିଶାଖାପାଟଣା ଯାତ୍ରା କରିଛନ୍ତି । ଅପରପକ୍ଷରେ ପୀଡିତାଙ୍କ ପରିବାରବର୍ଗଙ୍କୁ ୧୦ଲକ୍ଷ ଟଙ୍କାର ଅନୁଦାନ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version